Separation of Powers: ବିଚାରାଧୀନ ମାମଲା ଉପରେ ଆଲୋଚନା ହୋଇପାରିବନି: ରାହୁଲ ଗାନ୍ଧିଙ୍କୁ CJIଙ୍କ ଜବାବ
ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପାଇଁ ଆସିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଚାରାଧୀନ ମାମଲା ସମ୍ପର୍କରେ ଆଲୋଚନା ପାଇଁ ବୈଠକ କରିବା ଭାରତୀୟ ସମ୍ବିଧାନର କ୍ଷମତା ପୃଥକୀକରଣ (Separation of Powers) ନୀତିର ବିରୋଧୀ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅକ୍ଟୋବର ୧୧ ତାରିଖରେ ଲେଖିଥିବା ଚିଠିରେ CJI ସୂର୍ଯ୍ୟକାନ୍ତ ଏହି ନିଷ୍ପତ୍ତି ଜଣାଇଛନ୍ତି। ଅକ୍ଟୋବର ୧୨ରେ ଇଣ୍ଡି ମେଣ୍ଟ ବ୍ଲକ୍ର ସୁପ୍ରିମକୋର୍ଟ ଅଭିମୁଖେ ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ରାହୁଲ ଗାନ୍ଧି ଓ ଖଡ଼ଗେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଭୋଟ୍ ଚୋରି ଅଭିଯୋଗ, ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟା ବନ୍ଦ କରିବା ଏବଂ ପେପର୍ ବାଲଟ୍ ବ୍ୟବସ୍ଥାକୁ ଫେରାଇ ଆଣିବା ଭଳି ପ୍ରସଙ୍ଗ ସ୍ମାରକପତ୍ରରେ ରହିବାର ଥିଲା।
କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସେଗୁଡ଼ିକ ଉପରେ ପୃଥକ ବୈଠକରେ ଆଲୋଚନା କରିବା ଉଚିତ ହେବ ନାହିଁ ବୋଲି CJI କହିଛନ୍ତି। ଏଭଳି ବୈଠକ ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶ ଥିବା କ୍ଷମତା ପୃଥକୀକରଣ ନୀତିର ଉଲ୍ଲଂଘନ କରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସ୍ମାରକପତ୍ର ବଦଳରେ ଆବେଦନ କରିବାକୁ ପରାମର୍ଶ
CJI ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ନେତାମାନେ ଉଠାଇଥିବା ପ୍ରସଙ୍ଗର ସମାଧାନ ପାଇଁ ସୁପ୍ରିମକୋର୍ଟର ପ୍ରଶାସନିକ କ୍ଷମତା ନାହିଁ। ତେବେ ନାଗରିକଙ୍କ ଅଧିକାର ସହ ଜଡ଼ିତ ପ୍ରସଙ୍ଗକୁ ଆଇନ ଅନୁଯାୟୀ ନ୍ୟାୟିକ ପ୍ରକ୍ରିୟାରେ ବିଚାର କରିବାକୁ କୋର୍ଟ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶାସନିକ ସ୍ତରରେ ସ୍ମାରକପତ୍ର ଦେବା ପରିବର୍ତ୍ତେ ସୁପ୍ରିମକୋର୍ଟର ନ୍ୟାୟିକ କ୍ଷମତାର ଆଶ୍ରୟ ନେବା ଉଚିତ ବୋଲି CJI ପରାମର୍ଶ ଦେଇଛନ୍ତି।
ସେମାନେ ଚାହିଁଲେ ସୋମବାର ସକାଳ ୧୦ଟା ୩୦ରୁ ଅପରାହ୍ନ ୪ଟା ୩୦ ମଧ୍ୟରେ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ଆବେଦନ ଦାଖଲ କରିପାରିବେ। ଏହା ସହ ଇ-ଫାଇଲିଂ ମାଧ୍ୟମରେ ଯେକୌଣସି ସମୟରେ ଆବେଦନ କରିବାର ବିକଳ୍ପ ମଧ୍ୟ ରହିଛି। ଆଇନ ଅନୁଯାୟୀ, ଆବେଦନର ଯଥାଶୀଘ୍ର ଶୁଣାଣି କରାଯିବ ବୋଲି CJI ଆଶ୍ୱାସନା ଦେଇଛନ୍ତି। ସମାନ ପ୍ରସଙ୍ଗ ସହ ଜଡ଼ିତ ମାମଲାଗୁଡ଼ିକର ଶୁଣାଣି ମଙ୍ଗଳବାର ହେବାର ଥିବା କଥା ମଧ୍ୟ ସେ ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।