Trump’s Republicans Suffer Major: ମିଡ୍ ଟର୍ମ ଇଲେକସନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା; ୧୦୦ ଆସନ ବିଶିଷ୍ଟ ସିନେଟରେ ମାତ୍ର ୪୪ ଆସନ

Nov 04, 2026 - 20:03
Trump’s Republicans Suffer Major: ମିଡ୍ ଟର୍ମ ଇଲେକସନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା; ୧୦୦ ଆସନ ବିଶିଷ୍ଟ ସିନେଟରେ ମାତ୍ର ୪୪ ଆସନ

ଆମେରିକା ମିଡ୍ ଟର୍ମ ଇଲେକସନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା।

ଆମେରିକା କଂଗ୍ରେସର ଉଭୟ ଗୃହରେ ବହୁମତ ହାସଲରେ ଫେଲ୍ ମାରିଛି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି।

ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍ ଓ ସିନେଟରେ ଡେମୋକ୍ରାଟ୍ ଦଳ ବହୁମତ ହାସଲ କରିଛି।

ମୋଟ ୪୩୫ ଆସନ ମଧ୍ୟରୁ ମ୍ୟାଜିକ୍ ନମ୍ବର ୨୧୮ ପାର୍ କରି ଡେମୋକ୍ରାଟିକ ପାର୍ଟି ବିଜୟ ସୁନିଶ୍ଚିତ କରିଛି।

Advertisment ଏହାସହ ସିନେଟରେ ମଧ୍ୟ ଡେମୋକ୍ରାଟମାନେ ନିୟନ୍ତ୍ରଣ ହାସଲ କରିଛନ୍ତି।

୧୦୦ ଆସନ ବିଶିଷ୍ଟ ସିନେଟରେ ଡେମୋକ୍ରାଟ ୫୪ ସିଟ ହାତେଇଥିବା ବେଳେ ଟ୍ରମ୍ପଙ୍କ ରିପବ୍ଲିକାନକୁ ମିଳିଛି ୪୪ ଆସନ।

ସେହିପରି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭିରେ ଡେମୋକ୍ରାଟ ୨୨୮ ଓ ରିପବ୍ଲିକାନ୍ ୧୩୯ ସିଟ୍ ପାଇଛି।

ମିଡ ଟର୍ମ ଇଲେକସନରେ ରିପବ୍ଲିକାନ୍ ଦଳ ହାରିଥିଲେ ବି ଟ୍ରମ୍ପଙ୍କ ରାଷ୍ଟ୍ରପତି ପଦ ଯିବନି।

ହେଲେ ସଂସଦରେ ବିରୋଧୀଙ୍କ ପକ୍ଷରୁ ମିଳିବ ବଡ ଚ୍ୟାଲେଞ୍ଜ।

ନୀତି ଓ ନେତୃତ୍ବର ପରୀକ୍ଷାରେ ମିଷ୍ଟର ପ୍ରେସିଡେଣ୍ଟ ଫେଲ୍।

୨ ବର୍ଷ ଭିତରେ ବଦଳିଯାଇଛି ଅଙ୍କ।

ଜୋର କା ଝଟକା ବହୁତ ଜୋରରେ ଲାଗିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ।

ଆମେରିକାରେ ଅନୁଷ୍ଠିତ ମିଡ୍ ଟର୍ମ ଇଲେକ୍ସନରେ ବାଜି ମାରିଛି ଡେମୋକ୍ରାଟ୍।

ମାତ୍ ଖାଇଛି ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି।

ସ୍ଥିତି ଏମିତି ଯେ, ଗତ ନିର୍ବାଚନରେ ସ୍ବିଙ୍ଗ କରିଥିବା ଷ୍ଟେଟକୁ ଦଖଲ କରିନେଇଛନ୍ତି ବିରୋଧୀ।

Advertisment ଟେକ୍ସାସ, ଓହିଓ, କାନସାସ ଏବଂ ସାଉଥ୍ କାରୋଲିନା ଭଳି ରିପବ୍ଲିକାନଙ୍କ ପାରମ୍ପରିକ ଗଡ଼ରେ ମଧ୍ୟ ହାରିଯାଇଛନ୍ତି ଦଳୀୟ ପ୍ରାର୍ଥୀ।

କଂଗ୍ରେସର ଉଭୟ ସଦନ ସିନେଟ୍ ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ରେ ବହୁମତ ହାସଲ କରି ନିୟନ୍ତ୍ରଣ ନିଜ ହାତକୁ ନେଇଛନ୍ତି ଡେମୋକ୍ରାଟସ।

ଭାରତୀୟ-ଆମେରିକୀୟ ପ୍ରାର୍ଥୀ ସୁହାସ ସୁବ୍ରମଣ୍ୟମ ଭର୍ଜିନିଆ ଏବଂ ପିଆ ଦାଣ୍ଡିଆ ଫ୍ଲୋରିଡାରୁ ୟୁଏସ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ନିର୍ବାଚିତ ହୋଇଛନ୍ତି।

ସେପଟେ ଓହାୟୋର ଗଭର୍ଣ୍ଣର ଦୌଡ଼ରେ ଥିବା ଟ୍ରମ୍ପ-ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ ବିବେକ ରାମାସ୍ୱାମୀ ଡେମୋକ୍ରାଟ୍ ଆମି ଆକ୍ଟନଙ୍କଠାରୁ ପରାଜିତ ହୋଇଛନ୍ତି।

ପ୍ରଶ୍ନ ଉଠୁଛି, ନିର୍ବାଚନରେ ଟ୍ରମ୍ପ ହାରିଲେ କାହିଁକି ?

୨ ବର୍ଷ ଭିତରେ ଆମେରିକାବାସୀଙ୍କ ମନ ବଦଳିବାର କାରଣ କଣ ?

ଟ୍ରମ୍ପଙ୍କ ପରାଜୟ ପଛରେ ରହିଛି ୪ଟି ବଡ କାରଣ।

ପ୍ରଥମ ତଥା ମୁଖ୍ୟ କାରଣ- ଇରାନ ସହ ଯୁଦ୍ଧ।

୨୦୨୪ ନିର୍ବାଚନ ବେଳେ ଟ୍ରମ୍ପ ବିଦେଶୀ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୦୨୬ରେ ଇରାନ ସହିତ ଭୟଙ୍କର ଯୁଦ୍ଧ କରିଥିଲେ।

ଏହି ଯୁଦ୍ଧ ହିଁ ଆମେରିକୀୟ ଭୋଟରଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା।

ଦ୍ବିତୀୟ କାରଣ, ଦରଦାମ ବୃଦ୍ଧି।

ଇରାନ ଯୁଦ୍ଧ ପାଇଁ ଆମେରିକାରେ ତେଲ ଓ ଇନ୍ଧନ ଦର ଆକାଶଛୁଆଁ ହୋଇଥିଲା।

ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ଯୋଗୁଁ ଜନତା ଟ୍ରମ୍ପଙ୍କ ଅର୍ଥନୀତି ଉପରୁ ଭରସା ହରାଇଥିଲେ।

ତୃତୀୟରେ ରହିଛି ଟ୍ରମ୍ପଙ୍କ ଟାରିଫ୍ ବା ଶୁଳ୍କ ନୀତି।

ଟ୍ରମ୍ପ ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ୍ ଲଗାଇଥିଲେ ବି ତାର ପ୍ରଭାବ ଆମେରିକାର ଗ୍ରାହକ ଏବଂ ଅର୍ଥନୀତି ଉପରେ ପଡ଼ିଥିଲା।

ଚତୁର୍ଥରେ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ।

ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ, ପ୍ରଶାସନିକ ଦୁର୍ନୀତିର ଅଭିଯୋଗ ଏବଂ ବାରମ୍ବାର ବିବାଦୀୟ ବୟାନ ଯୋଗୁଁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ହ୍ରାସ ପାଇଥିଲା।

ଯାହାର ରେଜଲ୍ଟ ନିର୍ବାଚନରେ ଦେଖିବାକୁ ମିଳିଛି।

ଟ୍ରମ୍ପ ନିର୍ବାଚନ ହାରିବା ପରେ ହେବ କ'ଣ ?

ରାଷ୍ଟ୍ରପତି ରହିବେ ଟ୍ରମ୍ପ, କିନ୍ତୁ ସଂସଦରେ ମିଳିବ କଡ଼ା ଚ୍ୟାଲେଞ୍ଜ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଗାମୀ ଦୁଇ ବର୍ଷ ଶାସନ ଚଳାଇବା ସହଜ ହେବନି।

ନୂଆ ଆଇନ ପ୍ରଣୟନ, ବିଲ୍ ପାସ, ବିଦେଶ ନୀତି କାର୍ଯ୍ୟକାରୀ କରିବା କଷ୍ଟକର ହେବ।

ରାଷ୍ଟ୍ରପତିଙ୍କ ନୀତି ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ବିରୋଧୀ।

ଟ୍ରମ୍ପ ପ୍ରଶାସନର ବିଭିନ୍ନ ନିଷ୍ପତ୍ତିର ତଦନ୍ତ କରିପାରିବେ ଡେମୋକ୍ରାଟ।

ଏଥିସହ ମହାଭିଯୋଗ ପ୍ରକ୍ରିୟା ଆରମ୍ଭର ରାସ୍ତା ବି ଖୋଲିଯାଇଛି।

ସେପଟେ ଟ୍ରମ୍ପ ସୋସିଆଲ ମିଡିଆରେ "VETO"ର ଏକ ଫଟୋ ପୋଷ୍ଟ କରି ଆଗକୁ ଡେମୋକ୍ରାଟ୍ସଙ୍କ ଆଇନକୁ ରୋକିବା ପାଇଁ ଦେଇଛନ୍ତି ସଙ୍କେତ।

ଟ୍ରମ୍ପଙ୍କ ପରାଜୟର ପ୍ରଭାବ ଭାରତ ଉପରେ ବି ଦେଖିବାକୁ ମିଳିବ।

ଆମେରିକୀୟ ସଂସଦ ଉପରୁ ଟ୍ରମ୍ପ ନିୟନ୍ତ୍ରଣ ହରାଇଥିବାରୁ ପ୍ରଭାବିତ ହେବ ଭାରତ ସହିତ ବାଣିଜ୍ୟ, କୂଟନୀତି ଏବଂ ଅର୍ଥନୀତି।

ତେବେ ଏହାର କିଛି ଭଲ ଦିଗ ବି ରହିଛି।

ଶକ୍ତିହୀନ ଟ୍ରମ୍ପ ଭାରତ ସହ ବାଣିଜ୍ୟ ଚୁକ୍ତିକୁ ଶୀଘ୍ର କରିବାକୁ ଚେଷ୍ଟା କରିପାରନ୍ତି।

ଭିଟୋ ବ୍ୟବହାର କରି ଶୁଳ୍କ ବା ଟାରିଫ ବଢାଇ ପାରନ୍ତି।

ଯୁଦ୍ଧ ପରିସ୍ଥିତି ସୁଧୁରିଲେ ତେଲ ଦର କମିପାରେ।

ବଢିପାରେ ଭାରତୀୟ ସେୟାର ବଜାର ଓ ମଜବୁତ ହୋଇପାରେ ଟଙ୍କା।

ତେବେ ଋଷିଆଠାରୁ ତେଲ କିଣୁଥିବା ଦେଶ ଉପରେ ପ୍ରତିବନ୍ଧକ ନେଇ ଆମେରିକାରେ ଗୃହୀତ ଆକ୍ଟକୁ ଡେମୋକ୍ରାଟ୍ସଙ୍କ ସମର୍ଥନ ବି ମିଳିଛି।

ତେଣୁ ଭାରତ ଉପରେ ଋଷିଆରୁ ତେଲ ଆମଦାନୀ ନେଇ ଚାପ ରହିପାରେ।

ଅନ୍ୟପଟେ ଟ୍ରମ୍ପ ପ୍ରଶାସନର H-1B ଭିସା କଟକଣା ଉପରେ ଲାଗିପାରେ ରୋକ୍।

ଯାହାର ଫାଇଦା ପାଇପାରନ୍ତି ଭାରତୀୟ ଆଇଟି ପ୍ରଫେସନାଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।