Social Media Incentive Scheme For Content Creators: କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର, ଜାଣନ୍ତୁ କେମିତି ମିଳିବ ଟଙ୍କା ?
ବିହାରରେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଓ କ୍ରିଏଟରଙ୍କ ପାଇଁ ଆସିଛି ବଡ଼ ଖବର। ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ଭିଡିଓ ତିଆରି କଲେ ଏଣିକି ମିଳିବ ପାରିଶ୍ରମିକ। ଭିଡିଓର ଭ୍ୟୁ ଆଧାରରେ ମିଳିବ ଟଙ୍କା, ଆଉ ଗୋଟିଏ ଭିଡିଓ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ନିଷ୍ପତ୍ତି ହୋଇଛି।
ବୁଧବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନୂଆ ନୀତିକୁ ଅନୁମୋଦନ ମିଳିଛି। ବିହାର ସୋସିଆଲ ମିଡିଆ ଏବଂ ଅନ୍ୟ ଅନଲାଇନ୍ ମିଡିଆ ରୁଲ୍ସ, ୨୦୨୬ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା ଲାଗୁ ହେବ।
ନିୟମ କଣ?
ଯଦି କୌଣସି କ୍ରିଏଟରଙ୍କ ଭିଡିଓ ୩୦ ଦିନ ମଧ୍ୟରେ ୧ ଲକ୍ଷ ଭ୍ୟୁ ହାସଲ କରେ, ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ। ଭ୍ୟୁ ବଢ଼ିବା ସହିତ ପାରିଶ୍ରମିକ ମଧ୍ୟ ବଢ଼ିବ। ତେବେ ଗୋଟିଏ ଭିଡିଓ ପାଇଁ ସର୍ବାଧିକ ପାରିଶ୍ରମିକ ୧ ଲକ୍ଷ ଟଙ୍କାରେ ସୀମିତ ରହିବ। ଏହି ଯୋଜନାର ବିସ୍ତୃତ ନିୟମ ଓ ନିର୍ଦ୍ଦେଶାବଳୀ ଖୁବଶୀଘ୍ର ଜାରି କରାଯିବ ବୋଲି ସୂଚନା ଓ ଜନସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ସରକାରଙ୍କ କହିବା ଅନୁସାରେ, ଆଜିର ସମୟରେ ବିଶେଷକରି ଯୁବପିଢ଼ିର ବଡ଼ ଅଂଶ ମୋବାଇଲ୍ରେ ସୋସିଆଲ ମିଡିଆ ଭିଡିଓ ଦେଖୁଛନ୍ତି। ତେଣୁ ସରକାରୀ ଯୋଜନାର ଜଟିଳ ଓ ବିଭାଗୀୟ ଭାଷାକୁ ସରଳ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ କ୍ରିଏଟରମାନେ ସହାୟକ ହୋଇପାରନ୍ତି।
ଏପର୍ଯ୍ୟନ୍ତ ଟେଲିଭିଜନ୍, ଖବରକାଗଜ, ରେଡିଓ ଓ ସରକାରୀ ୱେବସାଇଟ୍ ମାଧ୍ୟମରେ ଯୋଜନାର ପ୍ରଚାର କରାଯାଉଥିଲା। କିନ୍ତୁ ସୋସିଆଲ ମିଡିଆର ବ୍ୟାପକ ପହଞ୍ଚକୁ ଦୃଷ୍ଟିରେ ରଖି ଏବେ ଏହି ମାଧ୍ୟମକୁ ଅଧିକ ଗୁରୁତ୍ୱ ଦେବ ବିହାର ସରକାର। ଅର୍ଥାତ୍, ସରକାରୀ ଯୋଜନାକୁ ଲୋକଙ୍କ ଭାଷାରେ ବୁଝାଇବେ କ୍ରିଏଟର, ଆଉ ଭିଡିଓ ଯେତେ ଲୋକ ଦେଖିବେ, ସେହି ଅନୁପାତରେ ମିଳିବ ପାରିଶ୍ରମିକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।