Severe Cyclone Murasu Approaches Andhra Coast: ମାଡ଼ି ଆସୁଛି ଭୀଷଣ ବାତ୍ୟା ମୁରାସୁ, ଆଜି ମଧ୍ୟରାତିରେ ହେବ ଲ୍ୟାଣ୍ଡଫଲ୍
୬ ଦିନ ତଳେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ମାଡ଼ରେ ଆକ୍ତାମାକ୍ତା ଆନ୍ଧ୍ର ପ୍ରଦେଶ, ଅଣ୍ଟା ସଳଖି ଛିଡ଼ା ହେବା ପୂର୍ବରୁ ପୁଣିଥରେ ସାମ୍ନା କରିବାକୁ ଯାଉଛି ଆଉ ଏକ ବାତ୍ୟାକୁ।
ଭୀଷଣ ବାତ୍ୟା ମୁରାସୁ ଉପକୂଳର ଯେତିକି ନିକଟତର ହେଉଛି, ବର୍ଷା ପରିମାଣ ଓ ପବନର ଗତି ସେତିକି ତୀବ୍ର ହେଉଛି।
ବାତ୍ୟା ଆସିବା ପୂର୍ବରୁ ଆନ୍ଧ୍ର ପ୍ରଦେଶ ନେଲୋର୍ ନିକଟ ସମୁଦ୍ରରେ ଉଠିଲାଣି ବଡ଼ ବଡ଼ ଢେଉ।
ଦୋହଲିଲାଣି ଗଛପତ୍ର।
ଡଙ୍ଗା ସବୁ କୂଳରେ ବାନ୍ଧି ନିରାପଦ ସ୍ଥାନକୁ ଚାଲି ଯାଇଛନ୍ତି ମତ୍ସ୍ୟଜୀବୀ।
ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ମୁରାସୁ ଏକ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମ ରୂପରେ ଆନ୍ଧ୍ରର ନେଲୋର୍ ଓ ନର୍ସାପୁର ମଧ୍ୟରେ, ଅଙ୍ଗୋଲର ଦକ୍ଷିଣରେ ସ୍ଥଳଭାଗକୁ ଅତିକ୍ରମ କରିବ।
ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି, ଆଉ ଝଟକା ପବନ ୧୨୦ କିମି ରହିବାର ସମ୍ଭାବନା ରହିଛି।
ଏହାପରେ ଘୂର୍ଣ୍ଣିବାତ୍ୟାଟି ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଇଛି।
ବାତ୍ୟା ପ୍ରଭାବରେ ଆନ୍ଧ୍ରକୁ ଲାଗି ରହିଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ।
ଝଟକ ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।
Advertisment ବାତ୍ୟା ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।
ଆସନ୍ତାକାଲିଠାରୁ ଏହି ପରିମାଣ ବଢ଼ିବ।
କାଲି ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏସବୁ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପବନର ବେଗ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ।
ସେହିପରି ଆସନ୍ତା ୪ ତାରିଖ ପାଇଁ ମଧ୍ୟ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଘାଇଲା ଗଞ୍ଜାମବାସୀଙ୍କୁ ଘାରିଛି ମୁରାସୁ ଡର।
ନଈ କୂଳିଆ ଲୋକଙ୍କୁ ସତର୍କ କରିବା ପାଇଁ ଘନ ଘନ ଚାଲିଛି ମାଇକିଂ।
ଘୋଡ଼ାହାଡ଼ ଜଳ ଭଣ୍ଡାର ଏବଂ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜଳ ଭଣ୍ଡାରର ଦୁଇଟି ଗେଟ୍ କୁ ଆଗୁଆ ଖୋଲି ଦିଆଯାଇଛି।
ଜିଲ୍ଲାରପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟାର ଏକାଧିକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗିଥିବାରୁ ଅଧିକ ବର୍ଷା ହେଲେ ପୁଣି ବନ୍ୟା ସ୍ଥିତିି ଉପୁଜିବାର ଆଶଙ୍କା ରହିଛି l ଏଠାରେ ବି ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନତ କରାଯିବା ସହିତ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ।
Advertisment ଗଜପତି-ଗଞ୍ଜାମ ଜିଲ୍ଲା ସୀମାନ୍ତ ବେଲଗଡ଼ ଗାଁରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ହୋଇ ଗାଁ ଠାରୁ ମାତ୍ର କିଛି ଦୂରରେ ଥିବା ତପ୍ତପାଣି ଘାଟି ରାସ୍ତାରେ ବଡ଼ବଡ଼ ପଥର ଓ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିଲା।
ପୁଣି ଏକ ବାତ୍ୟା ଖବର ଶୁଣିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ସେପଟେ ପାହାଡିଆ ଅଂଚଳରେ ବାଇକ୍ ରେ ବୁଲି ବୁଲି ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି ଖୋଦ୍ ଗଜପତି ଜିଲ୍ଲାପାଳ।
ଭୂସ୍ଖଳନ ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଜେସିବି ମେସିନ୍ ସହିତ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି।...
ପଡ଼ୋଶୀ ରାୟଗଡ଼ା ଜିଲ୍ଲାରେ ବି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ସଜାଗ ଅଛନ୍ତି ଓଡ୍ରାଫ୍, ଏନ୍ଡିଡିଆର୍ଏଫ୍ ଓ ଅଗ୍ନିଶମ ଟିମ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।