Serial Theft Attempts Raise Fear: ଘର ପଛପଟ ଗ୍ରିଲ୍ ତାଡ଼ି ଲୁଟ୍; ୫ ତୋଳା ସୁନା ସହ ୭୦ ହଜାର ଟଙ୍କା ନେଇ ଚମ୍ପଟ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଘରେ ପଶି ବଡ଼ ଧରଣର ଲୁଟ୍। ପାଇକହ୍ନେଇପୁର ଗାଁରେ ଜଣେ ମହିଳାଙ୍କ ଘରୁ ୫ ତୋଳା ସୁନା ଗହଣା ସହ ନଗଦ ୭୦ ହଜାର ଟଙ୍କା ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଘଟଣା ପରେ ଗାଁରେ ଚୋରିକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ପାଇକହ୍ନେଇପୁର ଗାଁରେ ପୂର୍ବରୁ ମଧ୍ୟ ତିନିଜଣଙ୍କ ଘରେ ଲୁଟ୍ ଉଦ୍ୟମ ହୋଇଥିଲା। ତେବେ ଦୁର୍ବୃତ୍ତଙ୍କ ଉଦ୍ୟମ ବିଫଳ ହୋଇଥିଲା। ଏହାପରେ ସେମାନେ ବେଙ୍ଗବତୀ ସାସମଲଙ୍କ ଘରକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି।
ପରିବାର ଲୋକେ ଦାଣ୍ଡ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘର ପଛପଟେ ପହଞ୍ଚିଥିଲେ। ସେଠାରେ ଥିବା ଗ୍ରିଲ୍ ଓ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଏହାପରେ ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ।
ଦୁର୍ବୃତ୍ତମାନେ ପ୍ରାୟ ୫ ତୋଳା ସୁନା ଗହଣା ଏବଂ ନଗଦ ୭୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।
ସକାଳୁ ଜଣାପଡ଼ିଲା ଲୁଟ୍
ସକାଳୁ ପରିବାର ଲୋକେ ଘରର ଅବସ୍ଥା ଦେଖିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରାଯାଇଛି।
ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ପଛରେ କିଏ ଅଛି ଏବଂ ଦୁର୍ବୃତ୍ତମାନେ କେଉଁ ଆଡକୁ ଫେରାର ହୋଇଛନ୍ତି, ସେନେଇ ତଦନ୍ତ କରାଯାଉଛି। ଖୁବଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।