Soldier’s Family Hit by Tragedy: ସୈନିକଙ୍କ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ପରିବାରର ୩ ମୃତ
ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଣେ ସୁବେଦାର ମେଜରଙ୍କ ମୃତଦେହ ନେଇ ଯାଉଥିବା ଆର୍ମି ଆମ୍ବୁଲାନ୍ସ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେବାରୁ ତାଙ୍କ ପରିବାରର ୩ ଜଣଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ସୂଚନା ଦେଇଛି।
ଚଣ୍ଡିଗଡ଼ରୁ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାସ୍ଥିତ ନିଜ ଗାଁକୁ ସୁବେଦାର ମେଜର ସତ୍ୟୱାନଙ୍କ ମୃତଦେହ ନିଆଯାଉଥିଲା। ଅଯୋଧ୍ୟା-ସୁଲତାନପୁର ସୀମା ନିକଟ ହଲିଆପୁର ଅଞ୍ଚଳରେ ଏକ୍ସପ୍ରେସ୍ୱେର ୭୯.୬ କିଲୋମିଟର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣାରେ ସୁବେଦାର ମେଜରଙ୍କ ପୁଅ, ଭାଇ, ପୁତୁରା ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ପୋଲିସ ସୂଚନା ଅନୁସାରେ, ସୈନିକଙ୍କ ପୁଅ ଗୌରବ ସିଂହ (୨୮) ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଯଶପାଲ (୩୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ସୈନିକଙ୍କ ଭାଇ ରାଜନ ଚୌଧୁରୀ (୩୫) ଏବଂ ପୁତୁରା ରାମ ସମୁଝ ସିଂହ (୪୦) ଅଯୋଧ୍ୟା ଜିଲ୍ଲାର ପିଥଲା-କୁମାରଗଞ୍ଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।
ପୋଲିସ କହିଛି, ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଆମ୍ବୁଲାନ୍ସଟି ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା।
ସୁବେଦାର ମେଜର ସତ୍ୟୱାନ ଦେଓରିଆ ଜିଲ୍ଲାର ରୁଦ୍ରପୁର ଅଞ୍ଚଳସ୍ଥିତ ଗାଲିଆ ଦୁଧୈଲା ଗାଁର ବାସିନ୍ଦା ଥିଲେ। ଦୁର୍ଘଟଣା ପରେ ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।
ଅନ୍ୟପଟେ, ସୁବେଦାର ମେଜର ସତ୍ୟୱାନଙ୍କ ମୃତଦେହ ପରବର୍ତ୍ତୀ ବ୍ୟବସ୍ଥା ପର୍ଯ୍ୟନ୍ତ ହଲିଆପୁର ଥାନା ପରିସରରେ ରଖାଯାଇଛି।
ସୁଲତାନପୁର ଏସ୍ପି ବିନୀତ ଜୟସ୍ୱାଲ କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ଇନ୍ଦ୍ରଜିତ ସିଂହଙ୍କ ସହ ସେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।