US Strikes Iran's Qeshm Island: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢ଼ିଛି।
ଇରାନ ସହ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରେ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଥିବା ବେଳେ, ଇରାନର କେଶମ୍ ଦ୍ୱୀପରେ ଆମେରିକା ଗୁପ୍ତ ଭାବେ ସାମରିକ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି।
ଆମେରିକୀୟ ଖବରକାଗଜ 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ଏକ ରିପୋର୍ଟ ଅନୁଯାୟୀ, ସୋମବାର ଏହି ଆକ୍ରମଣ କରାଯାଇଥିଲା।
ଗତ କିଛି ସପ୍ତାହ ଧରି ଆମେରିକା ଇରାନ ଉପରେ ସୀମିତ ପରିସରରେ ଏଭଳି ଅନେକ ସାମରିକ ଆକ୍ରମଣ କରିଥିବା ରିପୋର୍ଟରେ ଦାବି କରାଯାଇଛି।
Advertisment ରିପୋର୍ଟ ଅନୁସାରେ, ଆମେରିକା ଜାଣିଶୁଣି ଏହି ଆକ୍ରମଣଗୁଡ଼ିକୁ ସୀମିତ ରଖିବା ସହ ଗୁପ୍ତ ଭାବେ କରୁଛି।
ଏହାଦ୍ୱାରା ଇରାନ ବିରୋଧରେ ପୁଣି ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି କୌଣସି ସଙ୍କେତ ଦେବାକୁ ଚାହୁଁନାହିଁ ୱାଶିଂଟନ୍।
ଅନ୍ୟପଟେ, କେଶମ୍ ଦ୍ୱୀପରେ ଏକାଧିକ ବିସ୍ଫୋରଣ ହୋଇଥିବା ନେଇ ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ମଧ୍ୟ ରିପୋର୍ଟ କରିଛି।
ଏହି ଦ୍ୱୀପଟି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ନିକଟରେ ଅବସ୍ଥିତ।
ତେଣୁ ଏଠାରେ ଯେକୌଣସି ସାମରିକ ଗତିବିଧି ଆଞ୍ଚଳିକ ସୁରକ୍ଷା ଓ ସମୁଦ୍ରପଥରେ ଜାହାଜ ଚଳାଚଳ ଉପରେ ପ୍ରଭାବ ପକାଇପାରେ।
Advertisment କେଶମ୍ ଦ୍ୱୀପରେ ଆକ୍ରମଣ ଖବର ଆସିବାର କିଛି ସମୟ ପୂର୍ବରୁ ଟ୍ରମ୍ପ ଇରାନ ସହ ଆଲୋଚନା ନେଇ ସକରାତ୍ମକ ସଙ୍କେତ ଦେଇଥିଲେ।
ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ସେ ଲେଖିଥିଲେ ଯେ, ତେଲ ଦର ବ୍ୟାରେଲ୍ ପିଛା ପ୍ରାୟ ୧୦ ଡଲାର ହ୍ରାସ ପାଇଛି।
ଏହାକୁ ଏକ ରେକର୍ଡ ହ୍ରାସ ବୋଲି ଦର୍ଶାଇବା ସହ ଇରାନ ଖୁବ୍ ଶୀଘ୍ର ଚୁକ୍ତି କରିବାକୁ ଚାହୁଁଥିବା ସେ ଦାବି କରିଥିଲେ।
ଟ୍ରମ୍ପ ଲେଖିଥିଲେ, "ଇରାନ ଯଥାଶୀଘ୍ର ଏକ ସମାଧାନ ଚାହୁଁଛି।
ଏହା ହୋଇପାରେ!" ଏହାସହ ସାମ୍ବାଦିକମାନେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ କରିବା ନେଇ ପଚାରିବାରୁ ସେ 'ନା' ବୋଲି ଉତ୍ତର ଦେଇଥିଲେ।
ତେବେ ଏଭଳି ବୟାନ ଓ ଆକ୍ରମଣ ଖବର ମଧ୍ୟରେ ଆମେରିକାର ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଅନ୍ୟପଟେ, ଆମେରିକାର ଏକ ଗୁପ୍ତଚର ଓ ଡିକୟ ଡ୍ରୋନ୍କୁ ଅକ୍ଷତ ଅବସ୍ଥାରେ ଜବତ କରିଥିବା ଇରାନର ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡ କର୍ପସ୍ (IRGC) ନୌସେନା ଦାବି କରିଛି।
IRNAର ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀର ପଶ୍ଚିମ ଭାଗରେ ସୋମବାର ଏହି ଡ୍ରୋନ୍କୁ ଠାବ କରାଯାଇଥିଲା।
IRGC ନୌସେନାର କହିବା ଅନୁଯାୟୀ, ଏହାର ଇଲେକ୍ଟ୍ରୋନିକ୍ ଯୁଦ୍ଧ ୟୁନିଟ୍ MQM-170 ଡ୍ରୋନ୍କୁ ଚିହ୍ନଟ କରିବା ପରେ ଏହାର ଗାଇଡାନ୍ସ ଓ କଣ୍ଟ୍ରୋଲ୍ ସିଷ୍ଟମ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା।
ଏହାପରେ ଡ୍ରୋନ୍କୁ ନଷ୍ଟ ନକରି ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଅକ୍ତିଆର କରାଯାଇଥିବା ଇରାନ ଦାବି କରିଛି।
ଇରାନୀ ସେନାର ଅଭିଯୋଗ ଅନୁସାରେ, ଏହି ଡ୍ରୋନ୍କୁ ପାରସ୍ୟ ଉପସାଗର ଉପକୂଳ ଓ କେଶମ୍ ଦ୍ୱୀପ ଉପରେ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ମୁତୟନ କରାଯାଇଥିଲା।
ଆମେରିକାର ଗ୍ରିଫନ୍ ଏରୋସ୍ପେସ୍ କମ୍ପାନୀ ନିର୍ମିତ MQM-170 ଆଉଟଲ' ଡ୍ରୋନ୍ ମୁଖ୍ୟତଃ ଆକାଶମାର୍ଗରେ ବିପଦର ଅନୁକରଣ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ଓ ସାମରିକ କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ଡିଜାଇନ୍ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜୁନ୍ ୨ ତାରିଖରେ ମଧ୍ୟ ଆମେରିକା କେଶମ୍ ଦ୍ୱୀପରେ ଆକ୍ରମଣ କରିଥିଲା।
ସେତେବେଳେ ଡ୍ରୋନ୍ ଅପରେସନ୍କୁ ନିୟନ୍ତ୍ରଣ କରୁଥିବା ଇରାନର ଏକ ସାମରିକ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ଷ୍ଟେସନ୍କୁ ଟାର୍ଗେଟ୍ କରାଯାଇଥିବା ଆମେରିକା କହିଥିଲା।
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ସେତେବେଳେ ଦାବି କରିଥିଲା ଯେ, ଆଞ୍ଚଳିକ ଜଳପଥ ଦେଇ ଯାଉଥିବା ବେସାମରିକ ଜାହାଜଗୁଡ଼ିକ ଆଡ଼କୁ ଇରାନ ପକ୍ଷରୁ ଆସୁଥିବା ତିନୋଟି ଡ୍ରୋନ୍କୁ ଅଟକାଯାଇଥିଲା।
ଏହାସହ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ଇରାନ ପକ୍ଷରୁ ଉତ୍କ୍ଷେପଣ କରାଯାଇଥିବା ଅନେକ ଡ୍ରୋନ୍ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ମଧ୍ୟ ଅଟକାଯାଇଥିବା ଦାବି କରିଥିଲା।
ଏହାର ଜବାବରେ ଆତ୍ମରକ୍ଷା ପଦକ୍ଷେପ ସ୍ୱରୂପ କେଶମ୍ ଦ୍ୱୀପରେ ଥିବା ଡ୍ରୋନ୍ କଣ୍ଟ୍ରୋଲ୍ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା ବୋଲି CENTCOM ସ୍ପଷ୍ଟ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।