Seven Days of Flood Fury: ଦୁଃଖ ଦେଉଛି ବନ୍ୟା, ଆଳି ଧୋୟା ଅଞ୍ଚଳରେ ୭ ଦିନ ହେଲା ସ୍କୁଲ ବନ୍ଦ
କେନ୍ଦ୍ରାପଡା ଆଳି ଧୋୟା ଅଞ୍ଚଳରେ ୬୦ରୁ ଉର୍ଦ୍ଧ୍ବ ସ୍କୁଲ ପାଣି ଘେରରେ। ଖରସ୍ରୋତା ଓ କାଣୀ ନଦୀରେ ଜଳସ୍ତର ଧୀରେ ଧୀରେ କମୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଆଳି ଧୋୟା ଅଞ୍ଚଳରେ ଏବେବି ଅନେକ ଗାଁ ପାଣି ଘେରରେ ରହିଛି। ୧୦ଟି ପଞ୍ଚାୟତରେ ୬୦ରୁ ଉର୍ଦ୍ଧ୍ବ ସ୍କୁଲ ଭିତରେ ପାଣି ପଶିଛି। ଫଳରେ ୭ ଦିନ ହେବ ସ୍କୁଲ ଗୁଡିକ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ା ଠପ ହୋଇଯାଇଛି।
ଭଦ୍ରକ ଜିଲ୍ଲା ବାସୁଦେବପୁରରେ ମାସକ ଭିତରେ ଚାରି ଚାରି ଥର ବନ୍ୟା। ଲଘୁଚାପ ବର୍ଷା ସାଙ୍ଗକୁ ବନ୍ୟା ଉଜାଡ଼ି ଦେଇଛି ଚାଷଜମି, ବାସହରା କରିଛି ବହୁ ପରିବାରକୁ। ବନ୍ୟା ପାଣି କମିଥିଲେ ବି ଏବେ ବି ଜଳବନ୍ଦୀ ଜୀବନ କାଟୁଛନ୍ତି ବାସୁଦେବପୁର ବ୍ଲକ ଅଞ୍ଚଳର ଅନେକ ପରିବାର। ବନ୍ୟା ବଢ଼ିବାରୁ ଘରେ ପାଣି ପଶିବା ପରେ ଅନେକ ପରିବାର ଘର ଛାଡ଼ି ଉଚ୍ଚା ସ୍ଥାନରେ ଆଶ୍ରୟ ନେଇଥିଲେ । ଏବେ ପାଣି କମିଛି, ହେଲେ ଘରର ଅବସ୍ଥା ସଙ୍ଗୀନ। ଘର ଭିତରେ ପାଣି ଓ କାଦୁଅ, ଶୁଖିଲା ଜାଗା ନାହିଁ। ଉଠା ଚୁଲିରେ ରୋଷେଇ କରିବା ସହ ଖଟ ଉପରେ ପିଲାଛୁଆଙ୍କୁ ଧରି ଦିନ କାଟୁଛନ୍ତି ବିପନ୍ନ ପରିବାର। ଆଜି ବି ବାଉଁଶ ଭେଳା ଉପରେ ଯାତାୟତ କରୁଛନ୍ତି ଲୋକେ।
ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିଚବାମନପୁର ଗାଁରେ ଏବେ ବନ୍ୟା ସାଙ୍ଗକୁ କୁମ୍ଭୀର ଓ ସାପର ଭୟ। ଘର ଆଗରେ ଜାଲ ଟାଙ୍ଗି ସୁରକ୍ଷିତ ରହିବାକୁ ଚେଷ୍ଟା କରୁଛନ୍ତି ବନ୍ୟା ବିପନ୍ନ। ବନ୍ୟାର ପ୍ରକୋପ କମିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନି। ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି ବିପନ୍ନ ପରିବାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।