Resolutions Against NEET, FCRA Bill: NEETକୁ ନେଇ ବଡ଼ ନିଷ୍ପତ୍ତି, ବଦଳିବ କି ମେଡିକାଲ ଆଡମିଶନ୍‌ ନିୟମ?

Aug 11, 2026 - 14:09
Resolutions Against NEET, FCRA Bill: NEETକୁ ନେଇ ବଡ଼ ନିଷ୍ପତ୍ତି, ବଦଳିବ କି ମେଡିକାଲ ଆଡମିଶନ୍‌ ନିୟମ?

ନିଟ୍ ପେପର ଲିକ୍‌କୁ ନେଇ ଗତ ମାସରେ ଦେଖାଦେଇଥିବା ଉତ୍ତେଜନା ପରେ ତାମିଲନାଡୁ (Tamilnadu) ବିଧାନସଭା ନିଟ୍‌ (NEET) କୁ ବିରୋଧ କରି ଏକ ସଂକଳ୍ପ ପାରିତ କରିବାକୁ ଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେଜି ଅରୁଣରାଜ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ସିଷ୍ଟମକୁ ଉଚ୍ଛେଦ କରିବା ପାଇଁ ଏହି ଆଇନ ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏକ ସଂକଳ୍ପ ଆଗତ କରିବେ।

ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ନିଟ୍ ସାମାଜିକ ନ୍ୟାୟ ଏବଂ ସମାନତାକୁ ଦୁର୍ବଳ କରୁଛି। ଗ୍ରାମୀଣ ଏବଂ ସାମାଜିକ-ଆର୍ଥିକ ଭାବରେ ପଛୁଆ ଛାତ୍ରଛାତ୍ରୀ, ବିଶେଷକରି ତାମିଲ ମାଧ୍ୟମରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ବ୍ୟବସ୍ଥା ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ନିଟ୍ ପ୍ରସ୍ତୁତି ପାଇଁ ଦାମୀ କୋଚିଂ ସେଣ୍ଟର ଉପରେ ଛାତ୍ରଛାତ୍ରୀଙ୍କ ନିର୍ଭରଶୀଳତା ବଢ଼ୁଛି। ଏହାଦ୍ୱାରା ଆର୍ଥିକ ଭାବେ ସକ୍ଷମ ଛାତ୍ରଛାତ୍ରୀ ଅଧିକ ସୁବିଧା ପାଉଥିବା ବେଳେ ଗରିବ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପଛରେ ରହିଯାଉଛନ୍ତି। ସେହିପରି, ନିଟ୍ ପାଇଁ ପ୍ରସ୍ତୁତି କରିବାରେ ଛାତ୍ରଛାତ୍ରୀ ସ୍କୁଲ ପାଠ୍ୟକ୍ରମ ଉପରେ ଧ୍ୟାନ ଦେବା ପରିବର୍ତ୍ତେ କୋଚିଂ ଉପରେ ଅଧିକ ନିର୍ଭର କରୁଛନ୍ତି। ତେଣୁ ମେଡିକାଲ ନାମଲେଖା ପାଇଁ ନିଟ୍ ପରିବର୍ତ୍ତେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମାର୍କକୁ ଆଧାର କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି।

ପ୍ରସ୍ତାବରେ କୁହାଯାଇଛି ଯେ, ନିଟ୍‌ରୁ ମୁକ୍ତି ପାଇଁ ତାମିଲନାଡୁ ବିଧାନସଭା ୨୦୨୧ ମସିହାରେ ସର୍ବସମ୍ମତିକ୍ରମେ ‘ତାମିଲନାଡୁ ଆଡମିସନ୍ ଟୁ ଅଣ୍ଡରଗ୍ରାଜୁଏଟ୍ ମେଡିକାଲ ଡିଗ୍ରୀ କୋର୍ସେସ୍ ବିଲ୍, ୨୦୨୧’ ପାରିତ କରିଥିଲା। କିନ୍ତୁ ଏହି ବିଲ୍‌କୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିନାହିଁ। ସେହିପରି ନିଟ୍ ପେପର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ମାନସିକ ଚାପ ସୃଷ୍ଟି କରିଛି। ଏହା ସହିତ ପରୀକ୍ଷା ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ କମିଛି।

ଏତଦବ୍ୟତୀତ ତାମିଲନାଡୁ ବିଧାନସଭା ଏଫସିଆରଏ ସଂଶୋଧନ ବିଲ୍‌କୁ ମଧ୍ୟ ବିରୋଧ କରି ଏକ ସଂକଳ୍ପ ପାରିତ କରିବ। 

ତାମିଲନାଡୁ ବିଧାନସଭାରେ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆମେଣ୍ଡମେଣ୍ଟ ବିଲ୍ ୨୦୨୬ କୁ ବିରୋଧ କରି ଆଉ ଏକ ପ୍ରସ୍ତାବ ଆଗତ ହେବ। ପ୍ରସ୍ତାବରେ FCRA ପଞ୍ଜୀକରଣ ଶେଷ ହେବା, ନବୀକରଣ ନହେବା, ପଞ୍ଜୀକରଣ ବାତିଲ ହେବା କିମ୍ବା ସ୍ୱଇଚ୍ଛାରେ ପଞ୍ଜୀକରଣ ଛାଡ଼ିବା ପରେ ଚାରିଟେବଲ୍ ସଂସ୍ଥାର ସମ୍ପତ୍ତିକୁ ସରକାର ନିଜ ନିୟନ୍ତ୍ରଣକୁ ନେବା, ପରିଚାଳନା କରିବା, ବିକ୍ରି କିମ୍ବା ହସ୍ତାନ୍ତର କରିବା ଭଳି ବ୍ୟବସ୍ଥା ନେଇ ଚିନ୍ତା ପ୍ରକାଶ କରାଯାଇଛି।

ତାମିଲନାଡୁ ସରକାରଙ୍କ ଯୁକ୍ତି ହେଉଛି, ଏଭଳି ବ୍ୟବସ୍ଥା ଚାରିଟେବଲ୍ ସଂସ୍ଥାଗୁଡ଼ିକର ସ୍ୱାୟତ୍ତତାକୁ ପ୍ରଭାବିତ କରିପାରେ। ବିଶେଷକରି ସଂଖ୍ୟାଲଘୁ ସମୁଦାୟ ପରିଚାଳିତ ଶିକ୍ଷା ଓ ସାମାଜିକ କଲ୍ୟାଣ ସଂସ୍ଥାଗୁଡ଼ିକ ଏଥିରେ ପ୍ରଭାବିତ ହୋଇପାରନ୍ତି।

ତେଣୁ ବିଲକୁ ପ୍ରତ୍ୟାହାର କରି କେନ୍ଦ୍ର ସରକାର ରାଜ୍ୟ ସରକାର ଓ ବିଭିନ୍ନ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବରେ ଦାବି କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।