Saima Wazed Quits WHO : WHO ରୁ ଇସ୍ତଫା ଦେଲେ ଶେଖ୍ ହସିନାଙ୍କ ଝିଅ, ବର୍ଷେ ଧରି ବିନା ଦରମାରେ ଥିଲେ ସାଇମା

Sep 10, 2026 - 14:15
Saima Wazed Quits WHO : WHO ରୁ ଇସ୍ତଫା ଦେଲେ ଶେଖ୍ ହସିନାଙ୍କ ଝିଅ, ବର୍ଷେ ଧରି ବିନା ଦରମାରେ ଥିଲେ ସାଇମା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଝିଅ ସାଇମା ୱାଜେଦ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ରିଜିଓନାଲ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଠକେଇ ଓ ଆର୍ଥିକ ଅନିୟମିତତା ସମ୍ପର୍କିତ ତଦନ୍ତ ଚାଲିଥିବା ସମୟରେ ଇସ୍ତଫା ଦେଇଛନ୍ତି ସାଇମା।

ସାଇମା ୨୦୨୪ ମସିହା ଆରମ୍ଭରେ ୫ ବର୍ଷ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ୨୦୨୫ ମସିହା ଜୁଲାଇରେ ବାଂଲାଦେଶର ଦୁର୍ନୀତି ନିରୋଧୀ କମିଶନ ତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗ ଆଣିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କୁ ପ୍ରଶାସନିକ ଛୁଟିରେ ପଠାଇଥିଲା। ପରେ ସେ ବିନା ଦରମାରେ ଛୁଟିରେ ଥିଲେ।

ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସାଇମାଙ୍କ ବିରୋଧରେ ଚୀନ୍ ଗସ୍ତ ସହ ଜଡିତ ଯାତ୍ରା ଖର୍ଚ୍ଚରେ ଆର୍ଥିକ ଅନିୟମିତତା ଏବଂ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦେବା ଭଳି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ବାଂଲାଦେଶରେ ମଧ୍ୟ ଦୁର୍ନୀତି ଓ ଜାଲିଆତି ସମ୍ପର୍କିତ ମାମଲା ରହିଛି।

ଏହାସହ ବାଂଲାଦେଶରେ ଏକ ଜମି ବେଆଇନ ଭାବେ ହାସଲ କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ସାଇମା ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚୀନ୍ ଗସ୍ତର ଖର୍ଚ୍ଚ ସମ୍ପର୍କିତ ମାମଲାରେ ତାଙ୍କ କର୍ମଚାରୀଙ୍କ ପକ୍ଷରୁ ପ୍ରଶାସନିକ ତ୍ରୁଟି ହୋଇଥିବା ସେ ଦାବି କରିଛନ୍ତି। 

ଇସ୍ତଫାପତ୍ରରେ ସାଇମା କହିଛନ୍ତି ଯେ, ତାଙ୍କୁ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇବାକୁ ସୁଯୋଗ ଦିଆଯାଉନାହିଁ। ପ୍ରାୟ ଏକ ବର୍ଷ ଧରି ଦରମା ନପାଇବାରୁ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଅସହ୍ୟ ହୋଇପଡ଼ିଥିବା ସେ କହିଛନ୍ତି। 

ତେବେ ସାଇମାଙ୍କ ଇସ୍ତଫା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଏହି ପଦ ପାଇଁ ନୂଆ ରିଜିଓନାଲ ଡାଇରେକ୍ଟର ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।