Risk Of India Returning To Cash Economy: UPI ଚାର୍ଜକୁ ନେଇ ରିଟେଲର୍ସ ସଂଘର ଚେତାବନୀ, ଦୀପାବଳି ପୂର୍ବରୁ...

Sep 16, 2026 - 21:10
Risk Of India Returning To Cash Economy: UPI ଚାର୍ଜକୁ ନେଇ ରିଟେଲର୍ସ ସଂଘର ଚେତାବନୀ, ଦୀପାବଳି ପୂର୍ବରୁ...

୨ ହଜାର ଟଙ୍କାରୁ ଅଧିକ କିଛି UPI କାରବାରରେ ଚାର୍ଜ ଲାଗିବା ନିଷ୍ପତ୍ତିକୁ ନେଇ ବଢ଼ିଲା ବିରୋଧ। ରିଟେଲର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଚେତାବନୀ ଦେଇଛି, ଏହି ନିଷ୍ପତ୍ତି ଭାରତକୁ ପୁଣି କ୍ୟାଶ୍ ଇକୋନୋମି ଆଡ଼କୁ ଠେଲିପାରେ।

ସଂଘର ସିଇଓ କୁମାର ରାଜଗୋପାଳନ କହିଛନ୍ତି, ଛୋଟ ବ୍ୟବସାୟୀମାନେ ଏଣିକି UPI ନା କ୍ୟାଶ୍, କେଉଁ ମାଧ୍ୟମରେ ଟଙ୍କା ନେବେ, ତାହା ନେଇ ଦୁଇଥର ଭାବିପାରନ୍ତି। କାରଣ ଅନେକ ଛୋଟ ବ୍ୟବସାୟୀ ଅତି କମ୍ ଲାଭରେ ବ୍ୟବସାୟ କରନ୍ତି। ସେମାନଙ୍କ ପାଇଁ ଛୋଟ ଚାର୍ଜ ମଧ୍ୟ ଗୁରୁତ୍ୱ ରଖେ।

NPCIର ନୂଆ ଫ୍ରେମୱର୍କ ଅନୁସାରେ, ଗ୍ରାହକଙ୍କ ପାଇଁ UPI ପେମେଣ୍ଟ ମାଗଣା ରହିବ। କିନ୍ତୁ ୨ ହଜାର ଟଙ୍କାରୁ ଅଧିକ କିଛି ବ୍ୟବସାୟିକ UPI କାରବାରରେ ୦.୪ ପ୍ରତିଶତ MDR ଲାଗିପାରେ। ରେଳ, ଟେଲିକମ୍, ବୀମା ଓ ଇନ୍ଧନ ଭଳି କିଛି କ୍ଷେତ୍ରରେ ୫ ଟଙ୍କାର ଫ୍ଲାଟ୍ ଚାର୍ଜ ବ୍ୟବସ୍ଥା ରହିଛି। ତେବେ ବ୍ୟକ୍ତିରୁ ବ୍ୟକ୍ତିକୁ ହେଉଥିବା UPI କାରବାର ମାଗଣା ରହିବ।

ଅନ୍ୟପଟେ, ମାସକୁ UPI QR ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରହଣ କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଚାର୍ଜ ନଥିବା କୁହାଯାଇଛି। ଅର୍ଥ ମନ୍ତ୍ରଣାଳୟର ଦାବି, ପ୍ରାୟ ୯୬ ପ୍ରତିଶତ P2M କାରବାର ଏହି ପରିବର୍ତ୍ତନରୁ ପ୍ରଭାବିତ ହେବନାହିଁ।

ତେବେ ରିଟେଲର୍ସ ଆସୋସିଏସନ୍ ଏକ ଗ୍ରେଡେଡ୍ ଚାର୍ଜ ବ୍ୟବସ୍ଥା ପାଇଁ NPCI ଓ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି ରଖିବ ବୋଲି କହିଛି। ଏପଟେ କ୍ଲଥିଂ ମାନୁଫାକ୍ଚରର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମଧ୍ୟ ନିଷ୍ପତ୍ତିର ସମୟକୁ ନେଇ ପ୍ରଶ୍ନ ଉଠାଇଛି। ଅକ୍ଟୋବର ୧୫ରୁ ନୂଆ ଚାର୍ଜ ଲାଗୁ ହେବାକୁ ଥିବାରୁ ଦୀପାବଳି ପୂର୍ବରୁ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି ସଂଘ କହିଛି।

ଦିଲ୍ଲୀ କମଳା ନଗର ମାର୍କେଟ୍ ଆସୋସିଏସନ୍‌ର ସଭାପତି ନୀତିନ ଗୁପ୍ତା କହିଛନ୍ତି, ବ୍ୟବସାୟୀମାନେ କ୍ୟାଶ୍‌ଲେସ୍ ପେମେଣ୍ଟକୁ ସମର୍ଥନ କରିଥିଲେ, କିନ୍ତୁ UPIରେ ଚାର୍ଜ ଲାଗିଲେ ପୁଣି କ୍ୟାଶ୍ ନେଣଦେଣକୁ ପ୍ରୋତ୍ସାହନ ଦେବେ।

ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହି ଚାର୍ଜକୁ ବିରୋଧ କରିଛନ୍ତି। ଅନ୍ୟପଟେ ଅର୍ଥ ମନ୍ତ୍ରଣାଳୟ କହିଛି, UPI ନୀତିରେ କୌଣସି ବିଦେଶୀ ପ୍ରଭାବ ନାହିଁ ଏବଂ ଏହି ନିଷ୍ପତ୍ତି ସ୍ୱାଧୀନ ଭାବେ ନିଆଯାଇଛି।

ଅର୍ଥ ମନ୍ତ୍ରଣାଳୟ ଆହୁରି ସ୍ପଷ୍ଟ କରିଛି ଯେ MDR ସରକାର କିମ୍ବା NPCI ଆଦାୟ କରୁଥିବା କୌଣସି ଟ୍ୟାକ୍ସ ନୁହେଁ। ପେମେଣ୍ଟ ଇକୋସିଷ୍ଟମରେ ଥିବା ବ୍ୟାଙ୍କ ଓ ପେମେଣ୍ଟ ଆପ୍ ପ୍ରଦାନକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଏହି ରାଶି ବଣ୍ଟନ ହେବ। ତେବେ ବ୍ୟବସାୟୀ ସଂଗଠନଗୁଡ଼ିକର ଆଶଙ୍କା ହେଉଛି—UPIରେ ଅତିରିକ୍ତ ଖର୍ଚ୍ଚ ଯୋଡ଼ିଲେ ଡିଜିଟାଲ୍ ପେମେଣ୍ଟ ବଦଳରେ କ୍ୟାଶ୍ ପ୍ରତି ଆଗ୍ରହ ବଢ଼ିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।