The Unsolved Mystery: ଅଭେଦ୍ୟ ରହସ୍ୟ: ବାରା ଇମାମ୍‌ବାଡ଼ାର ଭୂଲ୍‌ଭୁଲୈୟା

Aug 23, 2026 - 07:24
The Unsolved Mystery: ଅଭେଦ୍ୟ ରହସ୍ୟ: ବାରା ଇମାମ୍‌ବାଡ଼ାର ଭୂଲ୍‌ଭୁଲୈୟା

"ଭାରତର ବହୁ ସ୍ଥାନରେ ଅନେକ ଗହନ କଥା ଲୁଚି ରହିଛି।

ଯାହାକୁ ଅନେକେ ସାଧାରଣ ମନେକରନ୍ତି, ହୁଏତ ତାହା ଅସାଧାରଣ ହୋଇଥାଇପାରେ, ପୁଣି ସେଥିରେ ନିହିତ ଥାଇପାରେ ଅନେକ କାହାଣୀ ଓ ଅଭେଦ୍ୟ ରହସ୍ୟ।

ସେଭଳି ଗୋଟାଏ ସ୍ଥାନ ହେଲା ଲକ୍ଷ୍ନୌର ମଧ୍ୟସ୍ଥଳରେ ଦଣ୍ଡାୟମାନ ଇମାରତ୍‌ "ବାରା ଇମାମ୍‌ବାଡ଼ା"।

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସେ ସମୟର ପ୍ରସିଦ୍ଧ ମୋଗଲ ସ୍ଥପତି କିଫାୟତୁଲ୍ଲାଙ୍କ ନକ୍‌ସା ଆଧାରରେ ନିର୍ମିତ ବାରା ଇମାମ୍‌ବାଡ଼ା କୌଣସି ସାଧାରଣ ଇମାରତ୍‌ ଭଳି ନୁହେଁ, ଏଥିରେ ଥିବା ଗୋଲକଧନ୍ଦା ସରଣୀ "ଭୂଲ୍‌ ଭୁଲୈୟା"ର ରହସ୍ୟ ଏଯାଏ ଭେଦ ହୋଇପାରିନାହିଁ।Advertisment ଖିଲାଣ ଉପରେ ଦଣ୍ଡାୟମାନ ଅଟ୍ଟାଳିକାବାରା ଇମାମ୍‌ବାଡ଼ାର ଅଭ୍ୟନ୍ତରରେ ରହିଛି ଗୋଟାଏ ପ୍ରକାଣ୍ଡ କେନ୍ଦ୍ରୀୟ ପ୍ରକୋଷ୍ଠ।

ଏହାର ଦୈର୍ଘ୍ୟ ୧୭୦ ଫୁଟ୍‌।

କିନ୍ତୁ, ଏହା କୌଣସି କଡ଼ି ବରଗା, ଖମ୍ବ କି, ଲୌହ ଉପରେ ଭାର ଦେଇ ଠିଆ ହୋଇନାହିଁ।

ଖିଲାଣ ଓ ଫାଙ୍କା ସ୍ଥାନକୁ ଆଧାର କରି ଏହା ସନ୍ତୁଳିତ ହୋଇରହିଛି।

ବାରା ଇମାମ୍‌ବାଡ଼ାର ସଙ୍କୀର୍ଣ୍ଣ ସୋପାନ ଶ୍ରେଣୀ ଦେଇ ଉପରକୁ ଉଠିଲେ ଭିନ୍ନ ଏକ ଦୁନିଆର ଦୁଆ‌ର ଖୋଲିଯାଏ।

ବାରା ଇମାମ୍‌ବାଡ଼ା ଭୂଲ୍‌ ଭୁଲୈୟା ସାମାନ୍ୟ ଗୋଲକଧନ୍ଦା ନୁହେଁ।

ଏଥିରେ ରହିଛି ସହସ୍ରାଧିକ ପ୍ରବେଶ ଓ ପ୍ରସ୍ଥାନ ପଥ, ପାବଚ୍ଛଶ୍ରେଣୀ ଓ ବାରଣ୍ଡା।

ଏଥିରେ ପୁଣି ଲାଗିଛି ଏକା ପ୍ରକାର ଦିଶୁଥିବା ୪୮୯ଟି କବାଟ।

ଭୂଲ୍‌ ଭୁଲୈୟାର ଅଭିନବ ବୈଶିଷ୍ଟ୍ୟ ସବୁ ହେଲା- ଏହାର ରାସ୍ତାଗୁଡ଼ିକ ଫାଶ ଆକୃତିରେ ନିର୍ମିତ ଏବଂ ବାରଣ୍ଡା ସବୁ ଯେକୌଣସି ସ୍ଥାନରେ ହଠାତ୍‌ ଶେଷ ହୋଇଯାଇଛି।

ତେଣୁ ଏଥିରେ ପ୍ରବେଶ କଲେ କେବଳ ଅନୁମାନ କରି ହିଁ ବାମ କିମ୍ବା ଡାହାଣ ପାର୍ଶ୍ବକୁ ଯିବାକୁ ହେବ ତାହା ନିର୍ଦ୍ଧାରିତ କରିବାକୁ ପଡ଼ିଥାଏ।

ତେଣୁ, ଅନେକେ ମନେକରନ୍ତି ଯେ ଏତାଦୃଶ ପଥମୟ ଗୋଲକଧନ୍ଦା ଶତ୍ରୁମାନଙ୍କୁ ବିଭ୍ରାନ୍ତ କରିବା ଲାଗି ନିର୍ମିତ ହୋଇଥାଇପାରେ।

କିନ୍ତୁ, ଆଉ ଥୋକେ କହନ୍ତି ଯେ ଏଥିରେ ଥିବା ପଥ ଓ ବାରଣ୍ଡା ସମସ୍ତଙ୍କ ଆତଯାତ ନିମନ୍ତେ ଉଦ୍ଦିଷ୍ଟ ନ ଥିଲା।

ନିମ୍ନରେ ଥିବା ହଲ୍‌ର ଖିଲାଣଗୁଡ଼ିକୁ ସମ୍ଭାଳି ଧରିବା ପାଇଁ ଏସବୁ ନିର୍ମିତ ହୋଇଥିଲା।

କେଉଁଠି ଧ୍ବନି କେଉଁଠି ପ୍ରତିଧ୍ବନିଏ ତ ଗଲା ବାରା ଇମାମ୍‌ବାଡ଼ାର ରହସ୍ୟମୟ ଗଠନ ପ୍ରଣାଳୀର କଥା।

କିନ୍ତୁ, ତା" ମଧ୍ୟରେ ରହିଛି ଧ୍ବନି ଓ ପ୍ରତିଧ୍ବନି ସଂକ୍ରାନ୍ତ ଗୂଢ଼ ରହସ୍ୟ।

ଏହା ମଧ୍ୟରେ ଗୋଲକଧନ୍ଦା ସଦୃଶ ନିର୍ମିତ କାନ୍ଥବାଡ଼ର ଯେକୌଣସି ସ୍ଥାନରେ ଚୁପ୍‌ କରି କିଛି କଥା କହିଲେ, ତାହା ସେ ହଲ୍‌ ବା ଦଲାଣର ଅନ୍ୟ ପ୍ରାନ୍ତରେ ପ୍ରତିଧ୍ବନିତ ହୋଇ ଶୁଭେ।

ଅର୍ଥାତ୍‌ ତା" ମଧ୍ୟରେ କୌଣସି ପ୍ରାନ୍ତରେ କିଛି କହିଲେ ତାହା ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ପରିବର୍ତ୍ତେ ଯେକୌଣସି ସ୍ଥାନରେ ପ୍ରତିଧ୍ବନିତ ହୋଇପାରେ!

ବିଶେଷଜ୍ଞମାନେ କହନ୍ତି, ଏହା ଆକସ୍ମିକ ଅଥବା ଭୂତପ୍ରେତଙ୍କ ରହସ୍ୟମୟ କାହାଣୀ ନୁହେଁ, ସ୍ଥାପତ୍ୟ ଚାତୁର୍ଯ୍ୟ।

ଫମ୍ପା କାନ୍ଥ, ବକ୍ରାକୃତି ଗମ୍ବୁଜ, ପବନ  ଧରି ରଖିଥିବା ମୁଣା ସଦୃଶ ଫାଙ୍କା ସ୍ଥାନ ସବୁ ମିଳିମିଶି ସୃଷ୍ଟ ଧ୍ବନିକୁ ଅପ୍ରତ୍ୟାଶିତ ଭାବେ ଦୂର ସ୍ଥାନକୁ ପ୍ରେରଣ କରୁଛି।

ଫଳରେ ନବାବଙ୍କ ରକ୍ଷୀମାନେ ଅନୁପ୍ରବେଶକାରୀଙ୍କୁ ସ୍ବଚକ୍ଷୁରେ ନ ଦେଖି ମଧ୍ୟ ଭୂଲ୍‌ ଭୁଲୈୟା ଦ୍ବାରା ଅନାୟାସରେ ଠାବ କରିପାରୁଥିଲେ।

ଗୁପ୍ତଧନ ଓ ଗୁପ୍ତ ସୁଡ଼ଙ୍ଗକିନ୍ତୁ, ଶତାଧିକ ବର୍ଷ ଅତିବାହିତ ହେବା ସହ ବାରା ଇମାମ୍‌ବାଡ଼ା ଭୂଲ୍‌ ଭୁଲୈୟା ସମ୍ବନ୍ଧରେ ଅନେକ କାହାଣୀ, ରହସ୍ୟ ଓ କିଂବଦନ୍ତି ସୃଷ୍ଟି ହୋଇଛି।

କୁହାଯାଏ, ଚୋରା ବା ଫମ୍ପା କାନ୍ଥ ମଧ୍ୟରେ ଗୁପ୍ତଧନ ଗଚ୍ଛିତ ରହିଛି।

ଦ୍ବାର ନ ଥିବା ପ୍ରକୋଷ୍ଠଗୁଡ଼ିକ ମଧ୍ୟରେ ଅନେକ ଅମୂଲ୍ୟ ସମ୍ପଦ ରହିଛି।

ସେଥିପାଇଁ ଏହା ମଧ୍ୟରେ ଗୋଲକଧନ୍ଦା ସମ ବିଭ୍ରାନ୍ତିକର ସରଣୀ ବା ପଥ ସବୁ ରହିଛି।

ପଥ, ପ୍ରକୋଷ୍ଠ ଓ ଦ୍ବାର ଏକାପ୍ରକାର ହୋଇଥିବାରୁ ଥରେ ଅନୁ‌ପ୍ରବେଶକାରୀ ଏହା ମଧ୍ୟକୁ ପ୍ରବେଶ କଲେ ଆଉ ବାହାରି ପାରେନାହିଁ, କି କେଉଁଠି ଗୁପ୍ତଧନ ରହିଛି ତାହା ଜାଣିପାରେ ନାହିଁ।

ତେଣୁ ବିନା ଜଗୁଆଳରେ ସମ୍ପଦ ସୁରକ୍ଷିତ ରହିପାରୁଥିଲା।

ଏସବୁ ଗୋଲକଧନ୍ଦା ସଦୃଶ ପଥ ଓ ଗଚ୍ଛିତ ସମ୍ପଦର ଭେଦ ଜାଣିଥିଲେ ସ୍ଥପତି ଓ ନବାବଙ୍କ ସହଯୋଗୀମାନେ।

ଆଉ କେହି କେହି କହନ୍ତି- ବିପଦ ସମୟରେ ଗୁପ୍ତ ସୁଡ଼ଙ୍ଗ ବାଟେ ନବାବ୍‌ମାନେ ଖସି ପଳାଉଥିଲେ।

ଏ ସଂକ୍ରାନ୍ତରେ ବହୁ ପ୍ରଚଳିତ କିବଂଦନ୍ତି କହେ ଯେ ବାରା ଇମାମ୍‌ବାଡ଼ାରୁ ବାହାରିଥିବା ସୁଡ଼ଙ୍ଗ ପଥଗୁଡ଼ିକର ଶାଖା ଦିଲ୍ଲୀ ଓ ଫୈଜାବାଦ୍‌ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା।

ଶତ୍ରୁ ଆକ୍ରମଣ ଅଥବା ରାଜନୈତିକ ଅସ୍ଥିରତା ସମୟରେ  ନବାବ ସୁଡ଼ଙ୍ଗ ପଥରେ ପଳାୟନ କରୁଥିଲେ।

ସେହିପରି ବ୍ରିଟିସ୍‌ ଶାସନ ଅମଳରେ ମଧ୍ୟ ବାରା ଇମାମ୍‌ବାଡ଼ା ସରଣୀ ସମ୍ବନ୍ଧରେ ଗୋଟାଏ ରହସ୍ୟଜନକ ଘଟଣା ଘଟିଥିଲା।

କୁହାଯାଏ, ନବାବଙ୍କ ସମ୍ପଦ ଓ ପଳାୟନ ପଥ ବିଷୟ ଶୁଣି ବ୍ରିଟିସ୍‌ ସୈନିକମାନେ ଭୂଲ୍‌ ଭୁଲୈୟାକୁ ଯାଇଥିଲେ।

ସେମାନେ ଗୁପ୍ତଧନ ଓ ଗୁପ୍ତପଥ ଖୋଜିଲେ।

କିନ୍ତୁ, ସେଠାରୁ ଆଉ ବାହାରିବାକୁ ବାଟ ପାଇଲେ ନାହିଁ।

ତା" ଭିତରେ ସେମାନେ କୁଆଡ଼େ ଗଲେ ତାହା ବି ଜଣାପଡ଼ିଲା ନାହିଁ।

ତେଣୁ, ସ୍ଥାନୀୟ ଲୋକେ କହନ୍ତି ଯେ ସେଠାର ଶୁଭୁଥିବା କ୍ଷୀଣ ପ୍ରତିଧ୍ବନି ଓ ଅନ୍ୟାନ୍ୟ ଦୁର୍ବୋଧ୍ୟ ଶବ୍ଦ ସେ ନିରୁଦ୍ଦିଷ୍ଟ ବ୍ରିଟିସ୍‌ ସୈନିକମାନଙ୍କର।

ଆଉ କେତେକ ଲୋକ କହନ୍ତି ଯେ ତା" ମଧ୍ୟରେ କୁଆଡ଼େ ଟୁପ୍‌ଟାପ୍‌ କଥା ଓ ଅଶରୀରିମାନଙ୍କର ଚଳମାନ ଛାୟା ପରିଦୃଶ୍ୟ ହୁଏ।

ବିସ୍ମୟ, କିଂବଦନ୍ତି ଓ ଇତିହାସ ଯାହା କହୁଥାଆନ୍ତୁ ପଛକେ ୧୭୮୪ ଖ୍ରୀଷ୍ଟାବ୍ଦରେ ନବାବ୍‌ ଅସଫ୍‌-ଉଦ୍‌-ଦୌଲାଙ୍କ ଦ୍ବାରା ନିର୍ମିତ ଏ ଇମାରତ୍‌ର ରହସ୍ୟ ଆଜିଯାଏ କେହି ଭେଦ କରିପାରି ନାହାନ୍ତି, କି ଯାହା ସବୁ କୁହାଯାଉଛି ତାହାର କିଛି ପ୍ରମାଣ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।