Three Indians rescued After Drone Strike: ବ୍ଲାକ୍ ସି’ରେ ଡ୍ରୋନ ଆଟାକ, ଉଦ୍ଧାର ହେଲେ ୩ ଭାରତୀୟ, ଭେଟିଲେ ଦୂତାବାସ ପ୍ରତିନିଧି

Oct 07, 2026 - 14:23
Three Indians rescued After Drone Strike: ବ୍ଲାକ୍ ସି’ରେ ଡ୍ରୋନ ଆଟାକ, ଉଦ୍ଧାର ହେଲେ ୩ ଭାରତୀୟ, ଭେଟିଲେ ଦୂତାବାସ ପ୍ରତିନିଧି

ବ୍ଲାକ୍ ସି’ରେ ରୁଷିଆ ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିବା ତୁର୍କୀ ମାଲିକାନାର କାର୍ଗୋ ଜାହାଜ ‘ଏମ୍‌ଭି ରୋୟାଡ୍ ମାମ୍ମାଡୋଭ୍’ରୁ ୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରୋମାନିଆସ୍ଥିତ ଭାରତୀୟ ଦୂତାବାସ ମଙ୍ଗଳବାର ସୂଚନା ଦେଇଛି।

ଚଳିତ ସପ୍ତାହରେ ଜାହାଜଟି ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏଥିରେ ଅନ୍ୟୁନ ୨ ଜଣ ବିଦେଶୀ ନାବିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ କ୍ରୁ ସଦସ୍ୟ ଆହତ ହୋଇଥିଲେ।

ସୋମବାର ରୋମାନିଆ କର୍ତ୍ତୃପକ୍ଷ ୩ ଭାରତୀୟଙ୍କୁ ଉଦ୍ଧାର କରିଥିଲେ। ପରଦିନ ଭାରତୀୟ ଦୂତାବାସର ଜଣେ ପ୍ରତିନିଧି ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଓ ଆବଶ୍ୟକତା ସମ୍ପର୍କରେ ଜାଣିଥିଲେ। ଦୁଇ ଜଣ ହୋଟେଲରେ ରହୁଥିବା ବେଳେ ଆଉ ଜଣେ କନଷ୍ଟାନ୍ତାସ୍ଥିତ କାଉଣ୍ଟି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଦୂତାବାସ କହିଛି, ତିନି ଭାରତୀୟ ରୋମାନିଆରୁ ସୁରକ୍ଷିତ ଓ ଶୀଘ୍ର ଫେରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଜାହାଜ କମ୍ପାନୀର ସ୍ଥାନୀୟ ଏଜେଣ୍ଟଙ୍କ ସହଯୋଗରେ ମୋବାଇଲ୍ ଫୋନ୍ ଭଳି ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କ ପାଇଁ ଭାରତୀୟ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆହତ ଭାରତୀୟଙ୍କ ଚିକିତ୍ସା ଓ ଆଗାମୀ ସହାୟତା ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ ପୋଲିସ, ଜାହାଜ କମ୍ପାନୀର ଏଜେଣ୍ଟ ଏବଂ ଡାକ୍ତରଙ୍କ ସହ ଆଲୋଚନା କରାଯାଇଛି।

ଘଟଣାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ଗଭୀର ଚିନ୍ତା ପ୍ରକାଶ କରିଛି। ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ଏଭଳି ଆକ୍ରମଣକୁ ଭାରତ ଗୁରୁତର ଭାବେ ନେଉଥିବା କୁହାଯାଇଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ଯୋଗାଇଥିବାରୁ ରୋମାନିଆ କର୍ତ୍ତୃପକ୍ଷଙ୍କୁ ଭାରତ ଧନ୍ୟବାଦ ଜଣାଇଛି।

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରଭାବିତ ହୋଇଆସୁଛି। ବନ୍ଦର ଓ ଜାହାଜ ଉପରେ ଆକ୍ରମଣ ଯୋଗୁଁ ନାବିକଙ୍କ ସୁରକ୍ଷା ମଧ୍ୟ ଚିନ୍ତାର କାରଣ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।