Orangutans Gradually Recover At Nandankanan: ପାଞ୍ଚ କୁନି ଜୀବନ ଉପରେ କଡ଼ା ନଜର, ଚାଲିଛି ପରୀକ୍ଷା ପରେ ପରୀକ୍ଷା
ଅଜଣା ଜଙ୍ଗଲରୁ ନନ୍ଦନକାନନ। ଭୟ ଓ ଆଶଙ୍କା ଭିତରେ ଆସିଥିବା ୫ କୁନି ଜୀବନ ଏବେ ଧୀରେ ଧୀରେ ଫେରୁଛନ୍ତି ସ୍ୱାଭାବିକ ଜୀବନକୁ। କେତେବେଳେ ଖେଳ... କେତେବେଳେ ଦୁଷ୍ଟାମୀ... ପୁଣି କେତେବେଳେ କ୍ଷୀର ବୋତଲରେ ଭରୁଛି ଭୋକ। ନନ୍ଦନକାନନର ପରିବେଶକୁ ଧୀରେ ଧୀରେ ଆପଣେଇ ନେଉଛନ୍ତି ୫ ଓରାଙ୍ଗଉଟାନ ଶିଶୁ। ସ୍ୱାସ୍ଥ୍ୟ ଉପରେ କଡ଼ା ନଜର... ପରୀକ୍ଷା ପରେ ପରୀକ୍ଷା କରାଯାଉଛି।
ଭୟରୁ ଏବେ ଖୁସିକୁ...କେତେବେଳେ ଭାଇ-ଭଉଣୀ ଭଳି ଚଟାଣରେ ଗଡ଼ି ଗଡ଼ି ଖେଳୁଛନ୍ତି...କେତେବେଳେ ଜଣେ ଅନ୍ୟ ଜଣଙ୍କର ପିଠି କୁଣ୍ଡାଇ ଦେଉଛି... ପୁଣି ଭୋକ ଲାଗିଲେ କ୍ଷୀର ବୋତଲକୁ ଚୁଚୁମି ମେଣ୍ଟାଉଛନ୍ତି ପେଟର ଭୋକ... ଆଉ ନିଦ ଆସିଲେ କଣ୍ଢେଇକୁ କୁଣ୍ଢେଇ ଶୋଇଯାଉଛନ୍ତି। ନନ୍ଦନକାନନରେ ଏମିତି କଟୁଛି ୫ ଶିଶୁ ଓରାଙ୍ଗଉଟାନ୍ଙ୍କ ଦିନ। ଏଠାକୁ ଆସିବା ବେଳକୁ ଯେଭଳି ବିଚଳିତ ଥିଲେ ଆଉ ତାହା ନାହିଁ। ଭଲରେ ଖାଉଛନ୍ତି, ଖେଳୁଛନ୍ତି, ଆଉ ଦିନକୁ ୧୫-୩୦ ମିନିଟ୍ ଖରାରେ ବୁଲୁଛନ୍ତି। ଓଡ଼ିଶା ପାଣି ପବନ ସହ ଧିରେ ଧିରେ ଖାପଖୁଆଇଲେଣି ସେମାନେ। ସମସ୍ତଙ୍କର ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ଉପରେ ନଜର ରଖିଛି ଟେକ୍ନିକାଲ୍ କମିଟି। PCCFଙ୍କ ପକ୍ଷରୁ ଗଠିତ ଏହି ୫ ଜଣିଆ କମିଟି ନନ୍ଦନକାନନ ଗସ୍ତ କରି ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି। ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି, ଏବେ ସବୁ ୫ ଓରାଙ୍ଗଉଟାନ୍ ସକ୍ରିୟ ଅଛନ୍ତି। ବୟସ ଖୁବ୍ କମ୍ ଥିବାରୁ ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କ ରକ୍ତ, ମଳ, ମୂତ୍ର ନମୁନା ସଂଗ୍ରହ ସହିତ ଏକ୍ସ-ରେ ବି କରାଯାଇଛି।
ଏହି କୁନି ଜୀବନଙ୍କୁ ବଞ୍ଚାଇବା ପାଇଁ କେବଳ ଔଷଧ ନୁହେଁ, ଚାଲିଛି ଅଭିଜ୍ଞତାର ଆଦାନପ୍ରଦାନ। ଟେକ୍ନିକାଲ୍ କମିଟିରେ ଥିବା ମହୀଶୂର ଜୁର ଅତିରିକ୍ତ ନିର୍ଦ୍ଦେଶକ ଓ ଭେଟେରିନାରୀ ଆଡଭାଇଜରଙ୍କ ପରାମର୍ଶ ନିଆଯାଉଛି। କାରଣ ମହୀଶୂର ଜୁରେ ଏବେ ୩ଟି ଓରାଙ୍ଗଉଟାନ ରହିଛନ୍ତି। ସେଠାକାର ଅଭିଜ୍ଞତା ନନ୍ଦନକାନନ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂଗରୋଧ ଘରେ ୩୦ ଦିନର ସ୍ୱତନ୍ତ୍ର କେୟାର୍ ପ୍ଲାନରେ ଅଛନ୍ତି ଏହି କୁନି ଅତିଥି। ଫିଡ୍ ଚାର୍ଟ ଓ ଭେଟେରିନାରୀ କେୟାର୍ ସ୍କିଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍। ଏଠିକାର ମାଟି, ପାଣି ପବନ... ସବୁକିଛି ସେମାନଙ୍କୁ ଭୁଲାଇ ଦେଉଛି ଅତୀତର ସେହି କାଳରାତିକୁ।
ଓରାଙ୍ଗଉଟାନଙ୍କୁ କିଏ ଆଣିଲା ଓଡ଼ିଶା ? କେଉଁଠୁ ଓ କେଉଁ ବାଟ ଦେଇ ଚାଲାଣ କରାଯାଇଥିଲା ? ଏସଟିଏଫ୍ ୮ ଦିନ ହେବ ଘାଣ୍ଟୁଥିଲେ ବି କୌଣସି ନିଷ୍କର୍ଷରେ ପହଞ୍ଚି ପାରିନି। ତଦନ୍ତର ମନ୍ଥରତାକୁ ନେଇ ପ୍ରଶ୍ନ ଇଠାଇଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। STF ନୁହେଁ, ତଦନ୍ତ ଭାର ସିବିଆଇ କିମ୍ବା କେନ୍ଦ୍ରୀୟ ସଂସ୍ଥା ନେଉ ବୋଲି ସେ ଦାବି କରିଛନ୍ତି। ଜବାବରେ ବିଜେପି କହିଛି, ଅଯଥାରେ ରାଜନୀତି କରୁଛି ବିଜେଡି।
ଏପଟେ ଚିକିତ୍ସା ଓ ଯତ୍ନରେ ଫେରୁଛି ୫ କୁନି ଜୀବନର ହସ। ସେପଟେ ତଦନ୍ତ ଖୋଜୁଛି ତସ୍କରୀର ଖିଅ। ଆଗକୁ ଓରାଙ୍ଗଉଟାନଙ୍କ ଡିଏନ୍ଏ ଟେଷ୍ଟ ହେବ, ଜଣାପଡ଼ିବ ସେମାନଙ୍କ ପରିଚୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।