Strict Rules For Tippers And Dumpers: ଟିପର୍ ଓ ଡମ୍ପର୍ ଡ୍ରାଇଭର ସାବଧାନ, ୨୦୨୭ରୁ କଡ଼ା ନିୟମ

Aug 11, 2026 - 17:22
Strict Rules For Tippers And Dumpers: ଟିପର୍ ଓ ଡମ୍ପର୍ ଡ୍ରାଇଭର ସାବଧାନ, ୨୦୨୭ରୁ କଡ଼ା ନିୟମ

ଖୋଲା ଟିପର୍ ଓ ଡମ୍ପର୍ ଯୋଗୁଁ ରାସ୍ତାରେ ହେଉଥିବା ଅସୁବିଧା ଏଣିକି କମିବ। ଏହି ଗାଡ଼ିଗୁଡ଼ିକରେ ଥିବା ବାଲି, ମାଟି, ଗୋଡ଼ି ଭଳି ସାମଗ୍ରୀ ଯେପରି ରାସ୍ତାରେ ନପଡ଼ିବ, ସେଥିପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି।ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁସାରେ, ୨୦୨୭ ଏପ୍ରିଲ୍ ୧ରୁ ସମସ୍ତ ଟିପର୍ ଓ ଡମ୍ପର୍‌ର ଲୋଡ୍ ବଡି ଉପରେ କଭର୍ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ।

ଗାଡ଼ି ରାସ୍ତାରେ ଚାଲିବା ସମୟରେ ଲୋଡ୍ ବଡି ସମ୍ପୂର୍ଣ୍ଣ ଭାବେ ଢାଙ୍କି ରହିବ। କଭର୍ ଲଗାଇବା ପାଇଁ ମେକାନିକାଲ୍, ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋମେକାନିକାଲ୍ କିମ୍ବା ହାଇଡ୍ରୋଲିକ୍ ବ୍ୟବସ୍ଥା ବ୍ୟବହାର କରାଯାଇପାରିବ। 

କଭର୍ ଖୋଲା ଥିଲେ କିମ୍ବା ଠିକ୍ ଭାବେ ବନ୍ଦ ହୋଇନଥିଲେ ଡ୍ରାଇଭରଙ୍କୁ ଜଣାଇବା ପାଇଁ କ୍ୟାବିନ୍ ଭିତରେ ଅଡିଓ-ଭିଜୁଆଲ୍ ଆଲର୍ଟ ବ୍ୟବସ୍ଥା ମଧ୍ୟ ରହିବ। ଜୁଲାଇ ୨୮, ୨୦୨୬ରେ ମନ୍ତ୍ରଣାଳୟ ଏନେଇ ନୋଟିଫିକେସନ୍ ଜାରି କରିଥିଲା। ଅଗଷ୍ଟ ୭ରେ ଏହା ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି।

ନୂଆ ନିୟମର ଲକ୍ଷ୍ୟ ହେଉଛି ରାସ୍ତାରେ ଟ୍ରକ୍‌ରୁ ମାଟି, ବାଲି କିମ୍ବା ଅନ୍ୟ ସାମଗ୍ରୀ ଖସିବାକୁ ରୋକିବା। ଏହା ଫଳରେ ଅନ୍ୟ ଯାନବାହନ ଚାଳକଙ୍କ ସୁରକ୍ଷା ବଢ଼ିବା ସହ ଖୋଲା ଡମ୍ପର୍‌ରୁ ଆସୁଥିବା ଦୁର୍ଗନ୍ଧ ଓ ଧୂଳି ମଧ୍ୟ କମିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।