Editorial: ସାମାନ୍ୟ କଥନ: ଉଦାର ଓ ଉଦାସୀନ ରାଜପୁତ୍ର

Oct 07, 2026 - 04:34
Editorial: ସାମାନ୍ୟ କଥନ: ଉଦାର ଓ ଉଦାସୀନ ରାଜପୁତ୍ର

"ପ୍ରୀତୀଶ ଆଚାର୍ଯ୍ୟ ମଧ୍ୟକାଳୀନ ଭାରତ ଇତିହାସରେ ଜଣେ ଅତି ଉଦାର, ଜ୍ଞାନୀ ଓ ଗୁଣୀ ଭାବରେ ଦାରା ସିକୋହ (୧୬୧୫-୧୬୫୯) ସର୍ବଦା ଗଣା ହେବେ।

ସେ ଥିଲେ ମୋଗଲ ବାଦଶାହ ଶାହାଜାହାନ ଓ ବେଗମ ମମତାଜ ମହଲଙ୍କ ୧୪ଟି ସନ୍ତାନଙ୍କ ମଧ୍ୟରେ ତୃତୀୟ ଓ ପୁତ୍ର ହିସାବରେ ଜ୍ୟେଷ୍ଠ।

ମୋଗଲ ରାଜବଂଶରେ ଜ୍ୟେଷ୍ଠାଧିକାରର ପରମ୍ପରା ଦୃଢ଼ ନ ଥିଲା ଏବଂ ବାଦଶାହଙ୍କ ଜୀବିତାବସ୍ଥାରେ ରାଜକୁମାରମାନେ ସିଂହାସନ ପାଇଁ ଭ୍ରାତୃ ବିବାଦ ଏବଂ ପିତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାର ଉଦାହରଣମାନ ରହିଥିଲା।

ନିଜେ ଶାହାଜାହାନ (ପୂର୍ବ ନାମ ଖୁର୍‌ରମ) ମଧ୍ୟ ପିତା ଜାହାଙ୍ଗୀରଙ୍କ ବିରୁଦ୍ଧରେ ଶେଷ ସମୟରେ ବିଦ୍ରୋହ କରିଥିଲେ।

ବିଦ୍ରୋହ ଭଳି ସଙ୍କଟକୁ ଏଡ଼ାଇବା ସକାଶେ ଶାହାଜାହାନ ୧୬୪୨ରେ ଜ୍ୟେଷ୍ଠ ପୁତ୍ର ଦାରାଙ୍କୁ ପ୍ରଥମେ ଉଚ୍ଚ ପଦରେ ନିଯୁକ୍ତ କରିଥିଲେ ଏବଂ ପରେ ୧୬୫୫ରେ ଉତ୍ତରାଧିକାରୀ ରୂପେ ଘୋଷିତ କରିଥିଲେ।

କିନ୍ତୁ ତାଙ୍କ ଯୋଜନା ବିପରୀତ ଫଳ ପ୍ରଦାନ କଲା।

ମୋଗଲ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ଦାରାଙ୍କ ଭଳି ଜଣେ ଉଦାର ବ୍ୟକ୍ତିଙ୍କୁ ଶକ୍ତିଶାଳୀ ରୁଢ଼ିବାଦୀ, ରକ୍ଷଣଶୀଳ ଗୋଷ୍ଠୀ ତୀବ୍ର ବିରୋଧ କଲେ।

ଏହି ଗୋଷ୍ଠୀ ଆଉରଙ୍ଗଜେବଙ୍କୁ ସମର୍ଥନ କରିବାରୁ ଦାରାଙ୍କ ପରାଜୟ ପାଇଁ ବାଟ ଖୋଲିଗଲା।

ଆକବରଙ୍କୁ ବାଦ ଦେଲେ ମୋଗଲ ରାଜବଂଶରେ ଦାରା ସମ୍ଭବତଃ ସବୁଠାରୁ ଅଧିକ ଉଦାର ଥିଲେ।

ହିନ୍ଦୁ-ମୁସଲିମ ସମେତ ସବୁ ଧର୍ମ ମଧ୍ୟରେ ସେ ଏକତା ଓ ସଂହତି ରକ୍ଷା ନିମନ୍ତେ ପ୍ରୟାସ କରୁଥିଲେ।

ପାର୍ସୀରେ ଦାରାଙ୍କର ଏକ ପ୍ରସିଦ୍ଧ କୃତି ହେଲା, "ଦୁଇଟି ସାଗରର ସଂଗମ" (ଦ କନଫ୍ଲୁଏନ୍‌ସ ଅଫ ଟୁ ସିଜ୍‌)।

ଏଥିରେ ସେ ଇସଲାମ ଓ ହିନ୍ଦୁ ବିଚାରକୁ ଦୁଇଟି ଜ୍ଞାନର ସାଗର ରୂପରେ ଏବଂ ତା"ର ଆଧ୍ୟାତ୍ମିକତାକୁ ସୁଫି ଓ ବେଦାନ୍ତ ଦର୍ଶନ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଦର୍ଶାଇଥିଲେ।

୧୬୫୭ରେ ସେ ୫୦ଟି ଭାଗରେ ଉପନିଷଦର ପାର୍ସୀରେ ଅନୁବାଦ କରାଇଥିଲେ।

ଅନୁବାଦକୁ ପ୍ରାମାଣିକ ଓ ନିର୍ଭରଯୋଗ୍ୟ କରିବା ନିମନ୍ତେ ସେ ନିଜେ ବନାରସରେ ସଂସ୍କୃତ ଶିକ୍ଷା କରିଥିଲେ।

ପାର୍ସୀରେ "ଶିର-ଇ-ଆକବର" (ମହା ରହସ୍ୟ) ଶୀର୍ଷକରେ ପ୍ରସ୍ତୁତ ଏହି ଅନୁବାଦର ଉପକ୍ରମଣିକାରେ ଦାରା କହିଛନ୍ତି ଯେ ପୈଗମ୍ବର ମହମ୍ମଦ ଉପନିଷଦ ଗ୍ରନ୍ଥ କଥା ଅବଗତ ଥିଲେ।

ତାଙ୍କର ଏହି ଉଲ୍ଲେଖ ରକ୍ଷଣଶୀଳ ଗୋଷ୍ଠୀକୁ ତାଙ୍କ ବିରୁଦ୍ଧରେ ଅଧିକ ମୁଖର କରିଥିଲା।

ଏହା ବ୍ୟତୀତ, ସେ ଏକାଦଶ-ଦ୍ୱାଦଶ ଶତାବ୍ଦୀରେ ରଚିତ ମହାନ ସଂସ୍କୃତ ଗ୍ରନ୍ଥ "ଯୋଗ-ବଶିଷ୍ଠ"ର ମଧ୍ୟ ପାର୍ସୀରେ ଅନୁବାଦ କରାଇଥିଲେ।

ରକ୍ଷଣଶୀଳ ଗୋଷ୍ଠୀ ତାଙ୍କର ଏହି ସବୁ କାର୍ଯ୍ୟକୁ ବିରୋଧ କରିବା ସତ୍ତ୍ବେ ବେଦାନ୍ତ ଦର୍ଶନ ମଧ୍ୟ-ଏସିଆ ଓ ଗ୍ରୀକ ଓ ଲାଟିନରେ ଅନୂଦିତ ହୋଇ ୟୁରୋପର ବୌଦ୍ଧିକ ଜଗତରେ ଚହଳ ପକାଇଥିଲା।

କେବଳ ସେତିକି ନୁହେଁ, କଳା, ଭାସ୍କର୍ଯ୍ୟ ଓ ଚିତ୍ରକଳାରେ ମଧ୍ୟ ଦାରାଙ୍କ ବିଶେଷ ଆଗ୍ରହ ରହିଥିଲା, ଯାହାର ନିଦର୍ଶନ ଲାହୋର, କାଶ୍ମୀର ଓ ଦିଲ୍ଲୀରେ ଦେଖିବାକୁ ମିଳିଥିଲା।ଦାରା ସୁଫି ଦର୍ଶନର ଜଣେ ମହାନ ପଣ୍ଡିତ ଥିଲେ।

ତ୍ରୟୋଦଶ ଶତାବ୍ଦୀର ମହାନ ସୁଫି ସନ୍ଥ ମୈନୁଦ୍ଦିନ ଚିସ୍ତିଙ୍କ ଦରଘା ପାଇଁ ପ୍ରସିଦ୍ଧ ଆଜମେରରେ ତାଙ୍କର ଜନ୍ମ।

ବାଲ୍ୟ କାଳରୁ ତାଙ୍କ ବୌଦ୍ଧିକ ନିର୍ମାଣରେ ଏହାର ପ୍ରଭାବ ଥିଲା।

କୈଶୋରାବସ୍ଥାରେ ତାଙ୍କୁ ଲାହୋରର ମିଆଁ ମୀର (୧୫୫୦-୧୬୩୫)ଙ୍କ ଭଳି ସୁଫି ସନ୍ଥଙ୍କ ସାନ୍ନିଧ୍ୟ ମିଳିଥିଲା।

ମିଆଁ ମୀର ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଦ୍ବାରା ଗ୍ରହଣୀୟ ଥିଲେ।

ଏପରି କି ୧୫୮୮ରେ ଶିଖ ଗୁରୁ ଅର୍ଜୁନ ଦେବ ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରର ଆଧାର ଶିଳା ସ୍ଥାପନ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ।

ଦାରା "ହସନତ-ଉଲ-ଆରଫିନ" ନାମରେ ସୁଫି ସନ୍ଥମାନଙ୍କର ଏକ ଜୀବନୀ ମଧ୍ୟ ଲେଖିଛନ୍ତି।

ସପ୍ତମ ଶିଖ ଗୁରୁ ହର ରାୟ (୧୬୦୬-୪୪)ଙ୍କ ସହ ତାଙ୍କର ନିବିଡ଼ ବନ୍ଧୁତା ଥିଲା।

ଏହାର ବିପରୀତ, ଆଉରଙ୍ଗଜେବ ନବମ ଗୁରୁ ତେଗବାହାଦୁରଙ୍କୁ ୧୬୭୫ରେ ହତ୍ୟା କରି ଶିଖମାନଙ୍କ ସହ ଚିର ଶତ୍ରୁତା ଆଚରଣ କରିଥିଲେ।

ଦାରାଙ୍କର ଶେଷ ସମୟ ଥିଲା ଅତ୍ୟନ୍ତ ଦୁଃଖଦ ଓ ଅପମାନଜନକ।

ମାତ୍ର ୪୪ ବର୍ଷ ବୟସରେ ତାଙ୍କୁ ସାନ ଭାଇ ଆଉରଙ୍ଗଜେବ ହତ୍ୟା କରାଇଥିଲେ।

ଦାରାଙ୍କ ପତନ ଓ ଆଉରଙ୍ଗଜେବଙ୍କ ରାଜନୈତିକ ଉତ୍‌ଥାନ ଦେଶର ଏକ ସୁନ୍ଦର ସମ୍ଭାବନାକୁ ଦଳି ଦେଇଗଲା।

ବୌଦ୍ଧିକ କାର୍ଯ୍ୟରେ ଦାରା ଯେତେ ସଫଳ ଥିଲେ, ତା"ଠାରୁ ଅଧିକ ଅସଫଳ ଥିଲେ କୂଟନୀତି ଓ ରଣକ୍ଷେତ୍ରରେ।

ସେ ଥିଲେ ଏକାଧାରରେ ଜଣେ ଉଦାର ଓ ଉଦାସୀନ ରାଜପୁତ୍ର।

ସତୁରି ହଜାର ସୈନ୍ୟ ବଳ ବିଶିଷ୍ଟ ମୋଗଲ ସେନାର ଅଧିନାୟକ ହେବା ସତ୍ତ୍ବେ ୧୬୫୩ରେ କାନ୍ଦାହାର ଦଖଲ କରିବାରେ ବିଫଳ ହେବା ହେଉଛି ତା"ର ପ୍ରମାଣ; ତାଙ୍କ ପଛରେ ବିଶାଳ ମୋଗଲ ସେନା ଥିବା ସତ୍ତ୍ବେ ସେ ୧୬୫୮-୫୯ରେ ଉଜ୍ଜୈନ ନିକଟସ୍ଥ ଧର୍ମାଟ ଓ ଆଗ୍ରା ନିକଟସ୍ଥ ସାମୁଗଡ଼ରେ ଆଉରଙ୍ଗଜେବଙ୍କ ହାତରେ ଦୁଇ ଥର ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ।

ଏହା ପରେ ସେ ଜୀବନ ରକ୍ଷା ପାଇଁ ସିନ୍ଧକୁ ପଳାୟନ କରିଥିଲେ।

ସେଠାରେ ମାଲିକ ଜମୀର ନାମକ ଜଣେ ବିଶ୍ୱସ୍ତ ଆଫଗାନ ପାଖରେ ଅଶ୍ରୟ ନେଲେ।

ହେଲେ, ଜମୀର ବିଶ୍ୱାସଘାତକତା କରି ତାଙ୍କୁ ଆଉରଙ୍ଗଜେବ ହାତରେ ସମର୍ପଣ କଲା।

ଆଉରଙ୍ଗଜେବ ପ୍ରଥମେ ଦାରାଙ୍କୁ ଅର୍ଧ ନଗ୍ନ ଅବସ୍ଥାରେ ହାତୀରେ ବସାଇ ଦିଲ୍ଲୀର ରାଜ ରାସ୍ତାରେ ବୁଲାଇଲେ ଏବଂ ୩୦ ଅଗଷ୍ଟ ୧୬୫୯ରେ "ଉପହାର" ରୂପରେ ତାଙ୍କ କଟା ମୁଣ୍ଡକୁ ଆଗ୍ରାରେ ଗୃହ ବନ୍ଦୀ ଥିବା ପିତା ଶାହାଜାହାନଙ୍କ ପାଖକୁ ପଠାଇ ଦେଲେ।

ଦାରାଙ୍କର ଶୋଚନୀୟ ପରାଜୟ ଓ ନୃଶଂସ ହତ୍ୟା ମୋଗଲ ଶାସନରେ ଧାର୍ମିକ ଉଦାରତା ଓ ସଂପ୍ରୀତିର ସମ୍ଭାବନାକୁ ଏକ ରକମ ହତ୍ୟା କଲା।

ତା" ସହିତ ତଜ୍ଜନିତ ଭୟ ଓ ଆତଙ୍କ ଆଉରଙ୍ଗଜେବଙ୍କୁ ଏକ ନିରଙ୍କୁଶ ଶାସକ ହେବାରେ ସାହାଯ୍ୟ କଲା।କୁହାଯାଇଥାଏ ଯେ ଆଉରଙ୍ଗଜେବଙ୍କ ସ୍ଥାନରେ ଦାରା ସିକୋହ ଭାର୍ତୃବିବାଦରେ ବିଜୟୀ ହୋଇଥିଲେ ଇତିହାସ ଭିନ୍ନ ମୋଡ଼ ନେଇଥାନ୍ତା; ମଧ୍ୟକାଳୀନ ଭାରତରେ ଧାର୍ମିକ ସମନ୍ୱୟ ବଢ଼ିଥାନ୍ତା।

ସାଂପ୍ରଦାୟିକ ସମସ୍ୟା ଉପୁଜି ନଥାନ୍ତା!

ତେବେ, ଏହା କେବଳ ଏକ ଅନୁମାନ; ଅନେକ ପାରିପାର୍ଶ୍ୱିକ ସାମାଜିକ, ରାଜନୈତିକ ଓ ଆର୍ଥିକ କାରଣ ଉପରେ ଏହା ଫଳବତୀ ହେବା ବିଷୟ ନିର୍ଭର କରନ୍ତା।

କେବଳ ଜଣେ ସମ୍ରାଟ ଉଦାର ବା ଅନୁଦାର ହେବା ଉପରେ ସାମ୍ରାଜ୍ୟର ମୋଟ ସ୍ଥିତି ବଦଳିବାର ନଜିର ଇତିହାସରେ ଦେଖିବାକୁ ମିଳିନାହିଁ।(ମତାମତ ଲେଖକଙ୍କ ନିଜସ୍ବ)pritishacharya63@gmail.comAdvertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।