Sindhu: ବୁଲାବୁଲି: ଇଏ ତ ଅମୃତଜୀବନ ସିନ୍ଧୁ
ଚିତ୍ତରଞ୍ଜନ ଚିରଞ୍ଜିତ
ଗୋଟିଏ ସଭ୍ୟତା କାହିଁକି ଯୁଗ ଯୁଗ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟେ? ଇତିହାସ ପୃଷ୍ଠାରେ କାହିଁକି ଅଧିକ ଗୁରୁତ୍ବ ବହନ କରେ? ସେହିପରି ଗୋଟିଏ ସ୍ଥାନ କାହିଁକି ସଦାସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ? ଦୂରଦୂରାନ୍ତ ଲୋକଙ୍କୁ କାହିଁକି ତା’ ପିଠିରେ ପାଦ ଥାପିବାକୁ ନିରବରେ ଆମନ୍ତ୍ରଣ କରେ? ସେହି ସଭ୍ୟତା, ସେହିସ୍ଥାନର ଯେ ସ୍ବାତନ୍ତ୍ର୍ୟ ରହିଛି, ଏହି ସବୁ ପ୍ରଶ୍ନରୁ ହିଁ ସ୍ପଷ୍ଟ ହୋଇଯାଏ। ପ୍ରତ୍ୟେକ ଦେଶ ଓ ସାରା ବିଶ୍ବରେ ଏହିଭଳି ସଭ୍ୟତା ଓ ସ୍ଥାନ ରହିଛି। ଧର୍ମ, ଦର୍ଶନ ଓ ଐତିହ୍ୟର ତ୍ରିବେଣୀ ସଙ୍ଗମ ଘଟିଥିବା ଏଭଳି ଏକ ସ୍ଥାନ ହେଉଛି ପୁଡୁଚେରୀ ଓ ଏହାର ଅନତିଦୂରରେ ଅବସ୍ଥିତ ‘ଅରୋଭିଲ୍’। ନିକଟରେ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଏକ ଗଣମାଧ୍ୟମ ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲହୋଇ ଏହି ସ୍ଥାନକୁ ଦେଖିବାର ସୁଯୋଗ ମିଳିଲା।
Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ
ଚେନ୍ନାଇଠାରୁ ୧୬୩ କି.ମି. ଦୂରରେ ଅବସ୍ଥିତ ପୁଡୁଚେରୀ (ପଣ୍ଡିଚେରୀ ଭାବେ ଏକଦା ଖ୍ୟାତ ଥିଲା)। ସର୍ପିଳ ରାସ୍ତା ଆଗକୁ ବାଟ କଢ଼ାଇ ନେବା ବେଳେ ବାଟରେ ପଡ଼େ ‘ମହାବଳୀପୁରମ୍’। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ପଲ୍ଲବ ରାଜବଂଶ ଦ୍ବାରା ନିର୍ମିତ ମନ୍ଦିର ଓ ସ୍ମାରକୀ ପାଇଁ ଏହା ଖ୍ୟାତ। ତା’ ସହିତ ପ୍ରସ୍ତର ଖୋଦିତ ସ୍ଥାପତ୍ୟମାଳା ଏହି ସ୍ଥାନର ସୌନ୍ଦର୍ଯ୍ୟର ଅନନ୍ୟ ପ୍ରତୀକ। କୁହାଯାଏ, ଦକ୍ଷିଣ ଭାରତରେ ଦ୍ରାବିଡ଼ୀୟ ବାସ୍ତୁକଳାର ଭିତ୍ତି ଏହିଠାରେ ପଡ଼ିଥିଲା। ଯେଉଁଠି ସମୁଦ୍ର ମଥାପିଟି ଇତିହାସର ଜାଜ୍ବଲ୍ୟମାନ ଗାଥାକୁ କହିଚାଲେ, ସେଇଠି ନିର୍ମିତ ହୋଇଛି କଳା ମଚ ମଚ ଗ୍ରାନାଇଟ୍ର ଭବ୍ୟ ମନ୍ଦିର। ଖ୍ରୀ. ଅ. ୭୨୮ରେ ନିର୍ମିତ ଏହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶିବ। ପୁଣି ଏଠାରେ ଭଗବାନ ଶିବଙ୍କ ସହ ଭଗବାନ ବିଷ୍ଣୁ ବି ବିରାଜିତ। ମହାବଳୀପୁରମ୍ର ‘ଲବଣି ପେଣ୍ଡୁ’ ଓ ‘ପାଣ୍ଡବରଥ’ ମହାଭାରତର ଘଟଣାବଳୀକୁ ଉଜ୍ଜୀବିତ କରେ। ସ୍ଥାନୀୟ ଲୋକ କହନ୍ତି, ଏହି ବଟର୍ବଲ୍ ବା ‘ଲବଣି ପେଣ୍ଡୁ’ ରୂପକ ବିରାଟ ବର୍ତ୍ତୁଳାକାର ପଥର ହେଉଛି ଭଗବାନ କୃଷ୍ଣଙ୍କ ପାଟିରୁ ଖସି ପଡ଼ିଥିବା ବୁନ୍ଦାଏ ଲହୁଣି। ବାସ୍ତବରେ ଏହା ହେଉଛି ଏକ ‘ସନ୍ତୁଳିତ ପଥର’, ଯାହାର ପ୍ରସ୍ଥ ୬ ମିଟର୍, ଲମ୍ବ ୫ ମିଟର୍ ଓ ମାତ୍ର ଦେଢ଼ମିଟର୍ ପରିମିତ ସ୍ଥାନରେ ଏହା ଅବିଚଳ ଦଣ୍ଡାୟମାନ। ୧୯୩୪ ମସିହାରେ ବ୍ରିଟିସ୍ମାନେ ଏହାକୁ ଟାଣିବାକୁ ବହୁଚେଷ୍ଟା କରିଛନ୍ତି, ପରବର୍ତ୍ତୀ ସମୟରେ ସୁନାମି ସମେତ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି, ମାତ୍ର ଏହା ଇଞ୍ଚେ ମାତ୍ର ବି ଘୁଞ୍ଚିନି କି ଗଡ଼ିପଡ଼ିନି। ସେହିପରି ଅଜ୍ଞାତବାସ ସମୟରେ ପାଣ୍ଡବମାନେ ଏଠାରେ ପହଞ୍ଚିଥିଲେ ଏବଂ ସେମାନେ ଚଢୁଥିବା ପାଞ୍ଚଟି ରଥର ପୌରାଣିକ ସ୍ବାକ୍ଷର ରହିଛି। ଗୋଟିଏ ଗୋଟିଏ ପଥରରେ ତିଆରି ହୋଇଛି ଏହି ପଞ୍ଚରଥ, ଯାହା କି ଏହି ସ୍ଥାନର ପ୍ରାଚୀନତାକୁ ମହିମାନ୍ବିତ କରିଥାଏ।
ସତେ ଯେମିତି ମହାବଳୀପୁରମ୍ ହେଉଛି ପୁଡୁଚେରୀର ଏକ ସାମଞ୍ଜସ୍ୟବିଶିଷ୍ଟ ପ୍ରବେଶ ଦ୍ବାର। ସାମଞ୍ଜସ୍ୟ କହିଲେ କେବଳ ସହର କି ସମୁଦ୍ର ଭଳି ବାହ୍ୟସତ୍ତା ନୁହେଁ, ବରଂ ଧର୍ମ, ଦର୍ଶନ ଓ ଇତିହାସର ଏକ ଅନ୍ତଃପ୍ରବାହ। କାହିଁକି ଆକର୍ଷଣ ସାଜେ ପୁଡୁଚେରୀ? ଶ୍ରୀଅରବିନ୍ଦଙ୍କ ଆଶ୍ରମ ପାଇଁ, ଫ୍ରାନ୍ସ ଉପନିବେଶ ପାଇଁ ନା ସାମ୍ପ୍ରତିକ ପ୍ରେକ୍ଷାପଟରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଏହାର ରାଜନୈତିକ ପାର୍ଥକ୍ୟ ପାଇଁ? ଆମେ ଓଡ଼ିଆମାନେ ପୁଡୁଚେରୀ ସହ ଯୋଡ଼ିଦେଉ ମନୋଜ ଦାସଙ୍କୁ। ଏହିଠାରେ ଅବସ୍ଥାନ କରୁଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସ। ଏହା ଅତ୍ୟୁକ୍ତି ହେବନାହିଁ ଯେ, ୧୯୧୦ ଏପ୍ରିଲ୍ ୪ ତାରିଖରେ ଶ୍ରୀଅରବିନ୍ଦ ପହଞ୍ଚିବା ପରେ ପୁଡୁଚେରୀ ଆପେ ଆପେ ରୂପାନ୍ତରିତ ହୋଇଯାଇଛି। ଶ୍ରୀଅରବିନ୍ଦ ସବୁବେଳେ ଚେତନାର ରୂପାନ୍ତରଣ ଉପରେ ଗୁରୁତ୍ବ ଦେଉଥିଲେ। କହୁଥିଲେ, ‘ଆଗକୁ କୌଣସି ଅସ୍ତ୍ର କିମ୍ବା ସରକାର ପରିବର୍ତ୍ତନ ମାଧ୍ୟମରେ କ୍ରାନ୍ତି ଆସିବନି, ବରଂ ଚେତନାର ରୂପାନ୍ତରଣରେ ହିଁ କ୍ରାନ୍ତି ଆସିବ।’ ଏବେ ବି ପୁଡୁଚେରୀର ପ୍ରତିଟି ସୂକ୍ଷ୍ମକଣା ଭିତରେ ସେହି ଚିନ୍ତା ଓ ଚେତନା ଉଦ୍ଭାସିତ। ମାନବୀୟ ଅନ୍ତଃବିବର୍ତ୍ତନର ଏକ ପ୍ରୟୋଗଶାଳା ପାଲଟିଛି ପୁଡୁଚେରୀ।
କୁହାଯାଏ, ସମୟ ହେଉଛି ଅନେକ ପରିବର୍ତ୍ତନର ମୂକସାକ୍ଷୀ। ଏଠାରେ ମଧ୍ୟ ପରିବର୍ତ୍ତନର ସ୍ପର୍ଶ ରହିଛି। ପାର୍ଥକ୍ୟ ହେଉଛି, ପ୍ରତିଟି ପ୍ରାଚୀନ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବାର ପ୍ରତିବଦ୍ଧତାରେ ହିଁ ରହିଛି ପରିବର୍ତ୍ତନର ପ୍ରାଣସ୍ପର୍ଶ। ପୁଡୁଚେରୀ ଚତୁର୍ଥରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ପଲ୍ଲବ, ଚୋଳ ଓ ପାଣ୍ଡ୍ୟ ସାମ୍ରାଜ୍ୟାଧୀନ ଥିଲେ ମଧ୍ୟ ପର୍ତ୍ତୁଗୀଜ୍, ଡଚ୍, ବ୍ରିଟିସ୍ ଓ ଫ୍ରାନ୍ସ ଉପନିବେଶର ଛାପ ଏବେ ବି ବଳବତ୍ତର ରହିଛି। ଫ୍ରେଞ୍ଚ୍ମାନେ ସର୍ବାଧିକ ପାଞ୍ଚଥର ପୁଡୁଚେରୀକୁ ଶାସନ କରିଛନ୍ତି। ପ୍ରଥମେ ୧୬୭୪ରୁ ୧୬୯୩ ମସିହା ଏବଂ ଶେଷରେ ୧୮୧୫ରୁ ୧୯୫୪ ମସିହା ପର୍ଯ୍ୟନ୍ତ। ୧୯୫୪ରେ ସେମାନେ ଯେତେବେଳେ ଭାରତ ଛାଡ଼ିଲେ ସେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ କହିଥିଲେ, ‘ପଣ୍ଡିଚେରୀ ମାଟିରେ ଫ୍ରାନ୍ସ ସଂସ୍କୃତି ଓ ସ୍ବାକ୍ଷର ସର୍ବଦା ଉନ୍ମୁକ୍ତ ରହିବ।’ ଇତିମଧ୍ୟରେ ୭୨ ବର୍ଷ ଅତିକ୍ରମ କରିବାକୁ ବସିଥିବା ବେଳେ ସେହି ଉଦ୍ଘୋଷଣା ସହରର ଛତ୍ରେ ଛତ୍ରେ ଉଜ୍ଜୀବିତ ହୋଇରହିଛି। ଇନ୍ଟାକ୍ର ଅଶୋକ ପଣ୍ଡା, ଯିଏ ଜଣେ ଓଡ଼ିଆ, କହନ୍ତି, ‘‘ଏଠାରେ ବାସଗୃହଠାରୁ ଆରମ୍ଭକରି ସ୍କୁଲ୍, ହୋଟେଲ୍ ପର୍ଯ୍ୟନ୍ତ ସବୁ ନିର୍ମାଣକାର୍ଯ୍ୟରେ ପ୍ରାଚୀନତା ଓ ଐତିହ୍ୟକୁ ଗୁରୁତ୍ବ ଦିଆଯାଉଛି। ଏପରିକି ପ୍ରତିଟି ନବନିର୍ମାଣରେ ବି ସେହି ଐତିହ୍ୟ ଓ ପ୍ରାଚୀନତାର ସ୍ପର୍ଶ ରହିଛି।’’ ଏବେ ବି ଫ୍ରେଞ୍ଚ୍ କଲୋନି ଭାବେ ସହରର ଏହି ଅଞ୍ଚଳ ଗୋଟିଏ ଐତିହାସିକ ଗାଥା ଗାଉଥାଏ ଯେମିତି! ସେହି ଅଞ୍ଚଳରେ ବୁଲୁ ବୁଲୁ ଦୁଇଟି ଜିନିଷ ଆଡ଼କୁ ଟାଣି ହୋଇଗଲୁ। ଗୋଟିଏ ହେଉଛି, ରୋମାନ୍ ରୋଲାଣ୍ଡ୍ ଲାଇବ୍ରେରି, ଯାହା ୧୯୧୫ରେ ନୋବେଲ୍ ପୁରସ୍କାରପ୍ରାପ୍ତ ବିଖ୍ୟାତ ଫ୍ରେଞ୍ଚ୍ ଲେଖକଙ୍କ ନାମରେ ନାମିତ ଓ ଉତ୍ସର୍ଗୀକୃତ। ଦ୍ବିତୀୟ ହେଉଛି, ଫ୍ରାନ୍ସ କନ୍ସୁଲେଟ୍ କାର୍ଯ୍ୟାଳୟ।
Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ
ପୁଡୁଚେରୀଠାରୁ ୧୧ କି.ମି. ଦୂରରେ ‘ଅରୋଭିଲ୍’- ଏଠାରେ ଉପଲବ୍ଧି କରିହୁଏ ଧର୍ମ ଓ ଦର୍ଶନର ପ୍ରବହମାନତା ଏବଂ ବିଶ୍ବ ଐକ୍ୟର ଗରିମାମୟ ଉପସ୍ଥିତି। ‘ୟୁନିଭର୍ସାଲ୍ ଟାଉନ୍ସିପ୍’ ବା ‘ବୈଶ୍ବିକ ନଗରୀ’ ଅରୋଭିଲ୍ରେ ଦେଶବିଦେଶରୁ ଆଗତ ୫୦ ହଜାର ଲୋକ ଏକାଠି ରହି ଶିକ୍ଷା, ସଂସ୍କୃତି, ଗବେଷଣା ଓ କୃଷିରେ ନିୟୋଜିତ ହୋଇ ବିଶ୍ବଭ୍ରାତୃତ୍ବର ନିଦର୍ଶନ ଦେଖାଇପାରିବେ। ଶ୍ରୀଅରବିନ୍ଦଙ୍କ କର୍ମସଂଗିନୀ ଏବଂ ଚିରଶାଶ୍ବତ ଓ ସମର୍ପିତ ଜୀବନର ଅଭିଯାତ୍ରୀ ଶ୍ରୀମା’ଙ୍କର ଏହା ହେଉଛି ପରିକଳ୍ପନା। ‘ଅରୋଭିଲ୍’ ଫାଉଣ୍ଡେସନ୍ର ସଚିବ ଜୟନ୍ତୀ ଏସ୍. ରବି କହନ୍ତି, ‘‘ଶ୍ରୀମା’ଙ୍କ ପରିକଳ୍ପିତ ଅରୋଭିଲ୍ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ନୁହେଁ, ମାନବୀୟତାର ଏକ ଜୀବନ୍ତ ସହାବସ୍ଥାନ। ଏହା ଅସମାପ୍ତ ଶିକ୍ଷା ଓ ନିରନ୍ତର ବିକାଶର ଏକ କ୍ଷେତ୍ରସ୍ଥଳ; ଯେଉଁଠି ଅତୀତ ସହ ଭବିଷ୍ୟତର ସଂଲଗ୍ନତା ରହିଛି।’’
୧୯୬୮ ମସିହାରେ ଏହି ଅରୋଭିଲ୍ ପ୍ରକଳ୍ପ ୧୨୪ଟି ରାଷ୍ଟ୍ର ଓ ଭାରତର ୨୩ଟି ରାଜ୍ୟରୁ ଆସିଥିବା ପ୍ରତିନିଧିଙ୍କ ଗହଣରେ ଉଦ୍ଘାଟିତ ହୋଇଥିଲା। ୧୯୭୩ରେ ଶ୍ରୀମା’ଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ତାଙ୍କ ତତ୍ତ୍ବାବଧାନରେ ଏହା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହି ବୈଶ୍ବିକ ନଗରୀରେ ୫୦ଟି ଦେଶର ୨୩ ହଜାର ଲୋକ ରହୁଛନ୍ତି ଏବଂ ୫୦ ହଜାର ଲୋକ ବସବାସ କରିବାରେ ଲକ୍ଷ୍ୟ ରହିଛି ଏହି ନଗରୀରେ।
ଏହି ସ୍ଥାନର ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ‘ମାତୃମନ୍ଦିର’ ଯାହା ଅରୋଭିଲ୍ର ଆତ୍ମା। ଏହା ହେଉଛି ‘ସାର୍ବଭୌମିକତା’ର ପ୍ରତୀକ, ଆଲୋକ ଓ ଆନନ୍ଦର ସମ୍ମିଶ୍ରଣ। ମାତୃମନ୍ଦିର ଭିତରେ ସୂର୍ଯ୍ୟଙ୍କର ଏକ ରଶ୍ମି ଉଦ୍ଭାସିତ ହୋଇଉଠେ। ସେଇଠି ବି ରହିଛି ‘ଆର୍ଥ ଇନ୍ଷ୍ଟିଚ୍ୟୁଟ୍’, ଯେଉଁଠି ଉନ୍ମୋଚିତ ହେଉଛି ମାଟିରେ ତିଆରି ଘରର ବୈଜ୍ଞାନିକ ରହସ୍ୟ। ଏହି ଅନୁଷ୍ଠାନରେ ୧୦୦ରୁ ଊର୍ଦ୍ଧ୍ବ ଦେଶର ମାଟି ରହିଛି ଏବଂ ଓଡ଼ିଶାରୁ ମଧ୍ୟ ୩ ପ୍ରକାର ମାଟି ସଂଗ୍ରହ କରାଯାଇଛି। ସେଠାରେ ଏବେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଗବେଷଣାରତ। ମହାବଳୀପୁରମ୍, ପୁଡୁଚେରୀ ଓ ଅରୋଭିଲ୍ କେବଳ ଗୋଟିଏଗୋଟିଏ ସ୍ଥାନ ନୁହେଁ, ଜୀବନର ମୂଲ୍ୟବୋଧକୁ ପ୍ରତିଭାତ କରୁଥିବା ଏକ ଏକ ବୈଶ୍ବିକ ପରିବେଶ। ଏଠି ଦର୍ଶନ ଅଛି, ଐତିହ୍ୟ ଅଛି ଓ ଆଧ୍ୟାତ୍ମିକତା ସହ ଐତିହାସିକ, ପୌରାଣିକ ଗାଥା ବି ରହିଛି। ସର୍ବୋପରି ଜୀବନ ଅଛି। ଜୀବନ ହେଉଛି ଶାଶ୍ବତ ଓ ଅମୃତ। ଜୀବନର ସମାହାର ହେଉଛି ସିନ୍ଧୁ ସଦୃଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।