ପାନାମାରେ ପୁଣି ଭୂମିକମ୍ପ, ୬ ତୀବ୍ରତାର ଝଟକାରେ ଥରିଲା ଦେଶ

Oct 13, 2026 - 11:26
ପାନାମାରେ ପୁଣି ଭୂମିକମ୍ପ, ୬ ତୀବ୍ରତାର ଝଟକାରେ ଥରିଲା ଦେଶ

ନନ୍ଦିଘୋଷ ବ୍ୟୁରୋ:ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୋମବାର ପୁଣି ୬ ତୀବ୍ରତାର ଭୂମିକମ୍ପ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଏହି ଭୂମିକମ୍ପ ଭୂପୃଷ୍ଠରୁ ୩୫ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

ଶୁକ୍ରବାର ପାନାମାରେ ୭.୭ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ଦେଶର କେନ୍ଦ୍ରୀୟ ପ୍ରଦେଶଗୁଡ଼ିକରେ ଶହ ଶହ ଘର ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ୩୦୦ରୁ ଅଧିକ ପରବର୍ତ୍ତୀ ଭୂକମ୍ପ ଝଟକା (ଆଫ୍ଟରଶକ୍‌) ଅନୁଭୂତ ହୋଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତରେ ଦେଶବ୍ୟାପୀ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।

ଜରୁରୀକାଳୀନ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂମିକମ୍ପରେ କାହାରି ମୃତ୍ୟୁ ଖବର ମିଳିନାହିଁ। ତେବେ ଅତିକମରେ ୨୭ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୯୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଗମ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତିର ଆକଳନ ଜାରି ରହିଥିବାରୁ ଆହତଙ୍କ ସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂମିକମ୍ପରେ ସର୍ବାଧିକ ପ୍ରଭାବିତ ପ୍ରଦେଶଗୁଡ଼ିକ ମଧ୍ୟରେ ଲସ୍ ସାଣ୍ଟୋସ୍, କୋକ୍ଲେ, ଭେରାଗୁଆସ୍ ଏବଂ ହେରେରା ସାମିଲ ରହିଛି।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।