AI-Generated Fake Content Banned: କ୍ୟାମ୍ପସ୍ ନିର୍ବାଚନରେ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ, AI ଫେକ୍କୁ ରୋକ୍
ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଶାଳୀନତା ରକ୍ଷା କରିବାକୁ ହେବ। ପ୍ରକାଶିତ ବିଜ୍ଞପ୍ତିରେ ଏନେଇ ରହିଛି ନିୟମ। ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର ନାହିଁ। ବ୍ୟକ୍ତିଗତ ଆକ୍ରମଣ କରିବେ ନାହିଁ। ଭିତ୍ତିହୀନ ଅଭିଯୋଗ କରିବେ ନାହିଁ ପ୍ରାର୍ଥୀ। ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ମନା। ସେହିପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର ଉପରେ କଡ଼ା କଟକଣା ଜାରି ହୋଇଛି। ...
କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍। ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ତାରିଖ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ୯ ତାରିଖରେ ପ୍ରାର୍ଥୀମାନେ ଭରିବେ ନାମାଙ୍କନ। ସେହିଦିନ ହିଁ ନାମାଙ୍କନ ଯାଞ୍ଚ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୪ରେ ହ୍ବାଏ ଆଇ ଷ୍ଟାଣ୍ଡ୍ ମିଟିଂ ସହିତ ୧୫ ତାରିଖରେ ହେବ କ୍ୟାମ୍ପସ୍ ଭୋଟ୍ । ସକାଳ ୮ଟାରୁ ୨ଟା ଯାଏଁ ଭୋଟ୍ ଗ୍ରହଣ କରାଯାଇ ପରେ ଗଣତି ହେବ । ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ।
୧୬ ତାରିଖରେ ହେବ ଶପଥ ଗ୍ରହଣ ଉତ୍ସବ। ଅର୍ଥାତ୍ ଦଶହରା ଛୁଟି ପୂର୍ବରୁ ହିଁ ସମ୍ପୂର୍ଣ୍ଣ ହେବ ନିର୍ବାଚନ ପ୍ରକ୍ରିୟା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଏବେ କ୍ୟାମ୍ପସ୍ ରାଜନୀତିରେ ଦେଖାଦେଇଛି ନୂଆ ଉତ୍ସାହ। ୨୦୧୭ରେ ଶେଷଥର ପାଇଁ ରାଜ୍ୟରେ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ। ଏହାପରେ ବିଭିନ୍ନ କାରଣ ଦର୍ଶାଇ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା। କୋଭିଡ୍ ମହାମାରୀ ସମୟରେ ମଧ୍ୟ ନିର୍ବାଚନ ହୋଇନଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର।
ସୋସିଆଲ ମିଡିଆ କଟକଣା
ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର ହେବନି
କାହାକୁ ବ୍ୟକ୍ତିଗତ ଆକ୍ରମଣ କରିପାରିବେନି
କାହା ବିରୋଧରେ ଭିତ୍ତିହୀନ ଅଭିଯୋଗ କରିବେନି
ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିବେନି
AI ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର ମନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।