Odisha Government Transfers Subhadra Instalment: ରାକ୍ଷୀରେ ଆସିଲା ସୁଭଦ୍ରା କିସ୍ତି, ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିଲା ଟଙ୍କା
ରାକ୍ଷୀରେ ଆସିଲା ସୁଭଦ୍ରା କିସ୍ତି। ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନାରେ ଟଙ୍କା। ଆଜି ଡିବିଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ରୁ ପଠାଇଛନ୍ତି ୫ ହଜାର କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନଙ୍କ ସାମଗ୍ରିକ ବିକାଶ ଓ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରି ସେମାନଙ୍କ ଆତ୍ମବିଶ୍ୱାସକୁ ନୂଆ ଶକ୍ତି ଦେଇଛି ସୁଭଦ୍ରା। ଆଉ ଦେଶରେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିରେ ଉଦାହାରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରି ସୁଭଦ୍ରା ଯୋଜନା ଆଜି ପ୍ରତ୍ୟେକ ପରିବାରରେ ସମୃଦ୍ଧି ଆଣିଛି। ଏହି ସହାୟତା ମହିଳାଙ୍କ ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ଼ କରିବ। ଘରର ଚାରି କାନ୍ଥ ଭିତରୁ ବାହାରି ମହିଳାମାନେ ନିଜ ବ୍ୟବସାୟ ଗଢ଼ୁଛନ୍ତି। ମାଛଚାଷ, କୁଟୀର ଶିଳ୍ପ, ହସ୍ତଶିଳ୍ପ, ମକାଠାରୁ ମିଲେଟ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟରେ ଏହି ସହାୟତା ରାଶିକୁ ଉପଯୋଗ କରି ଲକ୍ଷପତି ଦିଦି ହୋଇପାରୁଛନ୍ତି। ସେପଟେ ଏବେ ଆଉ ଲକ୍ଷପତି ନୁହେଁ, ମହା ଲକ୍ଷପତି ଅର୍ଥାତ ବର୍ଷକୁ 10 ଲକ୍ଷ ଟଙ୍କା ରୋଜଗାର କରିବା ଦିଗରେ ମହିଳାମାନେ ପ୍ରୟାସ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ 2027 ସୁଦ୍ଧା 27 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଯେଉଁ ଟାର୍ଗେଟ୍ ଥିଲା, ତାହା ଗୋଟିଏ ବର୍ଷ ଆଗରୁ ପୂରଣ ହୋଇ ସାରିଛି। ଆଉ ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ସୂଚାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ନୟାଗଡ଼ ଲାଠିପଡ଼ାରେ ସୁଭଦ୍ରା ସହୟାତା ରାଶି ପ୍ରଦାନ ମଞ୍ଚରେ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀମାନେ ଋଣ ନେବାକୁ ଚାହିଁବେ, ସେମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି। ପ୍ରତିବର୍ଷ 20 ହଜାର କୋଟି ଟଙ୍କାର ଲୋନ୍ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିଛି। ସେହିଭଳି ‘ସୁଭଦ୍ରା’ର ଏ ସମ୍ବଳ ନାରୀଶକ୍ତିର ସ୍ୱାବଲମ୍ବନ, ସମ୍ମାନ ଓ ସଶକ୍ତିକରଣର ସଂକଳ୍ପକୁ ଆହୁରି ସୃଦୃଢ଼ କରୁଛି ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଥିଲେ ସୁଭଦ୍ରା ଯୋଜନାର ସହାୟତା ରାଶି ଲକ୍ଷ ଲକ୍ଷ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଭରି ପାରିଛି। ଆଉ ଏପଟେ ସୁଭଦ୍ରା ଯୋଜନା ସେମାନଙ୍କ ଜୀବନରେ କେତେ ଉନ୍ନତି ଓ ପରିବର୍ତ୍ତନ ଆଣିଛି, ତାହା ଆଜି ସମାବେଶରେ ବଖାଣିଥିଲେ ଉପକୃତ ହୋଇଥିବା ବହୁ ସ୍ବାବଲମ୍ବୀ ମହିଳା।
ଏଣେ ସୁଭଦ୍ରା ଯୋଜନାରେ ପୂର୍ବରୁ ସାମିଲ ହୋଇନପାରି ଏବେ ନୂଆ କରି ସାମିଲ ହୋଇଥିବା ମହିଳାଙ୍କୁ ଏକକାଳୀନ ୫ଟି କିସ୍ତିରେ ୨୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।