'Vande Mataram: ସରଳ ବିଚାର: ଏକତାର ସ୍ୱର ହେଉ ବନ୍ଦେ ମାତରମ୍
"ସରଳ କୁମାର ଦାସ ଜାତୀୟ ଗୀତ "ବନ୍ଦେ ମାତରମ୍"ର ଗାୟନକୁ ନେଇ ବିବାଦ ଦେଖାଦେଇଛି।
ଏଣିକି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମ୍ର ଛଅଟି ଯାକ ପଦ ଗାୟନ କରାଯିବାର ନିଷ୍ପତ୍ତି ନିଆଯାଇଥିବାବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତିର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ତା"ର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ପ୍ରଥମ ଦୁଇଟି ପଦ ଗାନ କରିବ।
ଏ ବିବାଦ ପରିପ୍ରେକ୍ଷୀରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାରୁ ଏ ନେଇ ଏକ ସ୍ପଷ୍ଟ ଆଲୋଚନାର ଆବଶ୍ୟକତା ରହିଛି।
ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ରଚିତ "ବନ୍ଦେ ମାତରମ୍"ର ମୋଟ ୬ଟି ପଦରୁ ପ୍ରଥମ ଦୁଇଟି ପଦ ତାଙ୍କ ଦ୍ୱାରା ସମ୍ପାଦିତ "ବଙ୍ଗ ଦର୍ଶନ" ପତ୍ରିକାରେ ପ୍ରଥମେ ୧୮୭୫ ମସିହାରେ ପ୍ରକାଶ ପାଇଥିଲା।
୧୮୮୧ ମସିହାରେ ତାଙ୍କ ଉପନ୍ୟାସ "ଆନନ୍ଦ ମଠ" ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଲା, ଯେଉଁଥିରେ "ବନ୍ଦେ ମାତରମ୍"ର ଛଅ ପଦ ବିଶିଷ୍ଟ ସଂସ୍କରଣଟି ସ୍ଥାନିତ ହୋଇଥିଲା।
ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରି ୧୮୯୬ ମସିହାରେ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମ ଥର ଲାଗି ଗାଇଥିଲେ।
୧୯୦୫ ମସିହାରେ "ବଙ୍ଗଭଙ୍ଗ" ଘୋଷଣା ପରେ ବନ୍ଦେ ମାତରମ୍ କ୍ରମେ ଜାତୀୟତାବାଦୀ ଆନ୍ଦୋଳନରେ ଏକ ବଳିଷ୍ଠ ସ୍ଲୋଗାନରେ ପରିଣତ ହେଲା।
ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନେ ମଧ୍ୟ ବନ୍ଦେ ମାତରମ୍ ସ୍ଲୋଗାନ ଦେବା ଲାଗି କୁଣ୍ଠା ପ୍ରକାଶ କରୁ ନ ଥିଲେ।
କିନ୍ତୁ ବିଭିନ୍ନ କାରଣରୁ, ୧୯୦୬-୦୭ ମସିହାରୁ ସେମାନେ ବନ୍ଦେ ମାତରମ୍ ଠାରୁ ଦୂରେଇବାକୁ ଲାଗିଲେ।
୧୯୨୧ ମସିହାରେ ହୋଇଥିବା କଲିକତା ଦଙ୍ଗାରେ ଏହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିରେ ବ୍ୟବହୃତ ହୋଇଥିଲା ବୋଲି ଅଭିଯୋଗ ହେଲା।
୧୯୩୦ ମସିହା ପରଠାରୁ ବନ୍ଦେ ମାତରମ୍ର ଗ୍ରହଣୀୟତାକୁ ନେଇ ପ୍ରମୁଖ ମୁସଲମାନ ନେତାଙ୍କ ମଧ୍ୟରେ ରାଜନୈତିକ ବିମର୍ଶ ଅଧିକ ହେଲା। "ବନ୍ଦେ ମାତରମ୍"କୁ ବିରୋଧ କରିବା ପଛରେ ସେମାନଙ୍କର ଦୁଇଟି ଯୁକ୍ତି ଥିଲା- ଏହା "ଆନନ୍ଦ ମଠ" ଉପନ୍ୟାସର ଅଂଶବିଶେଷ, ଯେଉଁଥିରେ ମୁସଲମାନ ବିରୋଧୀ ଆପତ୍ତିଜନକ ଟିପ୍ପଣିମାନ ସ୍ଥାନିତ ହୋଇଥିଲା ଏବଂ ଏଥିରେ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଭଳି ହିନ୍ଦୁ ଦେବୀଙ୍କର ଅବତାରଣା ଥିଲା, ଯାହା ସେମାନଙ୍କ ମୂର୍ତ୍ତିପୂଜା ବିରୋଧୀ ଧର୍ମବିଶ୍ୱାସ ଦ୍ବାରା ଗ୍ରହଣୀୟ ନୁହେଁ।
୧୯୩୮ ମସିହାରେ ମୁସଲିମ ଲିଗ୍ ଆନୁଷ୍ଠାନିକ ଭାବେ ଏହାର ବିରୋଧ କଲା।
ବ୍ରାହ୍ମ ସମାଜ ଓ ଆର୍ଯ୍ୟ ସମାଜ ମଧ୍ୟ ମୂର୍ତ୍ତି ପୂଜାର ବିରୋଧୀ ହୋଇଥିବାରୁ ପ୍ରଥମ ଦୁଇଟି ପଦ ବ୍ୟତୀତ ଅନ୍ୟ ପଦଗୁଡ଼ିକର ଗାୟନର ପକ୍ଷଧର ନ ଥିଲେ।
ବିବାଦକୁ ଏଡ଼ାଇ ସ୍ୱାଧୀନତା ସଂଗ୍ରାମରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଆବଶ୍ୟକତା ଥିବାରୁ ଏ ସମ୍ପର୍କରେ ୧୯୩୭ ମସିହାରେ ନେହରୁ ଓ ନେତାଜୀଙ୍କ ପକ୍ଷରୁ ରବୀନ୍ଦ୍ରନାଥଙ୍କ ମତ ଲୋଡ଼ା ଯାଇଥିଲା।
କବିଗୁରୁଙ୍କ ସ୍ପଷ୍ଟ ମତ ଥିଲା ଯେ ସବୁ ଧର୍ମ, ସମ୍ପ୍ରଦାୟର ଭାବନାକୁ ସମ୍ମାନ ଜଣାଇ ମାତୃଭୂମିର ଯଶଗାନ କରୁଥିବା ବନ୍ଦେ ମାତରମ୍ର କେବଳ ପ୍ରଥମ ଦୁଇଟି ପଦକୁ ଗାୟନ କରାଯିବା ବିଧେୟ।
ତଦନୁସାରେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତି ଦ୍ୱାରା ବନ୍ଦେ ମାତରମ୍ର ପ୍ରଥମ ଦୁଇଟି ପଦକୁ ଗ୍ରହଣ କରାଗଲା।ସଂସ୍କୃତ ମିଶା ବଙ୍ଗଳାରେ ଲେଖା ଏହି ଗୀତର କ୍ଳିଷ୍ଟତାକୁ ଧ୍ୟାନରେ ରଖି ଏହାକୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯାଇ ନ ଥିଲେ ହେଁ ସ୍ୱାଧୀନତା ସଂଗ୍ରାମରେ ଏହାର ବିଶେଷ ଭୂମିକା ଥିବାରୁ ଏହାକୁ "ଜାତୀୟ ଗୀତ"ର ମାନ୍ୟତା ପ୍ରଦାନ କରାଯିବା ନେଇ ସଂବିଧାନ ପ୍ରଣୟନ ସଭାରେ ଆଲୋଚନା ହୋଇଥିଲା, କିନ୍ତୁ ସେ ନେଇ କୌଣସି ପ୍ରସ୍ତାବ ଗୃହୀତ ହୋଇ ନ ଥିଲା।
୧୯୫୦ ମସିହା, ଜାନୁଆରି ୨୪ ତାରିଖ ଦିନ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହାକୁ ଜାତୀୟ ସଙ୍ଗୀତର ମର୍ଯ୍ୟାଦା ତୁଲ୍ୟ "ଜାତୀୟ ଗୀତ"ର ମାନ୍ୟତା ବିଷୟ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଭାରତ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶରେ ଜାତୀୟ ଗୀତ ପ୍ରଚଳିତ ନୁହେଁ।
ଡେନମାର୍କ ଓ ନିଉଜିଲାଣ୍ଡରେ ଦୁଇଟି ଲେଖାଏଁ ଜାତୀୟ ସଙ୍ଗୀତ ପ୍ରଚଳିତ।
ବଙ୍ଗଳାଦେଶ, ଶ୍ରୀଲଙ୍କା, ଫିନଲାଣ୍ଡ ଭଳି ଦେଶରେ ଜାତୀୟ ସଙ୍ଗୀତ ଭିନ୍ନ ଅନ୍ୟ ଗୀତର ଗାୟନ ହେଉଥିଲେ ବି ସେଗୁଡ଼ିକୁ ଜାତୀୟ ଗୀତର ମାନ୍ୟତା ପ୍ରଦାନ କରାଯାଇ ନାହିଁ।
ଏବେ ଜାତୀୟ ସଂଗୀତର ଗାୟନ ଅବଧି ସଂପର୍କରେ ବିଚାର କରିବା।
୧୭୬ଟି ଦେଶର ଜାତୀୟ ସଙ୍ଗୀତକୁ ନେଇ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ସେଗୁଡ଼ିକର ହାରାହାରି ଅବଧି ମାତ୍ର ୧ ମିନିଟ ୨୩.୭ ସେକେଣ୍ଡ।
ଇଷ୍ଟୋନିଆର ଜାତୀୟ ସଙ୍ଗୀତର ଅବଧି ସବୁଠାରୁ କମ୍ ମାତ୍ର ୩୨ ସେକେଣ୍ଡ ହୋଇଥିଲା ବେଳେ ଉରୁଗୁୟେର ସର୍ବାଧିକ ୪ ମିନିଟ ୩୦ ସେକେଣ୍ଡ।
୧୫୮ ପଦବିଶିଷ୍ଟ ଗ୍ରିସ୍ର ଜାତୀୟ ସଙ୍ଗୀତ "ହିମ୍ ଅଫ୍ ଲିବର୍ଟି" ସବୁଠାରୁ ଦୀର୍ଘ ହୋଇଥିଲେ ବି ଏହାର କେବଳ ପ୍ରଥମ ଦୁଇଟି ପଦ ଗାନ କରାଯାଇଥାଏ।
ଭାରତର ଜାତୀୟ ସଙ୍ଗୀତ "ଜନ ଗଣ ମନ"ର ଅବଧି ୫୨ ସେକେଣ୍ଡ।
କବିଗୁରୁ ରବୀନ୍ଦ୍ରନାଥଙ୍କ ରଚିତ "ଭାରତ ଭାଗ୍ୟ ବିଧାତା" କବିତାରେ ମୋଟ ୫ଟି ପଦରୁ ପ୍ରଥମ ପଦଟିକୁ ଗାନ କରାଯାଉଛି।
ଜାତୀୟ ସଙ୍ଗୀତଗୁଡ଼ିକ ଅଳ୍ପାବଧିର ହେବା ପଛର କାରଣଗୁଡ଼ିକ ହେଲା, ଏତଦ୍ଦ୍ବାରା ନାଗରିକମାନେ ଏହାର ସ୍ୱର ଓ ଶବ୍ଦକୁ ସହଜରେ ମନେ ରଖି ଗାଇ ପାରିବେ ଓ ଜାତୀୟ ସଙ୍ଗୀତ ପ୍ରତି ସେମାନଙ୍କ ଆତ୍ମୀୟତା ବଢ଼ିବ ଏବଂ ଅଧିକ ସଂଖ୍ୟକ ନାଗରିକ ଏହାର ସମୂହ ଗାନ କରିପାରିବେ।
ପୂର୍ଣ୍ଣ ନିବରତା ଅବଲମ୍ବନ କରି ଧୈର୍ଯ୍ୟ ସହକାରେ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ନାଗରିକମାନେ ଏହାକୁ ସମ୍ମାନ ଜଣାଇବାରେ ଅସୁବିଧା ରହିବ ନାହିଁ।
ଏକ ଅଧ୍ୟୟନରୁ ଜଣାପଡ଼େ ଯେ ୩୦ରୁ ୬୦ ସେକେଣ୍ଡ ମଧ୍ୟରେ ସୀମିତ ଥିଲେ ସାଧାରଣ ଭାବେ ଜାତୀୟ ସଂଗୀତ ସହଜରେ ସମସ୍ତଙ୍କ ଧ୍ୟାନକୁ ବାନ୍ଧି ରଖିପାରେ।
କୌଣସି ବିଶେଷ ଅନୁଷ୍ଠାନ ବା ସମାରୋହରେ ତାହା ସର୍ବାଧିକ ୯୦ ସେକେଣ୍ଡ ଯାଏଁ ଯାଇଥାଏ।
ଅତି ଅଧିକରେ ତାହା ଦୁଇ ମିନିଟ ଯାଏଁ ଯାଇପାରେ, ଯହିଁରୁ ଅଧିକ ହେଲେ ଧୈର୍ଯ୍ୟଚ୍ୟୁତି ଘଟିବା ଆରମ୍ଭ ହୁଏ।
ଏପରି ସ୍ଥଳେ ଦୁଇ ପଦ ବିଶିଷ୍ଟ ବନ୍ଦେ ମାତରମ୍ର ଅବଧି ଯାହା ୬୫ ସେକେଣ୍ଡର ଥିଲା, ଏବେ ୩ ମିନିଟ ୧୦ ସେକେଣ୍ଡ ହୋଇଛି।
ବନ୍ଦେ ମାତରମ୍ ଗୀତକୁ ବାଦ୍ୟଯନ୍ତ୍ର ସହ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଭାବେ ପରିବେଷଣ କରାଗଲେ ଯେଉଁ ଦର୍ଶକ ୫ ମିନିଟ ଯାଏଁ ଉପଭୋଗ କରନ୍ତି, ତାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଶୁଣିବାକୁ କୁହାଗଲେ ଅସହଜ ହୋଇ ଉଠନ୍ତି।
ଜାତୀୟ ଗୀତକୁ ସମ୍ମାନ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆମକୁ ଏହି ବାସ୍ତବତାଟିକୁ ମଧ୍ୟ ବିଚାରକୁ ନେବାକୁ ହେବ।
୨୦୨୫ ମସିହା ଡିସେମ୍ୱର ମାସ, ସଂସଦର ୧୫୦ତମ ଅଧିବେଶନରେ ବନ୍ଦେ ମାତରମ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲେ ହେଁ ଏହାର ଛଅଟି ପଦକୁ ଗ୍ରହଣ କରି କୌଣସି ପ୍ରସ୍ତାବ ବା ଆଇନ ପ୍ରଣୀତ ହୋଇ ନଥିଲା।
ତେବେ ୨୦୨୬ ମସିହା ଜାନୁଆରିରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏକ ପ୍ରଶାସନିକ ମାର୍ଗଦର୍ଶିକା ଅନୁଯାୟୀ ବନ୍ଦେ ମାତରମ୍ର ଛଅଟି ଯାକ ପଦକୁ ପତାକା ଉତ୍ତୋଳନ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ସମାରୋହ ଓ ସ୍କୁଲମାନଙ୍କରେ ଗାୟନ କରାଯିବ ବୋଲି କୁହାଗଲା।
ଅର୍ଥାତ୍ ଆଇନରେ ପରିଣତ ହୋଇ ନ ଥିବାରୁ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟତ୍ର କେବଳ ପ୍ରଥମ ଦୁଇଟି ପଦ ଗାଇବା ବେଆଇନ ବା ଦଣ୍ଡନୀୟ ଅପରାଧ ନୁହେଁ।
ଜାତୀୟ ପତାକା, ସଂବିଧାନ ଓ ଜାତୀୟ ସଙ୍ଗୀତ ପ୍ରତି ହେଉଥିବା ଅସମ୍ମାନକୁ ଏଡ଼ାଇବା ପାଇଁ ୧୯୭୧ ମସିହାରେ "ଜାତୀୟ ମର୍ଯ୍ୟାଦା ଅସମ୍ମାନ ନିରୋଧ ଆଇନ" ପ୍ରଣୀତ ହୋଇଥିଲା।
୨୦୨୬ ମସିହା ଅଗଷ୍ଟ ୬ ତାରିଖରୁ "ବନ୍ଦେ ମାତରମ୍" ସେହି ଆଇନ ଅନ୍ତର୍ଭୁକ୍ତ ହୋଇଛି।
ସେହି ଆଇନର ଧାରା ୩ ଅନୁଯାୟୀ ଉଦ୍ଦେଶ୍ୟମୂଳକ ଭାବେ ଜାତୀୟ ଗୀତ ଗାନରେ ବାଧା ଉତ୍ପନ୍ନ କରିବା ବା ଏହାର ସମୂହ ଗାନ ସମୟରେ ଗଣ୍ଡଗୋଳ କରିବା ଏକ ଦଣ୍ଡନୀୟ ଅପରାଧ, ଯେଉଁଥି ଲାଗି ୩ ବର୍ଷ ଯାଏଁ ଜେଲ୍ଦଣ୍ଡ ବା ଅର୍ଥଦଣ୍ଡ ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।
ଉଲ୍ଲେଖଯୋଗ୍ୟ ଯେ ଏହି ଆଇନ ଅନୁଯାୟୀ କେହି ଜାତୀୟ ସଙ୍ଗୀତ ବା ଜାତୀୟ ଗୀତକୁ ନ ଗାଇଲେ ତାହା ଦଣ୍ଡନୀୟ ଭାବେ ପରିଗଣିତ ହେବନାହିଁ ଓ ତାହା ଗାଇବା ପାଇଁ ମଧ୍ୟ କାହାକୁ ବାଧ୍ୟ କରାଯାଇପାରିବ ନାହିଁ।
ଏ ସମ୍ପର୍କରେ "ଜେହୋଭାଜ୍ ୱିଟନେସେସ୍ ଜାତୀୟ ସଙ୍ଗୀତ ମାମଲା"ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରଦତ୍ତ ଐତିହାସିକ ରାୟ ପ୍ରଣିଧାନଯୋଗ୍ୟ।
ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ନୁହେଁ।
ଜାତୀୟ ସଙ୍ଗୀତ ଗାନ ସମୟରେ ଗୀତଟିକୁ ନ ଗାଇ କେବଳ ସମ୍ମାନ ପ୍ରଦର୍ଶନ ପୂର୍ବକ ଠିଆ ହୋଇ ରହିବା ତା" ପ୍ରତି ଅସମ୍ମାନ ନୁହେଁ।
ଏହା ସତ୍ତ୍ୱେ ଅଧିକ ସଂଖ୍ୟକ ଦେଶବାସୀ ସ୍ୱେଚ୍ଛାରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାଇବା ଲାଗି ଉନ୍ମୁଖ ହେବା ଆବଶ୍ୟକ। "ବନ୍ଦେ ମାତରମ୍" ସ୍ୱାଧୀନତା ସଂଗ୍ରାମର ଉଦ୍ଘୋଷ ଥିଲା।
କେବଳ ଦୁଇଟି ଶବ୍ଦ ହିଁ ଅସଂଖ୍ୟ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ଟାଣି ଆଣିଥିଲା।
ତେଣୁ ଏପରି ଏକ ପ୍ରେରଣାଦାୟୀ ଗୀତକୁ ବିବାଦର ପ୍ରସଙ୍ଗ କରି ଆରୋପ ପ୍ରତ୍ୟାରୋପର ଝଡ଼ ସୃଷ୍ଟି କରିବା କରିବା ଦେଶ ପକ୍ଷରେ ହିତକର ନୁହେଁ।
ବନ୍ଦେ ମାତରମ୍କୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ମଧ୍ୟ ଅନୁଚିତ।
ଏହା ଏକତାର ସ୍ୱର ହେବା ବାଂଛନୀୟ। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୦୩୮୦୧୫Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।