Teacher Preserving Over 1,000 Indigenous Rice Varieties: ୭୨ ବର୍ଷରେ ବି ଚାଷ ନିଶା, ସାଇତିଛନ୍ତି ୧୦୦୦ରୁ ଅଧିକ ଦେଶୀ ଧାନ
ପ୍ରତିଟି ଧାନର ରହିଛି ଭିନ୍ନ ଭିନ୍ନ ନାଁ, ରଙ୍ଗ, ବାସ୍ନା ଆଉ ସ୍ୱତନ୍ତ୍ର ଗୁଣ।
କେଉଁ ଧାନ କଳା, ତ ଆଉ କେଉଁ ଧାନ ନାଲି।
କାହାର ବାସ୍ନା ମନ ମୋହୁଛି, ତ ଆଉ କାହାର ରହିଛି ଭିନ୍ନ ପରିଚୟ।
ଏସବୁ କେବଳ ଧାନର କିସମ ନୁହେଁ, ଏହା ଆମ ପାରମ୍ପରିକ କୃଷି ଓ ସଂସ୍କୃତିର ଅମୂଲ୍ୟ ସମ୍ପଦ।
ଏହି ଅମୂଲ୍ୟ ସମ୍ପଦକୁ ହଜିଯିବାକୁ ଦେଉନାହାନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ।
ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ମେଦେଗାଁର ଶଙ୍କର ପ୍ରସାଦ ପଟ୍ଟନାୟକ।
ବୟସ ବଢ଼ିଛି, ଚାକିରିରୁ ଅବସର ନେଇଛନ୍ତି, ହେଲେ ଅବସର ନେଇନି ତାଙ୍କ ନିଶା।
ହଜିଯାଉଥିବା ଦେଶୀ ଧାନର ବିହନ ଖୋଜିବା ଓ ତାକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବା ହିଁ ଏବେ ତାଙ୍କ ଜୀବନର ଲକ୍ଷ୍ୟ।
ଦିନେ ଶ୍ରେଣୀଗୃହରେ ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଏହି ଶିକ୍ଷକ, ଆଜି ତାଙ୍କ ସଂଗ୍ରହରେ ରହିଛି ୧୦୦୦ରୁ ଅଧିକ କିସମର ଦେଶୀ ଧାନ।
୪୦ ଦିନରୁ ୧୫୦ ଦିନ ମଧ୍ୟରେ ଅମଳ ହେଉଥିବା ଧାନର ବିଭିନ୍ନ କିସମ।
୬୦ ପ୍ରକାର ବାସ୍ନାଯୁକ୍ତ ଧାନ, ୧୨ ପ୍ରକାର କଳା ଚାଉଳ, ୨୫୦ ପ୍ରକାର ନାଲି ଚାଉଳ ଓ ଔଷଧୀୟ ଗୁଣ ପାଇଁ ପରିଚିତ ୮ ପ୍ରକାର ଧାନକୁ ସାଇତି ରଖିଛନ୍ତି ସେ।
କୁକୁଡ଼ାମୁଣ୍ଡା, କଳାବତୀ, କାଲାନମକ, କଳା ମଲ୍ଲୀଫୁଲ ଓ କାବାଗୋଡ଼ି ଭଳି ଦୁର୍ଲଭ କିସମ ମଧ୍ୟ ରହିଛି ତାଙ୍କ ପାଖରେ।
Advertisment ଅବସର ପରେ ଏହି ନିଶାକୁ ଆହୁରି ଆଗକୁ ନେଇଥିଲେ ଶଙ୍କର।
୨୦୧୪ରେ ନିଜ ଜମିରେ କରିଥିଲେ ଏକ ନିଆରା ପରୀକ୍ଷା।
୨୫ ଡେସିମିଲ ଜମିରେ ଗୋବର ଓ ଜିଆ ଖତ ବ୍ୟବହାର କରି ଦେଶୀ ଧାନ ଚାଷ କଲେ।
ଅନ୍ୟ ୨୫ ଡେସିମିଲ ଜମିରେ ରାସାୟନିକ ସାର ପ୍ରୟୋଗ କରି ହାଇବ୍ରିଡ୍ ଧାନ ଚାଷ କଲେ।
ଉଭୟ ଚାଷର ଅଭିଜ୍ଞତା ତାଙ୍କୁ ଦେଶୀ ଧାନ ପ୍ରତି ଆହୁରି ଆକର୍ଷିତ କରିଥିଲା।
ତେବେ କେବଳ ବିହନ ସଂଗ୍ରହ କରି ରଖିଦେବା ତାଙ୍କ ଲକ୍ଷ୍ୟ ନୁହେଁ।
ନିୟମିତ ଚାଷ କରି ଏହାର ଅସ୍ତିତ୍ୱକୁ ବଞ୍ଚାଇ ରଖିବା ହିଁ ତାଙ୍କର ଉଦ୍ୟମ।
ତାଙ୍କ ଏହି ନିଆରା ସଂଗ୍ରହକୁ ଦେଖିବାକୁ ଆସୁଛନ୍ତି ଅନେକ ଚାଷୀ।
ଦେଶୀ ଧାନ ବିଷୟରେ ଜାଣୁଛନ୍ତି, ବିହନ ନେଉଛନ୍ତି ଏବଂ ନିଜ ଜମିରେ ଚାଷ କରିବାକୁ ଆଗ୍ରହ ଦେଖାଉଛନ୍ତି।
ଏପଟେ ଶଙ୍କରଙ୍କ ଏହି ନିଆରା ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।
ତାଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ଏବଂ ନିୟମ ଅନୁସାରେ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରାଯିବ।
ଆଗାମୀ ଦିନରେ ସରକାରୀ ସ୍ତରରେ ତାଙ୍କୁ ସମ୍ମାନିତ କରିବାକୁ ମଧ୍ୟ ଯୋଜନା ରହିଥିବା ସେ କହିଛନ୍ତି।
ଦିନେ ଯେଉଁ ହାତରେ ଖଡ଼ି ଓ କଲମ ଧରି ପିଲାଙ୍କ ଭବିଷ୍ୟତ ଗଢ଼ୁଥିଲେ, ଆଜି ସେହି ହାତରେ ସାଇତି ରଖିଛନ୍ତି ହଜାର ହଜାର ଦେଶୀ ଧାନର ଭବିଷ୍ୟତ।
ଶଙ୍କରଙ୍କ ପାଇଁ ଏହା କେବଳ ଚାଷ ନୁହେଁ, ଏହା ମାଟି ପ୍ରତି ମମତା, ପରମ୍ପରା ପ୍ରତି ଦାୟିତ୍ୱ ଏବଂ ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ଉପହାର।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।