Suryakumar Yadav Breaks Silence: କ୍ୟାପଟେନ୍‌ରୁ ବାଦ୍‌ ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର, କଲେ ବଡ଼ ଖୁଲାସା

Aug 30, 2026 - 16:19
Suryakumar Yadav Breaks Silence: କ୍ୟାପଟେନ୍‌ରୁ ବାଦ୍‌ ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର, କଲେ ବଡ଼ ଖୁଲାସା

ଭାରତୀୟ ଟି-୨୦ କ୍ରିକେଟ୍‌ର ଅଧିନାୟକ ପଦରୁ ହଟାଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ। ଅଧିନାୟକ ଭାବେ ଭାରତକୁ ଟି-୨୦ ବିଶ୍ୱକପ୍‌ ବିଜୟ ଭଳି ବଡ଼ ସଫଳତା ଦେଇଥିବା ସୂର୍ଯ୍ୟକୁମାର ହଠାତ୍‌ ନେତୃତ୍ୱରୁ ବାଦ୍‌ ପଡ଼ିବା ନିଷ୍ପତ୍ତିରେ ନିଜେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। 

ପୂର୍ବତନ ଭାରତୀୟ ବ୍ୟାଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ସୂର୍ଯ୍ୟକୁମାର କହିଛନ୍ତି, ତାଙ୍କର ଆଶା ଥିଲା ଯେ ୨୦୨୬ ପରେ ମଧ୍ୟ ସେ ଅତିକମ୍‌ରେ ଆଉ ଦୁଇ ବର୍ଷ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ। ଆଗକୁ ଅଲିମ୍ପିକ୍ସ ଓ ଆଉ ଏକ ଟି-୨୦ ବିଶ୍ୱକପ୍‌ ଥିବାରୁ ସେ ସେହି ଦିଗରେ ନିଜକୁ ପ୍ରସ୍ତୁତ କରୁଥିଲେ।

ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏକାଧିକ ଦ୍ୱିପାକ୍ଷିକ ଟି-୨୦ ସିରିଜ୍‌ରେ ଅପରାଜିତ ରହିବା ସହ ଏସିଆ କପ୍‌ ଜିତିଥିଲା। ଏହା ସହ ଭାରତ ଘରୋଇ ମାଟିରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଜିତିବା ସହ ତୃତୀୟ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା।

ତେବେ ଗତ ବର୍ଷ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌ରୁ ଆଶାନୁରୂପ ରନ୍‌ ଆସିନଥିଲା। ୨୦୨୫ରେ ସେ ୨୧ଟି ମ୍ୟାଚ୍‌ରୁ ମାତ୍ର ୨୧୮ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂ ଫର୍ମକୁ ନେଇ ଚିନ୍ତା ମଧ୍ୟ ବଢ଼ିଥିଲା। ଏହା ପରେ ବିସିସିଆଇ ଟି-୨୦ ଦଳର ନେତୃତ୍ୱ ଶ୍ରେୟସ ଆୟରଙ୍କୁ ଦେବାର ନିଷ୍ପତ୍ତି ନେଇଥିଲା ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ସୂର୍ଯ୍ୟକୁମାର ଦଳରୁ ମଧ୍ୟ ବାଦ୍‌ ପଡ଼ିଥିଲେ।

ଏହି ନିଷ୍ପତ୍ତି ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା ବୋଲି ସୂର୍ଯ୍ୟକୁମାର କହିଛନ୍ତି। ଦଳ ଘୋଷଣାରେ ନିଜ ନାଁ ନଥିବା ଦେଖି ସେ ହସିଥିଲେ। ଚାପପୂର୍ଣ୍ଣ ପରିସ୍ଥିତିରେ ହସି ନିଜକୁ ଶାନ୍ତ ରଖିବା ତାଙ୍କର ପୁରୁଣା ଅଭ୍ୟାସ ବୋଲି ସେ କହିଛନ୍ତି।

ତେବେ ଏହା ପରେ ପ୍ରାୟ ୪୦-୫୦ ଦିନ ସେ ଘରେ ବସି ରହିଥିଲେ। କ’ଣ କରିବେ, କ୍ରିକେଟ୍‌ ଖେଳିବେ କି ନାହିଁ, ଏଭଳି ଅନେକ ପ୍ରଶ୍ନ ତାଙ୍କ ମନରେ ଘୁରୁଥିଲା। ସେ କହିଛନ୍ତି, ଏହି ସମୟରେ ତାଙ୍କ ପତ୍ନୀ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ପ୍ରାୟ ୨୦ ବର୍ଷ ତଳେ କ୍ରିକେଟ୍‌ ଖେଳିବା ଆରମ୍ଭ କରିବା ପଛରେ ଥିବା ଉତ୍ସାହକୁ ପୁଣି ଖୋଜିବା ଦରକାର।

ବିସିସିଆଇର ନିଷ୍ପତ୍ତିକୁ ସେ ସମ୍ମାନ କରୁଥିବା କହିଥିଲେ ମଧ୍ୟ ଏହା କିପରି ହେଲା, ତାହା ବୁଝିବା ତାଙ୍କ ପାଇଁ କଷ୍ଟକର ଥିଲା। ବିଶ୍ୱକପ୍‌ ଜିତିବାର କିଛି ସମୟ ପରେ ନେତୃତ୍ୱ ହରାଇବା ତାଙ୍କୁ ବ୍ୟଥିତ କରିଥିଲା।

ଦଳ ଘୋଷଣାର ୨-୩ ଦିନ ପୂର୍ବରୁ ଚୟନକର୍ତ୍ତାମାନେ ତାଙ୍କ ସହ କଥା ହୋଇ ‘ଏବେ ଆଗକୁ ବଢ଼ିବାର ସମୟ’ ବୋଲି କହିଥିବା ସୂର୍ଯ୍ୟକୁମାର ପ୍ରକାଶ କରିଛନ୍ତି। ସେ ନିଷ୍ପତ୍ତିକୁ ନେଇ କୌଣସି ପ୍ରତିକ୍ରିୟା ନଦେଇ ଦଳର ସ୍ୱାର୍ଥରେ ଏହା ଭଲ ନିଷ୍ପତ୍ତି ହୋଇଥିବ ବୋଲି ଗ୍ରହଣ କରିଥିଲେ।

ସୂର୍ଯ୍ୟକୁମାର ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଦଳକୁ ଫେରିବା ପାଇଁ ସେ ପ୍ରସ୍ତୁତ। ଫିଟନେସ୍‌ ଉପରେ ଧ୍ୟାନ ଦେବା ସହ ନିୟମିତ କ୍ରିକେଟ୍‌ ଖେଳିବା ଜାରି ରଖିଛନ୍ତି। ଦଳକୁ ଯେତେବେଳେ ତାଙ୍କ ଆବଶ୍ୟକତା ଅନୁଭବ ହେବ, ସେତେବେଳେ ଫେରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।