Shah Rukh Khan Remains India's Richest Actor: ହୁରୁନ୍ ଲିଷ୍ଟରେ ଶାହରୁଖଙ୍କ ଦବଦବା; ସବୁଠୁ ଧନୀ ଅଭିନେତା, ଜାଣନ୍ତୁ ତାଙ୍କର କେତେ ସମ୍ପତ୍ତି
ପୁଣି ଥରେ ଭାରତର ସବୁଠୁ ଧନୀ ଅଭିନେତା ଭାବେ ତାଲିକାର ଶୀର୍ଷରେ ସ୍ଥାନ ପାଇଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍। ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୬ ଅନୁସାରେ, ଶାହରୁଖ ଖାନଙ୍କ ଆନୁମାନିକ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦,୦୦୦ କୋଟି ଟଙ୍କା। ଫିଲ୍ମ ଅଭିନୟ ବ୍ୟତୀତ ତାଙ୍କର ବ୍ୟବସାୟିକ ନିବେଶ, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ନାଇଟ୍ ରାଇଡର୍ସ ସ୍ପୋର୍ଟସ୍ ସହ ଅନ୍ୟାନ୍ୟ ସମ୍ପତ୍ତିକୁ ମଧ୍ୟ ଏହି ଆକଳନରେ ସାମିଲ କରାଯାଇଛି।
ତେବେ ଗତବର୍ଷ ତୁଳନାରେ ଶାହରୁଖଙ୍କ ଆନୁମାନିକ ସମ୍ପତ୍ତି କମିଥିବା ହୁରୁନ୍ ତଥ୍ୟରୁ ଜଣାପଡ଼ିଛି। ୨୦୨୫ର ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୨,୪୯୦ କୋଟି ଟଙ୍କା ଆକଳନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟରେ ଶାହରୁଖଙ୍କ ସମ୍ପତ୍ତି ୧୦,୮୦୦ କୋଟି ଟଙ୍କା ଦର୍ଶାଯାଇଛି।
ଧନୀ ଭାରତୀୟ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନଙ୍କ ପରେ ରହିଛନ୍ତି ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ। ହୁରୁନ୍ ରିଚ୍ ଲିଷ୍ଟ-୨୦୨୬ ଅନୁସାରେ, ତାଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୪,୦୦୦ କୋଟି ଟଙ୍କା। ୨୦୨୫ରେ ଅମିତାଭଙ୍କ ସମ୍ପତ୍ତି ୧,୬୩୦ କୋଟି ଟଙ୍କା ଆକଳନ କରାଯାଇଥିଲା।
ହୁରୁନ୍ ରିପୋର୍ଟ ଅନୁସାରେ, ପରିବାରର ଫ୍ୟାମିଲି ଅଫିସ୍ ମାଧ୍ୟମରେ କରାଯାଇଥିବା ନିବେଶ ଅମିତାଭଙ୍କ ସମ୍ପତ୍ତିର ଏକ ପ୍ରମୁଖ ଅଂଶ। ଏହା ବ୍ୟତୀତ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତି ଏବଂ ବିଭିନ୍ନ କମ୍ପାନୀରେ ନିବେଶ ଯୋଗୁଁ ମଧ୍ୟ ତାଙ୍କ ସମ୍ପତ୍ତି ବଢିଛି।
ଏହି ତାଲିକାରେ ଅଭିନେତା ହ୍ରିତିକ୍ ରୋଶନଙ୍କ ନାଁ ମଧ୍ୟ ରହିଛି। ହ୍ରିତିକଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୨,୫୦୦ କୋଟି ଟଙ୍କା ବୋଲି ହୁରୁନ୍ ରିପୋର୍ଟରେ ଦର୍ଶାଯାଇଛି। ୨୦୨୫ରେ ଏହା ୨,୧୬୦ କୋଟି ଟଙ୍କା ଥିଲା। ତାଙ୍କ ଫିଟନେସ୍ ଓ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ HRX ମଧ୍ୟ ତାଙ୍କ ସମ୍ପତ୍ତିର ଏକ ପ୍ରମୁଖ ଉତ୍ସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।