10 OCTOBER 2026

Welcome!

Unlock your personalized experience.
Sign Up

Student Union Election: ଛାତ୍ର ସଂସଦ ନିର୍ବାଚନ: କମ୍ପିଲା କ୍ୟାମ୍ପସ୍‌

Oct 10, 2026 - 08:59
Student Union Election: ଛାତ୍ର ସଂସଦ ନିର୍ବାଚନ: କମ୍ପିଲା କ୍ୟାମ୍ପସ୍‌

ଭୁବନେଶ୍ବର: ରାଜଧାନୀର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପର୍ବ ଶେଷ ହୋଇଛି। କେଉଁଠି ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ବିପୁଳ ଉତ୍ସାହର ସହ ନାମାଙ୍କନ ଦାଖଲ କରିବାକୁ ଆସିଥିବା ବେଳେ ଆଉ କେଉଁଠି ଆତଙ୍କର ବାତାବରଣ ଭିତରେ ପ୍ରାର୍ଥିପତ୍ର ଦାଖଲ ସଂପନ୍ନ ହୋଇଛି। ବାଣୀବିହାର ଦଖଲ ପାଇଁ ତିନିଟିଯାକ ଛାମୁଆ ଛାତ୍ର ସଙ୍ଗଠନ ଜୋରସୋର୍‌ରେ ଲାଗିଥିବା ବେଳେ ଏଥର କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦ୍ବିମୁଖୀ ଲଢ଼େଇ ହେବାକୁ ଯାଉଥିବା ବେଳେ ଅଧିକାଂଶ କଲେଜରେ ଏବିଭିପି ଓ ଛାତ୍ର ବିଜେଡି ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। କେତେକ କଲେଜରେ ଜଣେ ଲେଖାଏ ପ୍ରାର୍ଥୀ ଥିବାରୁ ସେମାନେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ବଡ଼ କଥା ହେଉଛି, ଛାତ୍ର ସଙ୍ଗଠନମାନେ ସେମାନଙ୍କ ପ୍ରଚାର, ପ୍ରସାର ଓ ଶୋଭାଯାତ୍ରା ମଧ୍ୟରେ ଡିଜିଟାଲ୍ ପ୍ରଚାରକୁ ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଥିଲା। ସବୁର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପକାଇ ରିଲ୍ ମାଧ୍ୟମରେ ଭୋଟ୍ ଭିକ୍ଷା କରୁଥିଲେ। ସନ୍ଧ୍ୟା ପ୍ରାୟ ୫ଟା ପରେ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ର ସଙ୍ଗଠନଗୁଡ଼ିକ କଲେଜ କର୍ତ୍ତୃପକ୍ଷଙ୍କ ତ୍ରୁଟିକୁ ଦାୟୀ କରି ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ କରିଥିବା ନେଇ ଅଭିଯୋଗ ଆଣିଛନ୍ତି।

Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର

ଉତ୍କଳ ବିଶ୍ବବିଦ୍ୟାଳୟର ନାମାଙ୍କନ ଦାଖଲ ପର୍ବ ଅତି ରୋଚକପୂର୍ଣ୍ଣ ଥିଲା। ୩ଟି ଛାମୁଆ ସଙ୍ଗଠନର ଆଶାୟୀ ପ୍ରାର୍ଥୀମାନେ ବିରାଟ ପଟୁଆରରେ ନିଜ ସମର୍ଥକଙ୍କ ଗହଣରେ ବିଶ୍ବବିଦ୍ୟାଳୟରେ ପଦଯାତ୍ରା କରି ନାମାଙ୍କନପତ୍ର ଭରିଥିଲେ। ଶିଙ୍ଗ ବାଜା ସାଙ୍ଗକୁ ପାରମ୍ପରିକ ପୋଷାକ ପରିଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଥିଲା। ସେହିଭଳି କିଛି ଆଶାୟୀ ପ୍ରାର୍ଥୀ ହାତରେ ସମ୍ବିଧାନ ଓ ବାବା ସାହେବ ଭୀମରାଓ ଆମ୍ବେଦକର ଫଟୋ ଧରି ନାମାଙ୍କନ ଦାଖଲ କରିଥିଲେ।  ଅପରପଟେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନାମାଙ୍କନ ପର୍ବରେ ଗେରୁଆ ଓ ସବୁଜ ରଙ୍ଗରେ ରାସ୍ତା ପୂର୍ଣ୍ଣ ହୋଇଥିଲା। ଏବିଭିପି ସମର୍ଥକ ମାନେ ଗେରୁଆ ରଙ୍ଗର ବେଲୁନ୍‌ ଧରି ବାଜା ବଜାଇ ବାଣ ଫୁଟାଇ ଆସିଥିଲେ। ସେହିଭଳି ଏବିଭିପିକୁ ଟକ୍କର୍ ଦେବା ପାଇଁ ବିସିଜେଡି ବି ପଛେଇ ନଥିଲା। ପିଲାଙ୍କୁ ଆକର୍ଷିତ କରିବା ପାଇଁ ପାରମ୍ପରିକ ବାଦ୍ୟ ସାଙ୍ଗକୁ କାର୍ଟୁନ୍ ଆଣି ପ୍ରଚାର ପ୍ରସାରକୁ ଓହ୍ଲାଇଥିଲା। ବିଜେବି କଲେଜରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। କେବଳ ଏବିଭିିପି ପଦଯାତ୍ରାରେ ପ୍ରାର୍ଥୀଙ୍କୁ ଆଣି ନାମାଙ୍କନ ଦାଖଲ କରିଥିଲା। ଅନୁରୂପ ଭାବେ ମହିଳା ମହାବିଦ୍ୟାଳୟ କମଳା ନେହରୁ ବିସିଜେଡି ନିଜର ଦବ୍‌ଦବା ଜାହିର୍ କରିଥିଲା। ରାଜଧାନୀ କଲେଜରେ ନାମାଙ୍କନ ଶୋଭାଯାତ୍ରାରେ ଏବିଭିପି ଆଗରେ ପୁରା କ୍ୟାମ୍ପସ୍‌କୁ ଗେରୁଆ ରଙ୍ଗରେ ଛାଉଣି କରିଥିଲା। ସତେ ଯେମିତି ବିଧାନସଭା ନିର୍ବାଚନ ପାଇଁ ବିରାଟ ପଟୁଆର ଆୟୋଜନ ହେଉଥିବା ଭଳି ମନେ ହେଉଥିଲା। ସମାନ ଭାବେ ବିସିଜେଡି ମଧ୍ୟ ପାରମ୍ପରିକ ବାଦ୍ୟରେ ନିଜ ପ୍ରାର୍ଥୀମାନଙ୍କୁ ନାମାଙ୍କନ ଭରିବାକୁ ନେଇଥିଲା।

ବାଣୀବିହାରରେ ଉତ୍ତେଜନା
ବୈଧ ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେବାରୁ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା।  ଅପରାହ୍ଣ ୫ଟାରେ ତାଲିକା ପ୍ରକାଶ ପାଇବା କଥା।  ହେଲେ ରାତି ୯ଟା ପର୍ଯ୍ୟନ୍ତ ତାଲିକା ପ୍ରକାଶ ପାଇ ନଥିଲା। ଯାହାକୁ ନେଇ  ଛାତ୍ର ବିଜେଡିର ଶତାଧିକ ସମର୍ଥକ ବାଣିଜ୍ୟ ବିଭାଗକୁ ଯାଇ ହୋ ହାଲ୍ଲା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ବିଭାଗ ଗେଟ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ୨ପ୍ଲାଟୁନ୍‌ ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ପ୍ରତିବାଦର ୧୫ ମିନିଟ୍‌ ମଧ୍ୟରେ ବୈଧ ତାଲିକା ପ୍ରକାଶ  ପାଇବା ପରେ ଛାତ୍ରଛାତ୍ରୀ ଶାନ୍ତ ପଡ଼ିଥିଲେ।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ବାଣୀବିହାରରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ବର: ଘଣ୍ଟ ପାଟୁଆ ସାଙ୍ଗକୁ ସିଙ୍ଗ ବାଜାରେ କମ୍ପିଲା କ୍ୟାମ୍ପସ୍‌। କିଏ ମା’ଙ୍କ ଆର୍ଶିବାଦ ନେଇ ଶୋଭାଯାତ୍ରାରେ ବାହାରିଲା ତ କିଏ ଛାତ୍ରଛାତ୍ରୀଙ୍କୁ ମୁଣ୍ଡିଆ ମାରିଲେ। ପୁଣି କିଏ ଥାର୍‌ରେ ରୋଡ୍‌ ଶୋ କଲା। ନାମାଙ୍କନପତ୍ର ଦାଖଲ ବେଳେ ଏଭଳି ରୋଚକ ଚିତ୍ର ଦେଖିବାକୁ ମଳିଥିଲା ବାଣୀବିହାର କ୍ୟାମ୍ପସରେ। ଏବିଭିପିର ପ୍ରାର୍ଥୀ ଓ ସମର୍ଥକ ଗାନ୍ଧୀପାର୍କ ସମ୍ମୁଖରୁ ବାଜା ବାଣରେ ପଟୁଆରରେ ବାହାରି ଗୋଟିଏ ପରେ ଗୋଟିଏ ଛାତ୍ରାବାସ ଯାଇଥିଲେ। ସେଠାରୁ ମା’ ତାଳପତ୍ରେଶ୍ବରୀଙ୍କ ଆର୍ଶିବାଦ ନେଇ ଛାତ୍ରୀବାସ ଦେଇ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ। ଏହାପରେ ପରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକ ରସାୟନ ବିଜ୍ଞାନ ବିଭାଗ ସମ୍ମୁଖରୁ ବିଶାଳ ଶୋଭାଯାତ୍ରାରେ ବାହାରି ଗାନ୍ଧୀପାର୍କ ହୋଇ ଛାତ୍ରୀବାସ ଦେଇ ବାଣିଜ୍ୟ ବିଭାଗକୁ ଯାଇ ନାମାଙ୍କନପତ୍ର ଭରିଥିଲେ। ଶେଷରେ ଛାତ୍ର କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଓ ସମର୍ଥକ ନିଆରା ଢଙ୍ଗରେ ଘଣ୍ଟ ବଜାଇ ଶୋଭାଯାତ୍ରାରେ ଯାଇଥିଲେ। ତିନି ପ୍ରମୁଖ ଛାତ୍ର ସଂଗଠନ ଏଭଳି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ବାଣୀବିହାର ଦଖଲ ପାଇଁ ତିନିଟିଯାକ ଛାମୁଆ ଛାତ୍ର ସଙ୍ଗଠନ ଜୋରସୋର୍‌ରେ ଲାଗିଥିବା ବେଳେ ଏଥର କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ୪୧ଟି ନାମାଙ୍କନ ପତ୍ର କାଏମ୍‌ ଥିବା ଜଣାପଡ଼ିଛି। ସଭାପତି ପଦ ପାଇଁ ଏବିଭିପି ସମର୍ଥିତ ଅଭିରାମ ମିଶ୍ର, ଛାତ୍ର ବିଜେଡି ସମର୍ଥିତ ସୂର୍ଯ୍ୟ ନାରାୟଣ ନାୟକ ଏବଂ ଛାତ୍ର କଂଗ୍ରେସ ସମର୍ଥିତ ସୌରଭ ବେହେରାଙ୍କ ସହ ପ୍ରାଚୀ ପ୍ରିୟଦର୍ଶୀ ରାଉତ ଏବଂ ସେକ୍‌ ଜାନୁଲ୍‌ ଆବେଦ୍ଦୀନଙ୍କ ନାମାଙ୍କନ ପତ୍ର କାଏମ୍‌ ରହିଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଏବିଭିପି ସମର୍ଥିତ ଆୟୁଶ୍ରୀ ପ୍ରଧାନ, ଛାତ୍ର ବିଜେଡି ପକ୍ଷରୁ ସମ୍ବିତ ସୁମନ ରଥ ଏବଂ ଛାତ୍ରକଂଗ୍ରେସ ସମର୍ଥିତ ଦିବ୍ୟଦର୍ଶନ ଦାଶ ଓ ସୌମ୍ୟରଂଜନ ରାଉତରାୟଙ୍କ ନାମାଙ୍କନପତ୍ର କାଏମ୍‌ ରହିଛି। ଉପସଭାପତି ପାଇଁ ୬ ଜଣ, ସହ ସମ୍ପାଦକ ପଦ ପାଇଁ ୫ଜଣ, ନାଟ୍ୟ ସଂସଦ ସମ୍ପାଦକ ପାଇଁ ୪ଜଣଙ୍କ ନାମାଙ୍କନପତ୍ର କାଏମ୍‌ ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।