07 OCTOBER 2026

Welcome!

Unlock your personalized experience.
Sign Up

Sambalpuri handloom: ଗର୍ବ କରିବାକୁ ରହିବନି ସମ୍ବଲପୁରୀ ହସ୍ତତନ୍ତ: ଭୁତି ଅଣକୁଶଳୀ ଶ୍ରମିକଠୁ ବି କମ୍‌

Oct 07, 2026 - 03:30
Sambalpuri handloom: ଗର୍ବ କରିବାକୁ ରହିବନି ସମ୍ବଲପୁରୀ ହସ୍ତତନ୍ତ: ଭୁତି ଅଣକୁଶଳୀ ଶ୍ରମିକଠୁ ବି କମ୍‌

କର୍ଡୋଲାରୁ ଗାର୍ଗୀ ଶତପଥୀ/ସଞ୍ଜୀବ ଠାକୁର
ସମ୍ବଲପୁର: ଜିଲ୍ଲା କର୍ଡୋଲାର ବୁଣାକାର ଭୂମିସୂତା ମେହେର। ୫ ଜଣ ସଦସ୍ୟ ବିଶିଷ୍ଟ ସମୁଦାୟ ପରିବାରର ଦୈନିକ କାର୍ଯ୍ୟ ସମୟ ୧୩.୩୦ ଘଣ୍ଟା। କିନ୍ତୁ ୪ ଦିନ କାମ ପରେ ଶାଢ଼ି ତିଆରିରୁ ମିଳେ ମାତ୍ର ୩୫୦୦ ଟଙ୍କା ଭୁତି। ଶାଢ଼ିର ପ୍ରକାରଭେଦ ଏବଂ ବ୍ୟବସାୟୀଙ୍କ ଟଙ୍କା ବିନିଯୋଗ ଅନୁସାରେ ଏହି ଆୟ ସର୍ବନିମ୍ନ ୨୫୦୦ରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ହେଉଛି ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କ ଦୈନିକ ଆୟ, ଯାହାକି ଜଣେ ଅଣକୁଶଳୀ ଶ୍ରମିକଙ୍କ ମଜୁରିଠାରୁ ମଧ୍ୟ କମ୍‌। ସମ୍ବଲପୁରୀ ହସ୍ତତନ୍ତ ଯାହାର ବ୍ରାଣ୍ଡ ଆମ୍ବାସଡର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଖାଲି ଓଡ଼ିଶା ନୁହେଁ, ସାରା ବିଶ୍ବରେ ଭାରତକୁ ସ୍ବତନ୍ତ୍ର ପରିଚୟ ଦେଇଛି ସମ୍ବଲପୁରୀ ହସ୍ତତନ୍ତ। ଖୋଲା ବଜାରରେ ସମ୍ବଲପୁରୀ ଶାଢ଼ିର ଦାମ ୩୦୦୦ରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଥାଏ। ଏହାର ଚାହିଦା ଆକାଶ ଛୁଏଁ, କିନ୍ତୁ ତା’ର ଲାଭ ବୁଣାକାରଙ୍କୁ ମିଳେ ନାହିଁ। 

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

ବୁଣାକାର ଗାଁ କର୍ଡୋଲାକୁ ପର୍ଯ୍ୟଟନ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଟିଡିସି। ଏହି ଅଞ୍ଚଳକୁ ଏଭଳି ବିକଶିତ କରାଯିବ ଯେପରି ଦେଶ, ବିଦେଶରୁ ପର୍ଯ୍ୟଟକ ଆସି ସମ୍ବଲପୁରୀ ହସ୍ତତନ୍ତ ବିଷୟରେ ଅବଗତ ହୋଇପାରିବେ। ଯେଉଁମାନଙ୍କ ଉପରେ ଏତେ ବଡ଼ ଦାୟିତ୍ବ ସେମାନଙ୍କ ଅବସ୍ଥା ଏବଂ କାର୍ଯ୍ୟ ନେଇ ଭୂମିସୁତା କହନ୍ତି, ସକାଳ ସାଢ଼େ ୪ଟାରୁ ତାଙ୍କ ସମେତ ସ୍ବାମୀ, ଶାଶୂ, ପିଲାମାନେ କାମରେ ଲାଗିପଡ଼ନ୍ତି। ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତି ପାଇଁ କିଏ ସୂତା ରନିଂ କରନ୍ତି ତ କିଏ ବାନ୍ଧକୁରା, କମଡ଼ାର ବନ୍ଧ ଡିଜାଇନ, ଗ୍ରାଫିକ୍‌ ଭଳି ୧୫ ପ୍ରକାର ପ୍ରୋସେସିଂ କରନ୍ତି। ଏଥିପାଇଁ ମଙ୍ଗରା, ଅସାରି, ଉଫୁନା ସମେତ ବିଭିନ୍ନ ପ୍ରକାର ଅନେକ ହସ୍ତତନ୍ତ ବ୍ୟବହାର ହୁଏ। ଏଥିପାଇଁ ଘରେ ସ୍ଥାନାଭାବ ବି ଦେଖାଯାଉଛି। ଏବେ କିନ୍ତୁ କର୍ଡୋଲା ଗାଁର ବୁଣାକାର ପରିବାରର ସଦସ୍ୟମାନେ ଘର ଛାଡ଼ିବାରେ ଲାଗିଛନ୍ତି। ସୂତା ଏବଂ ରଙ୍ଗର ମାତ୍ରାଧିକ ଦରବୃଦ୍ଧି ସେମାନଙ୍କ ବ୍ୟୟଭାର ବୃଦ୍ଧି କରିଛି। ଟିକେଲାଲ ମେହେରଙ୍କ କହିବା ଅନୁସାରେ, ୨ ମାସ ପୂର୍ବରୁ ଯେଉଁ ସୂତାର ଦାମ ୫ ହଜାର ଟଙ୍କା ଥିଲା ଏବେ ତାହା ୬୦୦୦ ଟଙ୍କାରେ ପହଞ୍ଚିଛି। ରଙ୍ଗ ଦର ତ ଆହୁରି ଚିନ୍ତା ବଢ଼ାଉଛି। ୨୫ ଗ୍ରାମ୍‌ ପାଇଁ ୧୬୦ ଟଙ୍କା ଦେବାକୁ ପଡ଼ୁଛି। ବର୍ତ୍ତମାନ ଏଠାରେ ଥିବା ବୁଣାକାର ସମବାୟ ସମିତି ଦେବାଳିଆ ହେଲାଣି। ସେହିପରି ବରଗଡ଼ ଜିଲ୍ଲା ତୋରାସ୍ଥିତ ଓଡ଼ିଶା ବୁଣାକାର ସମବାୟ ସୂତାକଳ, କଳାହାଣ୍ଡିସ୍ଥିତ କୋଣାର୍କ କପା ଉତ୍ପାଦନକାରୀ ସମବାୟ ସୂତାକଳ ଭଳି ୭ କେନ୍ଦ୍ର ବନ୍ଦ ହୋଇସାରିଛି।

Alligation: ‘ନିର୍ବାଚନୀ ପ୍ରକ୍ରିୟା ହାଇଜାକ୍‌ ହୋଇଛି, କାହାକୁ ବି ଛଡ଼ାଯିବନି’: ରାହୁଲ

ଏଭଳି ସ୍ଥିତିରେ ସମୁଦାୟ ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳ ବୋଲି କହନ୍ତି ଖଗେଶ୍ବର ମେହେର। ଏପରିକି ଋଣ ପ୍ରଦାନ ବେଳକୁ ବ୍ୟାଙ୍କ ଏତେ ଅସୁବିଧା କରେ ଯେ ବ୍ୟବସାୟୀଙ୍କଠାରୁ କରଜ ନେବାକୁ ବୁଣାକାର ବାଧ୍ୟ ହେଉଛନ୍ତି। ଯାହାର ଫଳସ୍ବରୂପ ସେମାନଙ୍କୁ ଉପଯୁକ୍ତ ମଜୁରି ମିଳୁ ନାହିଁ। କୃଷି ଉତ୍ପାଦନର ଯେଉଁଭଳି ସର୍ବନିମ୍ନ ଦର ଧାର୍ଯ୍ୟ ହୋଇଛି ହସ୍ତତନ୍ତ କ୍ଷେତ୍ରରେ ତାହା ହୋଇପାରି ନାହିଁ। ଏଥିଯୋଗୁଁ ମାତ୍ରାଧିକ ପରିଶ୍ରମ ସତ୍ତ୍ବେ କମ୍‌ ମଜୁରି ଯୋଗୁଁ ନୂତନ ପିଢ଼ି ହସ୍ତତନ୍ତ କାର୍ଯ୍ୟ ପ୍ରତି ବିମୁଖ ହେବାରେ ଲାଗିଥିବା କହିଛନ୍ତି ବାବଲୁ ମେହେର। କର୍ଡୋଲାରେ ବୁଣାକାରମାନଙ୍କୁ ବିଭିନ୍ନ କମ୍ପାନି ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲେ ମଧ୍ୟ ତାହା ଲାଭଦାୟକ ହେଉନଥିବା କହିଛନ୍ତି। ଆଇଆଇଏମ୍‌ ପକ୍ଷରୁ ଅନ୍‌ଲାଇନ୍‌ ବ୍ୟବସାୟର ପ୍ରଶିକ୍ଷଣ ଦିଆଗଲା। କିନ୍ତୁ କେବଳ ଗୋଟିଏ ପରିବାର ତାହା କାର୍ଯ୍ୟକାରୀ କରିଛି। ବୁଣାକାରଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦିଗରେ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଗର୍ବ କରିବାକୁ ସମ୍ବଲପୁରୀ ହସ୍ତତନ୍ତ ନଥିବ ବୋଲି ଅନେକ ମତ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।