Search Operation Continues Across Nepal: ପାଣି କମିଛି କିନ୍ତୁ ଦୁଃଖ କମିନି, ଅଣ୍ଟା ସଳଖି ପାରୁନି ନେପାଳ

Aug 28, 2026 - 20:19
Search Operation Continues Across Nepal: ପାଣି କମିଛି କିନ୍ତୁ ଦୁଃଖ କମିନି, ଅଣ୍ଟା ସଳଖି ପାରୁନି ନେପାଳ

ନଦୀ ବହୁଛି…ଶାନ୍ତ ଭଳି ଦିଶୁଛି। ହେଲେ ଏ ପାଣିରେ ଆଉ ଶାନ୍ତି ନାହିଁ। କାରଣ ତା’ କୂଳରେ ଛାଡ଼ି ଯାଇଥିବା ଦୁଃଖ ଏବେ ଚିତ୍କାର କରୁଛି। କେତେ କେତେ ସ୍ବପ୍ନ, କେତେ କେତେ ଜୀବନର ଶେଷ ଚିହ୍ନକୁ ଗର୍ଭରେ ଲୀନ କରିଦେଇଛି। କେଡ଼େ କେଡ଼େ ସହରର ଠିକଣାକୁ କାଦୁଅ ଭିତରେ ହଜେଇ ଦେଇଛି। କିଛି ଘଣ୍ଟାରେ ଏହି ନଦୀ କୂଳ ଚିହ୍ନିଲାନି…ରାସ୍ତା ଚିହ୍ନିଲାନି…ଘର ଚିହ୍ନିଲାନି…ମଣିଷ ଚିହ୍ନିଲାନି। ଭୋଟେକୋଶୀରୁ ତ୍ରିଶୂଳୀ । ଆଉ ତ୍ରିଶୂଳୀରୁ ତଳକୁ। ଛାରଖାର କରିଦେଲା, ଖିନଭିନ୍ କରିଦେଲା। ତିନିଦିନ ହେଲା ସେହି ନଦୀତଟରେ ଚାଲିଛି ମଣିଷ ଖୋଜା ଅଭିଯାନ। ରସୱା ଅଂଚଳରେ ଘରର ଛାତ ତ ଦିଶୁଛି …କିନ୍ତୁ ଆଉ ଘର ଦିଶୁନି। ଦୁଇ ମହଲା କୋଠା କାଦୁଅ ଭିତରେ ବୁଡ଼ିଛି। କାଲି ଏଠି କାହାର ଘର ଥିଲା, କାହାର ବ୍ୟବସାୟ ଥିଲା, କାହାର ସ୍ୱପ୍ନ ଥିଲା, କାହାର ପରିବାର ଥିଲା । ଆଜି ଆଜି ସବୁକିଛିର ଠିକଣା ଏଇ କାଦୁଅ। ପାହାଡ଼ି ପ୍ରଳୟ ଘର ଭାଙ୍ଗିନି ତ, ସତେ ଯେମିତି ପୂରା ଜୀବନକୁ ଓଲଟାଇ ଦେଇଛି। ପାଣି ଚାଲିଗଲା…କିନ୍ତୁ ଯେଉଁ ଦାଗ ଛାଡ଼ିଗଲା, ଦେଖିଲେ ଲାଗୁଛି ଏଠି କେବେ ଗୋଟିଏ ସହର ଥିଲା ।

ଏହା ହେଉଛି ସେହି ପ୍ରଳୟର ଆଉ ଗୋଟିଏ ପ୍ରମାଣ। କାଦୁଅ ତଳେ ଚାପି ହୋଇଥିବା ଚକ, ଭାଙ୍ଗିଯାଇଥିବା ଗାଡ଼ି, ଛିନ୍ଭିନ୍ ଜିନିଷପତ୍ର । ଏହାରି ଭିତରେ ଜୀବନକୁ ଖୋଜୁଛନ୍ତି ରେସ୍କ୍ୟୁ ଟିମ । ଯେତେ ମାଟି ହଟୁଛି ସେତେ ଗୋଟିଏ ଗୋଟିଏ କାହାଣୀ ବାହାରୁଛି। ନେପାଳ ପୋଲିସର ଅପଡେଟ୍ ଅନୁସାରେ, ବନ୍ୟାରେ ମୃତ୍ୟୁସଂଖ୍ୟା ୫୫୦ ପାର୍ କଲାଣି । ନିଖୋଜଙ୍କ ସଂଖ୍ୟା ହଜାର ହଜାର । ନୁୱାକୋଟ୍ ସୋଲେ ଗାଁର ପ୍ରାୟ ୨୫ଟି ଘର, ବେତ୍ରାବତୀରେ ପ୍ରାୟ ୯୦ ପ୍ରତିଶତ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ୧୦ ହଜାର ପରିବାର ଘର ହରାଇଛନ୍ତି। ୨୫ରୁ ଅଧିକ ପାହାଡ଼ି ଗାଁ କାଦୁଅ ତଳେ ପୋତି ହୋଇଯାଇଛି । ବାକି କ୍ଷୟକ୍ଷତିର ଆକଳନ କରିବା ସମ୍ଭବ ହେଉନି । ବିଭିନ୍ନ ସ୍ଥାନରେ ଫସିଥିବା ୩ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ବିଶେଷକରି ନଦୀ କୂଳ, ତଳି ଅଞ୍ଚଳ ଓ ଧ୍ୱଂସାବଶେଷ ଭିତରୁ ନିଖୋଜଙ୍କୁ ଖୋଜାଯାଉଛି। ଶତାଧିକ ସୁରକ୍ଷାକର୍ମୀ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିଶେଷ କରି କାଦୁଅ ହଟାଇବା ଓ ରାସ୍ତା ମରାମତି କରିବାକୁ ପ୍ରାଥମିକତା ଦିଆଯାଉଛି ।

ଦିନେ ଏ କାଦୁଅ ଶୁଖିଯିବ। ରାସ୍ତା ପୁଣି ତିଆରି ହେବ । ଘର ବି ଗଢି ଉଠିବ । ନଦୀ ପୁଣି ଶାନ୍ତ ହୋଇ ବହିବ । ପାହାଡ଼ର ସବୁଜିମା ମନ କିଣିବ। ହେଲେ କାଦୁଅ ଭିତରେ ପୋତି ହୋଇଯାଇଥିବା ଜୀବନର କାହାଣୀ ନେପାଳ କେବେ ବି ଭୁଲିପାରିବନି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।