ଦିଲ୍ଲୀର ଯଶୋଭୂମିରେ ଖୋଲିଲା ଓଡ଼ିଶା ପ୍ୟାଭିଲିଅନ୍‌

Sep 18, 2026 - 20:35
ଦିଲ୍ଲୀର ଯଶୋଭୂମିରେ ଖୋଲିଲା ଓଡ଼ିଶା ପ୍ୟାଭିଲିଅନ୍‌

ନୂଆଦିଲ୍ଲୀ:  ଓଡ଼ିଶାକୁ ସେମି କଣ୍ଡକ୍ଟର ହବରେ ପରିଣତ କରାଯିବ । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଯେଉଁ ଏମଓୟୁ ସ୍ବାକ୍ଷର ହୋଇଛି, ତାହା ଜରିଆରେ ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ପ୍ୟାଭିଲିଅନ୍‌ ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।

ଏହି ପ୍ୟାଭିଲିଅନ୍‌ରେ ଓଡ଼ିଶାର ସେମିକଣ୍ଡକ୍ଟର କ୍ଷେତ୍ରର ସମ୍ଭାବନା, ନିବେଶକଙ୍କ ପାଇଁ ରାଜ୍ୟର ନୀତିଗତ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି ଓ ବିଭିନ୍ନ ବିନିଯୋଗ ସୁଯୋଗକୁ ପ୍ରଦର୍ଶନ କରାଯାଇଛି। 

ଏହା ଦ୍ବାରା ପ୍ରାୟ ୩୦ ହଜାର ୫୫୦ କୋଟି ଟଙ୍କାର ନିବେଶ ଆସିବା ସହ ୧୮୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ନରାଜରେ ହେବ ସିଲିକନ ଭ୍ୟାଲି । ଏଥିପାଇଁ ରାଜ୍ୟ ସରକାର ୮୭୦ ଏକର ଜମି ଯୋଗାଇଦେବେ । ୨ଟି ପ୍ରକଳ୍ପ ସହ ଓଡ଼ିଶା ସରକାର ପ୍ରାୟ ୧୧ ହଜାର କୋଟି ଟଙ୍କାର ୫ଟି ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଦ୍ବାରା ପ୍ରାୟ ୪ ହଜାର ୫ଶହ ପ୍ରତ୍ୟକ୍ଷ ଏବଂ ୧୬ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।

ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆକର୍ଷଣ ନୁହେଁ, ବରଂ ନବସୃଜନ, ଦକ୍ଷ ମାନବ ସମ୍ପଦ ଓ ଉଚ୍ଚମାନର ରୋଜଗାର ସୃଷ୍ଟି କରି ଓଡ଼ିଶାକୁ ଭାରତର ଉଦୀୟମାନ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା। ପ୍ୟାଭିଲିଅନ୍‌ ମାଧ୍ୟମରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି, ଆଧୁନିକ ଶିଳ୍ପ ଭିତ୍ତିଭୂମି ଓ ପ୍ରତିଭା ବିକାଶକୁ ଏକାଠି କରିବାର ରାଜ୍ୟର ରୋଡମ୍ୟାପ୍‌ ଉପସ୍ଥାପିତ ହୋଇଛି। ଭୁବନେଶ୍ବରରେ ସ୍ଥାପିତ ସିଲିକନ କାର୍ବାଇଡ ୱେଫର ମାନୁଫାକଚରିଂ କାମ ପ୍ରାୟ ସରିଆସିଲାଣି । ଖୁବଶୀଘ୍ର ଉତ୍ପାଦନ ହେବ ବୋଲି କୁହାଯାଇଛି । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଓଡ଼ିଶା ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।