New UPI Charges From October 15: ଅକ୍ଟୋବର ୧୫ରୁ ବଦଳିବ UPI ନିୟମ, ୨ ହଜାରରୁ ଅଧିକରେ ଲାଗିବ ଶୁଳ୍କ

Sep 16, 2026 - 19:44
New UPI Charges From October 15:  ଅକ୍ଟୋବର ୧୫ରୁ ବଦଳିବ UPI ନିୟମ, ୨ ହଜାରରୁ ଅଧିକରେ ଲାଗିବ ଶୁଳ୍କ

ଜାତୀୟ ରାଜନୀତିରୁ ନେଇ ସାଧାରଣ ଲୋକଙ୍କ ପକେଟ୍... ସବୁଠି ଏବେ ଗୋଟିଏ ଆଲୋଚନା, ୟୁପିଆଇ ଟ୍ରାଞ୍ଜକସନ୍ ଉପରେ ଫି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ଘୋଷଣା ପରେ ଦ୍ବନ୍ଦ୍ବରେ ସାଧାରଣ ଜନତା ଓ ବ୍ୟବସାୟୀ। ଗତକାଲିଠୁ UPI ଉପରେ ବ୍ୟବସାୟୀ ରିହାତି ହାର ବା MDR ଲାଗୁ ନିଷ୍ପତ୍ତି ପରେ ସାରା ଦେଶରେ ନିଆଁ ଲଗାଇଦେଇଛି ଏହି ଖବର। ବ୍ୟକ୍ତିରୁ ବ୍ୟକ୍ତି ବା P2P କାରବାର ପାଇଁ ସରକାର କୌଣସି ଶୁଳ୍କ ରଖିନଥିବା ବେଳେ କେବଳେ P2M ବା ବ୍ୟକ୍ତିଙ୍କଠୁ ବ୍ୟବସାୟୀଙ୍କୁ ପେମେଣ୍ଟ ବେଳେ ୦.୪ ପ୍ରତିଶତ ଶୁଳ୍କ ରାଶି ବ୍ୟବସାୟୀ ହିଁ ଦେବେ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, କୌଣସି ବ୍ୟବସାୟୀଙ୍କୁ ଗ୍ରାହକ ୨ ହଜାରଠୁ ଅଧିକ ପେମେଣ୍ଟ କଲେ ସେମାନେ ଏ କ୍ଷତି ସହିବେ ତ ? ଶୁଳ୍କ ବାବଦ ଅତିରିକ୍ତ ଟଙ୍କା ଦେବାକୁ ଗ୍ରାହକଙ୍କ ଉପରେ ଜୁଲମ୍ କରିବେନି ତ ? ଅନଲାଇନରେ କୌଣସି ସଂସ୍ଥା କି ଅନୁଷ୍ଠାନକୁ ପେମେଣ୍ଟ ବେଳେ UPI ଶୁଳ୍କ ଗ୍ରାହକ ନା ସଂସ୍ଥା କାହା ଖାତାରୁ କଟିବ, ତାହା ଏବେ ବଡ଼ ପ୍ରଶ୍ନ।

UPI ପେମେଣ୍ଟ ଉପରେ ଟ୍ୟାକ୍ସ ଲାଗୁ ପରେ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ଆରମ୍ଭ ହୋଇଛି। ସୋସିଆଲ ମିଡିଆରୁ ବିରୋଧୀ ଦଳ କ୍ୟାମ୍ପ ଯାଏଁ ସବୁଠି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ବଢୁଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ୟୁପିଆଇ ଟ୍ୟାକ୍ସ ହଟାଇବାକୁ ଦାବି କରିଛନ୍ତି। ଏଣେ UPI ଶୁଳ୍କ ଯୁକ୍ତ ହେବା ପରେ ବି ଏହା ସାଧାରଣ ଗ୍ରାହକଙ୍କ ଉପରେ କିଭଳି ବୋଝ ହେବ ନାହିଁ ତାହା ଦର୍ଶାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଯୁକ୍ତି ବାଢ଼ିଛି ଯେ, ପ୍ରାୟ ୯୬ ପ୍ରତିଶତ ବ୍ୟକ୍ତିଠୁ ବ୍ୟବସାୟୀ ବା ପିଟୁଏମ୍ ପେମେଣ୍ଟ କ୍ଷେତ୍ରରେ ଏ ଶୁଳ୍କର କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିଭଳି ଛୋଟ ଛୋଟ ବ୍ୟବସାୟୀ କାରବାର ମଧ୍ୟ ଶୂନ୍ୟ MDR ଭିତରେ ଆସିବେ। ସେପଟେ NPCI ସ୍ପଷ୍ଟ କରିଛି, UPI ସେବା ପାଇଁ ପ୍ଲାଟଫର୍ମ ଫି, ହିଡେନ୍ UPI ଫି କିମ୍ବା ମାସିକ୍ ଫ୍ରି କୋଟା ଭଳି ଟଙ୍କାଟିଏ ବି ନେଉ ନାହାନ୍ତି ସରକାର। ସେହିଭଳି ରେଲୱେ, ଟେଲେକମ୍, ଇନ୍ଧନ, ବୀମା ଓ କୃଷି ଭିତ୍ତିକ ଦେଣନେଣ ବେଳେ ୦.୪ ପ୍ରତିଶତ ବଦଳରେ କେବଳ ଫ୍ଲାଟ୍ ୫ ଟଙ୍କା ଶୁଳ୍କ ଲାଗୁ କରାଯାଇଛି। ଯାହା ଅତ୍ୟନ୍ତ ନଗଣ୍ୟ।

ଏପଟେ ୨ ହଜାର ଉପରକୁ ବାଣିଜ୍ୟିକ UPI ପେମେଣ୍ଟ ଉପରେ ଟାକ୍ସ ଲାଗୁ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଗେଜେଟ୍ ନୋଟିଫିକେସନକୁ ବାତିଲ କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଛି ପ୍ରସଙ୍ଗ। ଅଞ୍ଜନ ଦତ୍ତା ନାମକ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ପିଟିସନ୍ କରିଛନ୍ତି। ଏଥିରେ ସେ କେନ୍ଦ୍ର ସରକାର, RBI, NPCI ଓ UPI କର୍ତ୍ତୃପକ୍ଷଙ୍କୁ ପାର୍ଟି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।