US Forms Super Intelligence Force: ଆମେରିକାରେ ଗଠନ ହେଲା ସୁପର ଇଣ୍ଟେଲିଜେନ୍ସ ଫୋର୍ସ, ଟ୍ରମ୍ପଙ୍କ ବଡ଼ ଘୋଷଣା

Oct 04, 2026 - 19:20
US Forms Super Intelligence Force: ଆମେରିକାରେ ଗଠନ ହେଲା ସୁପର ଇଣ୍ଟେଲିଜେନ୍ସ ଫୋର୍ସ, ଟ୍ରମ୍ପଙ୍କ ବଡ଼ ଘୋଷଣା

ଆମେରିକା ଯେପରି ଅତ୍ୟାଧୁନିକ AI କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ନିଜ ସ୍ଥାନ ବଜାୟ ରଖିପାରିବ, ସେଥିପାଇଁ ଫେଡେରାଲ୍ ସରକାରଙ୍କ ଉଦ୍ୟମକୁ ସମନ୍ୱୟ ରକ୍ଷା କରିବା ଲାଗି ନୂଆ ‘ସୁପର ଇଣ୍ଟେଲିଜେନ୍ସ ଫୋର୍ସ’ (SIF) ଗଠନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ହ୍ୱାଇଟ୍ ହାଉସ୍‌ର ଏହି ଟାସ୍କ ଫୋର୍ସର ନେତୃତ୍ୱ ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଜେ କ୍ଲେଟନ୍ କରିବେ। AI କମ୍ପାନୀ, ଉପଭୋକ୍ତା, ପବ୍ଲିକ୍ ଇଣ୍ଟରେଷ୍ଟ ଗ୍ରୁପ୍, ଧାର୍ମିକ ସଂଗଠନ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସେବା ପ୍ରଦାନକାରୀଙ୍କ ସହ ଫେଡେରାଲ୍ ସରକାରଙ୍କ ଯୋଗାଯୋଗ ଓ ସମନ୍ୱୟ ଉପରେ ଏହି ଫୋର୍ସ ଗୁରୁତ୍ୱ ଦେବ।

ଟ୍ରମ୍ପ ନିଜର Truth Social ଆକାଉଣ୍ଟରେ ଏହି ଘୋଷଣା କରିଛନ୍ତି। ଆମେରିକା ‘ସୁପର ଇଣ୍ଟେଲିଜେନ୍ସ’ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ବଜାୟ ରଖିବା ସହ ଆମେରିକୀୟଙ୍କ ସ୍ୱାର୍ଥର ସୁରକ୍ଷା କରିବାରେ ଏହି ଫୋର୍ସ ସହାୟକ ହେବ ବୋଲି ସେ କହିଛନ୍ତି।

ଟ୍ରମ୍ପ କହିଛନ୍ତି, ସୁପର ଇଣ୍ଟେଲିଜେନ୍ସ ଉପରେ ଐତିହାସିକ ହ୍ୱାଇଟ୍ ହାଉସ୍ ମୋହର ମାରିବା ପରେ ମୁଁ ସୁପର ଇଣ୍ଟେଲିଜେନ୍ସ ଫୋର୍ସ (SIF) ଗଠନ ଘୋଷଣା କରୁଛି। ଏଥିରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ସହ ସମନ୍ୱୟ ରଖାଯିବା ସହ ଆମେରିକୀୟ ଲୋକଙ୍କ ସ୍ୱାର୍ଥ ପ୍ରତି କାମ କରାଯିବ ।

ସେ ଆହୁରି କହିଛନ୍ତି ଯେ, ଆମେରିକା ବିଶ୍ୱରେ ସୁପର ଇଣ୍ଟେଲିଜେନ୍ସ କ୍ଷେତ୍ରରେ ନେତୃତ୍ୱ ଜାରି ରଖିବା ନିଶ୍ଚିତ କରିବା ଏହି ଫୋର୍ସର ମୁଖ୍ୟ ଦାୟିତ୍ୱ। ଅନେକଙ୍କ ମତରେ ଏହା ଶିଳ୍ପ ବିପ୍ଳବ ଏବଂ ଇଣ୍ଟରନେଟ୍‌ଠାରୁ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ। ଏହା ଆମେରିକୀୟଙ୍କ ସ୍ୱାର୍ଥକୁ ସୁରକ୍ଷା କରିବା ସହ ସେମାନଙ୍କ ଜୀବନକୁ ଉନ୍ନତ କରିବ ବୋଲି ଟ୍ରମ୍ପ କହିଛନ୍ତି।

ଏହି ଫୋର୍ସରେ ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଜେ କ୍ଲେଟନ୍‌ଙ୍କ ସହ ଫେଡେରାଲ୍ ଟ୍ରେଡ୍ କମିଶନ୍‌ର ଚେୟାରମ୍ୟାନ୍ ଆଣ୍ଡ୍ରୁ ଫର୍ଗୁସନ୍, ରିସର୍ଚ୍ଚ ଆଣ୍ଡ ଇଞ୍ଜିନିୟରିଂ ପାଇଁ ଅଣ୍ଡର ସେକ୍ରେଟାରୀ ଅଫ୍ ୱାର୍ ତଥା ଚିଫ୍ ଟେକ୍ନୋଲୋଜି ଅଫିସର ଏମିଲ୍ ମାଇକେଲ୍ ଏବଂ ଅଫିସ୍ ଅଫ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟର ଡାଇରେକ୍ଟର ସ୍କଟ୍ କୁପର୍ ରହିବେ।

ଏହି ଫୋର୍ସ ସିଧାସଳଖ ଆମେରିକାର ରାଷ୍ଟ୍ରପତି ଏବଂ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସଙ୍କୁ ରିପୋର୍ଟ କରିବ ବୋଲି ଟ୍ରମ୍ପ କହିଛନ୍ତି। ଏହି ପ୍ରସଙ୍ଗ ପ୍ରତି ଧ୍ୟାନ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।