Smit Machchhar Recounts: ସ୍ମିତ୍ ବଖାଣିଲେ ଛାତିଥରା କାହାଣୀ; ୩୪ ହଜାର ଫୁଟ୍ ଉଚ୍ଚରେ ମୃତ୍ୟୁ ସହ ଲଢ଼େଇ, କକପିଟରେ କ’ଣ ଘଟିଥିଲା ?
ସେଦିନ କ’ଣ ଘଟିଥିଲା କକପିଟରେ ? କାହିଁକି ହଠାତ୍ ବଦଳିଗଲା କୋ-ପାଇଲଟର ଆଚରଣ ? ଆଉ କେମିତି ମରଣ ମୁହଁରୁ ଫେରିଲା ଯାତ୍ରୀବାହୀ ବିମାନ ? ସେହି ଭୟଙ୍କର ମୁହୂର୍ତ୍ତର ଗୋଟିଏ ପରେ ଗୋଟିଏ କଥା ବଖାଣିଛନ୍ତି କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର।
ଫ୍ଲାଇଦୁବାଇର FZ1073 ବିମାନ ଦୁବାଇରୁ ତେଲ୍ ଆଭିଭ୍ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ୧୭୪ ଜଣ ଥିବା ବେଳେ ହଠାତ୍ କକପିଟ୍ରେ ଆରମ୍ଭ ହୋଇଥିଲା ଭୟଙ୍କର ଘଟଣାକ୍ରମ। କ୍ୟାପ୍ଟେନ୍ ସ୍ମିତ୍ଙ୍କ କହିବା ଅନୁସାରେ, କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ କକପିଟ୍ରେ ପ୍ରାର୍ଥନା କରିବାକୁ ଚାହିଁଥିଲେ। ସ୍ମିତ୍ ତାଙ୍କୁ ସମ୍ମାନ ଜଣାଇ ସାମ୍ନାକୁ ଚାହିଁ ବିମାନ ଚଳାଇବାରେ ଧ୍ୟାନ ଦେଇଥିଲେ।
ହେଲେ କିଛି ସମୟ ପରେ ହଠାତ୍ ପଛପଟୁ ସ୍ମିତ୍ଙ୍କ ମୁଣ୍ଡରେ ଶକ୍ତ ପ୍ରହାର ହୋଇଥିଲା। ପ୍ରଥମେ ସେ ବୁଝିପାରିନଥିଲେ କ’ଣ ଘଟିଛି। ତା’ପରେ ପୁଣି ପୁଣି ତାଙ୍କ ଉପରେ ଆଘାତ ଆସିଥିଲା। UAE ତଦନ୍ତକାରୀଙ୍କ ଅନୁସାରେ, ଆକ୍ରମଣରେ କକପିଟ୍ର emergency crash axe ବ୍ୟବହାର କରାଯାଇଥିଲା।
ଗୁରୁତର ଆହତ ହୋଇ ସ୍ମିତ୍ କକପିଟରେ ପଡ଼ିଯାଇଥିଲେ। ସେହି ସମୟରେ ବିମାନ ଦ୍ରୁତଗତିରେ ତଳକୁ ଖସିବାକୁ ଲାଗିଥିଲା। ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିନ୍ତୁ ଗୁରୁତର ଆହତ ଅବସ୍ଥାରେ ମଧ୍ୟ ସ୍ମିତ୍ ହାର୍ ମାନିନଥିଲେ।
ଶେଷ ଶକ୍ତି ଲଗାଇ ସେ କକପିଟ୍ ଡୋର୍ ପାଖକୁ ଯାଇଥିଲେ। ପ୍ରଥମ ଚେଷ୍ଟାରେ ସଫଳ ହୋଇନଥିଲେ। ପରେ ପୁଣି ଚେଷ୍ଟା କରି ଡୋର୍ ଖୋଲିବାରେ ସଫଳ ହୋଇଥିଲେ। ଏହାପରେ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ଭିତରକୁ ପଶି କୋ-ପାଇଲଟ୍କୁ କାବୁ କରିଥିଲେ। ବିମାନରେ ଥିବା ଅନ୍ୟ ପାଇଲଟ୍ମାନେ ପରେ କକପିଟ୍ର ନିୟନ୍ତ୍ରଣ ନେଇ ବିମାନକୁ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଇଥିଲେ।
ଘଟଣା ପରେ ଅଭିଯୁକ୍ତ କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀଙ୍କ ପୂର୍ବ ରେକର୍ଡ ଓ ସମ୍ଭାବ୍ୟ ଚରମପନ୍ଥୀ ସମ୍ପର୍କକୁ ନେଇ ତଦନ୍ତ ଚାଲିଛି। କିଛି ରିପୋର୍ଟରେ ତାଙ୍କ ସୋସିଆଲ୍ ମିଡିଆରେ ଉଗ୍ରପନ୍ଥୀ ବିଷୟବସ୍ତୁ ଥିବା କୁହାଯାଇଥିଲେ ମଧ୍ୟ, Al-Qaeda ସହ ସିଧାସଳଖ ସମ୍ପର୍କକୁ ନେଇ ଅଧିକୃତ ଭାବେ ଚୂଡ଼ାନ୍ତ ନିଶ୍ଚିତତା ଆସିନାହିଁ। UAE ଏହି ଘଟଣାକୁ ‘terrorist operation’ ଭାବେ ବର୍ଣ୍ଣନା କରିଛି।
ଅନ୍ୟପଟେ ସ୍ମିତ୍ଙ୍କ ସାହସକୁ ନେଇ ସାରା ବିଶ୍ୱରେ ପ୍ରଶଂସା ହେଉଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ ସହ ଫୋନରେ କଥା ହୋଇ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି। ନେତାନ୍ୟାହୁ ସ୍ମିତ୍ଙ୍କୁ ଇସ୍ରାଏଲ୍ର ସ୍ୱାଧୀନତା ଦିବସ ସମାରୋହରେ ଅତିଥି ଭାବେ ଆସିବା ଏବଂ ମଶାଲ ପ୍ରଜ୍ୱଳନରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି।
ଗୁରୁତର ଆହତ ହେବା ପରେ ସ୍ମିତ୍ଙ୍କୁ ପ୍ରଥମେ ସାଉଦି ଆରବରେ ଚିକିତ୍ସା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ UAEକୁ ସ୍ଥାନାନ୍ତର କରାଯାଇଥିବା ଏବଂ ସେ ସୁସ୍ଥ ହେଉଥିବା ରିପୋର୍ଟ ରହିଛି। ୩୪ ହଜାର ଫୁଟ୍ ଉପରେ ନିଜ ଜୀବନ ବଞ୍ଚାଇବା ସହ ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସ୍ମିତ୍ ଯେଉଁ ସାହସ ଦେଖାଇଥିଲେ, ତାହା ଏବେ ତାଙ୍କୁ ବିଶ୍ୱବ୍ୟାପୀ ପ୍ରଶଂସା ଆଣିଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।