Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

Sep 19, 2026 - 23:48
Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା କଅଁସ ପଞ୍ଚାୟତ ବିଟ୍‌ସାହି ଗାଁର ୨ ମା"ଛେଉଣ୍ଡ ଛୁଆଙ୍କୁ ସଂପୃକ୍ତ ୨ ବାପା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ କୁଣ୍ଢେଇପାଳରେ ବିକି ଦେଇଥିଲେ।

କଅଁସ ସରକାରୀ ଉପ୍ରା ସ୍କୁଲ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଓ ଦେଓଗାଁ ସରକାରୀ ଉପ୍ରା ସ୍କୁଲ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଜଣକ ସେଠାରେ ରହି ବଗାଳିଆ(ବାର୍ଷିକ ଚୁକ୍ତି ଭିତ୍ତିରେ ଚାକର) ଭାବେ ମାଲିକ ଘରେ ଦିନକୁ ୧୨ ରୁ ୧୪ ଘଣ୍ଟା କାମ କରୁଥିଲେ।

ଗାଈଗୋରୁ ଓ ଛେଳି ଚରାଇ ଆସୁଥିଲେ।Advertisment ସାହୁକାର ଘରେ ଶିଶୁଦ୍ବୟ ନିର୍ଯାତିତ ହୋଇଆସୁଥିଲେ।

ବୁଧବାର ରାତି ମାତାଲ ଅବସ୍ଥାରେ ଥିବା ମାଲିକ ଶିଶୁ ଦ୍ବୟଙ୍କୁ ମାଡ଼ ମାରିଥିଲା ଓ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲା ବୋଲି ପିଲାମାନେ ଅଭିଯୋଗ କରନ୍ତି।

ଗୁରୁବାର ଭୋର ସାଢ଼େ ୪ ରୁ ଶିଶୁଦ୍ବୟ ମାଲିକ ଘରୁ ଲୁଚି ପଳାଇ ଆସିଥିଲେ।

ସେଦିନ ସକାଳ ସାଢ଼େ ୧୦ଟାରେ ସେମାନଙ୍କୁ ୨୦ କିଲୋମିଟର ଦୂର ଦୈତାରୀ ଥାନା ବରେଇଗୋଡ଼ାରେ ଚାଲିଚାଲି ଯାଉଥିବା ଦେଖା ଯାଇଥିଲା।

ଝିଅଟି ବିନା ଚପଲରେ ଚାଲୁଥିଲା।

ଭୋକିଲା, କ୍ଳାନ୍ତ ଓ ଭୟଭୀତ ଥିବା ଶିଶୁଦ୍ବୟଙ୍କୁ ଜଣେ ଦୋକାନୀ ଦେଖି ସନ୍ଦେହ କରିଥିଲେ।

ସେମାନଙ୍କୁ ପାଖକୁ ଡାକି କିଛି ଖାଇବାକୁ ଦେଇଥିଲେ।

ପଚାରିବାରେ ଗାଁକୁ ଫେରିଯିବା ଯୋଜନାରେ ସେମାନେ ବାଟବଣା ହୋଇଥିବା ଜଣାପଡ଼ିଥିଲା।

ପ୍ରସଙ୍ଗକୁ ନେଇ ସାମ୍ବାଦିକ ରାଜେଶ କୁମାର ବେହେରା ଦୈତାରୀ ଥାନାକୁ ଯୋଗାଯୋଗ କରିଥିଲେ।

ପୁଲିସ ସେମାନଙ୍କୁ ସେଠାରୁ ଉଦ୍ଧାରକରି ଘଷିପୁରାର ଏକ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ସାମୟିକ ଥଇଥାନ କରାଇଥିବା ସୂଚନା ମିଳିଛି।

ନାବାଳିକା ଜଣକ ୪ ବର୍ଷ ବୟସରେ ମାଆଙ୍କୁ ହରାଇଥିଲେ।

ତାଙ୍କର ଆଉ ଜଣେ ସାନଭଉଣୀ ଅଛନ୍ତି।

ବଳିପର୍ବତରୁ ଜଣେ ମହିଳାଙ୍କୁ ତାଙ୍କ ବାପା ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିଛନ୍ତି।

ଏହି ମହିଳାଙ୍କର ପୂର୍ବରୁ ୨ ଜଣ ଶିଶୁପୁତ୍ର ଅଛନ୍ତି।

ନାବାଳକ ଜଣକ ମେଧାବୀ ଛାତ୍ର।

ସେ ଗାଁରେ ସବୁଠାରୁ ଭଲ ପଢ଼ନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ କହନ୍ତି।

ତାଙ୍କ ମାଆଙ୍କ ମୃତ୍ୟୁ ପରେ ବାପା ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି।

ମହ୍ଲାର ଜନଜାତି ବର୍ଗର ସଂପୃକ୍ତ ୨ ପରିବାର ଅତ୍ୟନ୍ତ ଗରିବ।

ଉତ୍କଟ ଅଭାବଗ୍ରସ୍ତ ଏହି ୨ ଦମ୍ପତି ଦିନ ସାରା ଜଙ୍ଗଲରେ ଘୂରି ବୁଲନ୍ତି।

ଜଙ୍ଗଲୀ ଫଳମୂଳ, ଝୁଣା, ଦାନ୍ତକାଠି, ମହୁ, ଛତୁ, ବନ୍ୟପ୍ରାଣୀ ଅଣ୍ଡା ଓ ଶାବକ ସଂଗ୍ରହ କରି ବିକ୍ରୟ କରିଥାନ୍ତି।

ସଂଧ୍ୟାରେ ଗାଁ ମୁଣ୍ଡ ଭାଟିରେ ମଦ ପିଇ ମାତାଲହୋଇ ଘର ଫେରନ୍ତି।

ବସ୍ତିର ଶିଶୁମାନେ ଅବହେଳିତ।

ଭଲ ପଢ଼ୁଥିବାରୁ ଗ୍ରୀଷ୍ମଛୁଟିରେ ସ୍ଥାନୀୟ ଜଣେ ଅଣଆନୁଷ୍ଠାନିକ ଶିକ୍ଷୟିତ୍ରୀ ନାବାଳକଙ୍କୁ ନିଜ ଘରେ ରଖାଇଥିଲେ।

ସ୍କୁଲ ଛୁଟି ହେବା ସୁଯୋଗରେ କୁଣ୍ଢେଇପାଳର ଏହି ମାଲିକ କଅଁସ ଆସି ସଂପୃକ୍ତ ୨ ବାପାଙ୍କୁ ଭେଟି ମୂଲଚାଲ କରି ଶିଶୁ ଦ୍ବୟଙ୍କୁ ବାଇକ୍‌ରେ ଉଠାଇ ନେଇଥିଲା।

ପିଲାଦ୍ବୟ ସେଦିନରୁ ନୂଆ ଜାମା ପିନ୍ଧିନଥିବା ଅଭିଯୋଗ ହୁଏ।

ଛାତ୍ର ସ୍କୁଲ ପୋଷାକ ପିନ୍ଧିଥିବା ଦେଖାଯାଇଥିଲା।

ସେଦିନରୁ ସାଢ଼େ ୪ ମାସ ଧରି ପିଲା ଦ୍ବୟ ଦେଖା ଯାଉନଥିଲେ ବୋଲି ଅଙ୍ଗନବାଡ଼ି କର୍ମୀ ରୁକ୍ମଣୀ ପ୍ରଧାନ କହନ୍ତି।

ଏ ସଂପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦିବ୍ୟ ଭୂଷଣ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯାଇ ଉତ୍ତମ ପରିବେଶରେ ଥଇଥାନ କରାଯିବ ବୋଲି କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।