Subhadra Scheme Completes Two Years: ସୁଭଦ୍ରାକୁ ପୁରିଲା ଦୁଇବର୍ଷ, ଏହିଦିନରୁ ପୁଣି ଖୋଲିବ ପୋର୍ଟାଲ
ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ଯୋଜନାକୁ ଆସନ୍ତାକାଲି ପୁରିବ ଦୁଇ ବର୍ଷ। ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ପ୍ରୋଗ୍ରାମରେ ଏଯାଏଁ ଯୋଡି ହୋଇସାରିଛନ୍ତି ୧ କୋଟି ୩ ଲକ୍ଷରୁ ଅଧିକ ମହିଳା। ଦୁଇ ବର୍ଷରେ ୫ଟି କିସ୍ତି ଜରିଆରେ ସେମାନଙ୍କ ଆକାଉଣ୍ଟକୁ ଯାଇଛି ୨୫ ହଜାର ୮ଶହ କୋଟି ଟଙ୍କା। ଆଇଆଇଏମ୍ ସମ୍ବଲପୁର, ଏସବିଆଇ ଏବଂ ନୀତି ଆୟୋଗର ଆକଳନ ଅନୁଯାୟୀ, ଏହି ଯୋଜନା ଫଳରେ ରାଜ୍ୟର ୨୬ ପ୍ରତିଶତରୁ ଅଧିକ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆସନ୍ତାକାଲି ମହିଳା ସଶକ୍ତୀକରଣ ଓ ଆତ୍ମସମ୍ମାନର ସଂକଳ୍ପ ଦିବସ ଭାବେ ପାଳନ କରାଯିବ। ଏହି ଅବସରରେ କାଲି ସଂଧ୍ୟା ୬ଟାରୁ ୭ଟା ମଧ୍ୟରେ ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେପଟେ ବିଭିନ୍ନ କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଯେମିତି ଗଞ୍ଜାମ ଖଲିରୋଟର ଜ୍ୟୋତି। ୨୦୨୩ରୁ ତାଙ୍କ ପାଠପଢ଼ା ଶେଷ ହେଲାଣି। କିନ୍ତୁ ୨୦୨୪ରୁ ସେ ସୁଭଦ୍ରା ପାଇଁ ଆବେଦନ କରିବା ସତ୍ତ୍ବେ ସ୍କଲାରସିପ୍ ପାଉଥିବା କାରଣ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଛି। ସମାନ ଅବସ୍ଥା ବାଲେଶ୍ବର ଚନ୍ଦନପୁରର ସନ୍ଧ୍ୟାରାଣୀ। ଆବେଦନ ପରେ ପ୍ରଥମ ଓ ପଞ୍ଚମ କିସ୍ତି ପାଇଛନ୍ତି। ହେଲେ ବାକି ୩ଟି କିସ୍ତି କାହିଁକି ପାଇଲେନି ତାକୁ ନେଇ ଯେତେ ଅଭିଯୋଗ କଲେବି କାରଣ ଖୋଜି ପାଉନାହାନ୍ତି।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ଅର୍ଥାତ ଏପ୍ରିଲ୍ ମାସ ସାରା ନୂଆ ଆବେଦନକାରୀଙ୍କ ପାଇଁ ଖୋଲା ରହିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ଛୁଇଁଥିଲେ ଜଣେ ଯୁବତୀ ଏଥିପାଇଁ ଆବେଦନ କରିପାରିବେ। ଯେଉଁମାନେ ଆଇଟି ରିଟର୍ଣ୍ଣ, ଜମି ପଞ୍ଜିକରଣ କିମ୍ବା ଅନ୍ୟ କିଛି କାରଣ ପାଇଁ ବାଦ ପଡିଥିଲେ ଯାଞ୍ଚକରି ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ କମିଟିରେ ସାମିଲ ହୋଇ ପାରିବେ।
ସୁଭଦ୍ରାର ପଞ୍ଚମ କିସ୍ତିରେ ଚଳିତ ବର୍ଷ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।