Student Union Election: ଛାତ୍ର ସଂସଦ ନିର୍ବାଚନ: ପ୍ରଚାରରେ ପଡ଼ୁଛି ଉଠୁଛି କ୍ୟାମ୍ପସ୍
"ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପ୍ରଚାରରେ ରାଜଧାନୀର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପଡ଼ୁଛି, ଉଠୁଛି।
ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଥିଲା ଏବଂ ରବିବାର ଛୁଟି ଥିଲା।
ତେଣୁ ପ୍ରଚାର ସେମିତି ଜମି ନଥିଲା।
କିନ୍ତୁ ଆଜି ସୋମବାର ସବୁ କ୍ୟାମ୍ପସ ପ୍ରଚାରକୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା।
ପ୍ରଚାର ପାଇଁ ହାତରେ ମାତ୍ର ଦୁଇ ଦିନ ଥିବାରୁ ପ୍ରାର୍ଥୀମାନେ ସବୁ ପିଲାଙ୍କୁ ଭେଟିବାକୁ ଲାଗି ପଡ଼ିଥିଲେ।
ଗୋଲାପ ଫୁଲଖଚିତ ଓ ପର୍ଫ୍ୟୁମ୍ ବୋଳା ପୁସିଂ କାର୍ଡ ବାଣ୍ଟି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଥିଲେ।
ସେହିଭଳି ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କ ସହ କ୍ୟାମ୍ପସରେ ବୁଲିବୁଲି ପ୍ରଚାରକୁ ଜୋର୍ଦାର କରିଥିଲେ ଏବଂ କ୍ଲାସ୍କୁ କ୍ଲାସ୍ ବୁଲି ଭୋଟ୍ ଭିକ୍ଷା କରୁଥିଲେ।
ତେଣୁ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଥିଲା।
ସେହିଭଳି କ୍ୟାମ୍ପସ ବାହାରେ ଜମିଥିଲା ବିଭିନ୍ନ ପ୍ରକାରର ପାର୍ଟି।
କୋଉଠି ଆଇସ୍କ୍ରିମ୍ ବଣ୍ଟା ହେଉଥିଲା ତ କେଉଁଠି ବିଭିନ୍ନ ପ୍ରକାର ସ୍ନାକ୍ସ ଓ ଚକ୍ଲେଟ୍ ବଣ୍ଟା ହୋଇଥିଲା।
କେତେକ କ୍ୟାମ୍ପସରେ ବି ମଧ୍ୟାହ୍ନ ଭୋଜନ ବା ଲଞ୍ଚ ବ୍ୟବସ୍ଥା କରାଯାଇଥିଲା।
ଏସବୁ ଭିତରେ ବି ଛୋଟମୋଟ ଶୋଭାଯାତ୍ରା ଦେଖିବାକୁ ମିଳୁଥିଲା।
ସମର୍ଥକମାନେ ପ୍ରାର୍ଥୀମାନଙ୍କୁ ଟେକିଧରି ନାରାବାଜି କରୁଥିଲେ।
Advertisment ଅପରପଟେ କିଛି କ୍ୟାମ୍ପସରେ ଛକାପଞ୍ଝା ବି ଦେଖିବାକୁ ମିଳିଥିଲା।
ଶୋଭାଯାତ୍ରା ମୁହାଁମୁହିଁ ହୋଇଯାଉଥିଲା।
ଦୁଇ ଶୋଭାଯାତ୍ରା ପରସ୍ପରକୁ ଅତିକ୍ରମ କରୁଥିବା ବେଳେ ପ୍ରବଳ ପୁସିଂକାର୍ଡ ଉଡ଼ୁଥିଲା।
ତେଣୁ ଆଜି କ୍ୟାମ୍ପସ ସାରା ପୁସିଂକାର୍ଡମୟ ହୋଇଯାଇଥିଲା।
ଛକାପଞ୍ଝା ପ୍ରଚାରକୁ ନେଇ ଉତ୍ତେଜନା ଉପୁଜିବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ୁଥିଲା।
ବିଶେଷକରି ବାଣୀବିହାର ଓ ବିଜେବିରେ ଚାପା ଉତ୍ତେଜନା ଲାଗି ରହିଥିଲା।
ଗତକାଲି ରାତିରେ ଉତ୍କଳ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା।
ତେଣୁ ଏହାକୁ ନେଇ ସେ ପ୍ରଚାର ବେଳେ ବି ଉତ୍ତେଜନା ଥିବା ଅନୁଭୂତ ହେଉଥିଲା।
ମାତ୍ର ପୁଲିସ ଛାଉଣି ପାଇଁ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନାହିଁ।
ସେହିଭଳି ବିଜେବି କଲେଜରେ ବି ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।
ସଭାପତି ପ୍ରାର୍ଥୀ ଆର୍ଯ୍ୟନ୍ ମହାପାତ୍ରଙ୍କୁ ପିପିଲିରେ ଆକ୍ରମଣ ହୋଇଥିବାରୁ ଆଜି ସେ ପ୍ରଚାରକୁ ଆସିଥିବା ବେଳେ ପୁଲିସକୁ ସତର୍କ ରହିବାକୁ ପଡ଼ିଥିଲା।
ଆଜି କମଳା ନେହରୁ କଲେଜରେ ଡିଜେ ବଜାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା।
ମାତ୍ର ଗଣ୍ଡଗୋଳ ବଢ଼ିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ରାଜଧାନୀ କଲେଜ, ଦେବରାୟ କଲେଜ, ମହର୍ଷି କଲେଜ ଓ ଏକାମ୍ର କଲେଜରେ ପ୍ରଚାର ଜମୁଥିବା ବେଳେ କୌଣସି ଗଣ୍ଡଗୋଳିଆ ସ୍ଥିତି ଦେଖିବାକୁ ମିଳିନି।
ତେଣୁ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜଧାନୀରେ ଛାତ୍ରଛାତ୍ରୀମାନେ ଉତ୍ସାହିତ ଥିବା ଚର୍ଚ୍ଚା ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।