Veteran Actress Mithu Mukherjee Dies: କ୍ୟାନସର ସହ ଲଢ଼ି ହାରିଗଲେ; ୮୦ ଦଶକ ଭେଟେରାନ୍ ଅଭିନେତ୍ରୀଙ୍କ ପରଲୋକ, ବଡିଉଡରେ କରିଥିଲେ କାମ

Sep 21, 2026 - 18:52
Veteran Actress Mithu Mukherjee Dies: କ୍ୟାନସର ସହ ଲଢ଼ି ହାରିଗଲେ; ୮୦ ଦଶକ ଭେଟେରାନ୍ ଅଭିନେତ୍ରୀଙ୍କ ପରଲୋକ, ବଡିଉଡରେ କରିଥିଲେ କାମ

ବଙ୍ଗାଳୀ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମିଥୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ପ୍ରାୟ ଏକ ବର୍ଷ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ ଏବଂ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଦୀର୍ଘଦିନ ଧରି ସେ ମୁମ୍ବାଇରେ ରହୁଥିଲେ।

୭୦ ଓ ୮୦ ଦଶକରେ ମିଥୁ ମୁଖାର୍ଜୀ ବଙ୍ଗାଳୀ ସିନେମାର ଜଣେ ଲୋକପ୍ରିୟ ମୁହଁ ଥିଲେ। ନିଜ ଅଭିନୟ ଓ ସ୍କ୍ରିନ୍ ପ୍ରେଜେନ୍ସ ପାଇଁ ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ନିଜ କ୍ୟାରିଅରରେ ସେ ଉତ୍ତମ କୁମାର, ସୌମିତ୍ର ଚାଟାର୍ଜୀ ଓ ରଞ୍ଜିତ ମଲ୍ଲିକଙ୍କ ଭଳି ଅନେକ ପ୍ରତିଷ୍ଠିତ ଅଭିନେତାଙ୍କ ସହ କାମ କରିଥିଲେ।

୧୭ ବର୍ଷ ବୟସରେ ସିନେମାରେ ପାଦ ଥାପିଥିଲେ

୧୯୫୫ ମସିହାରେ କୋଲକାତାରେ ଜନ୍ମିତ ମିଥୁ ମୁଖାର୍ଜୀ ମାତ୍ର ୧୭ ବର୍ଷ ବୟସରେ ସିନେମା ଜଗତରେ ପ୍ରବେଶ କରିଥିଲେ। ୧୯୭୨ରେ ଚିତ୍ତ ବୋସଙ୍କ ନିର୍ଦ୍ଦେଶିତ ‘ଶେଷ ପର୍ବ’ ଫିଲ୍ମରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏଥିରେ ଶମିତ ଭଞ୍ଜା ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ।

ପରେ ଦିନେନ ଗୁପ୍ତାଙ୍କ ‘ମର୍ଜିନା ଅବଦୁଲ୍ଲା’ ଫିଲ୍ମ ତାଙ୍କୁ ବ୍ୟାପକ ପରିଚୟ ଦେଇଥିଲା। ଏଥିରେ ସେ ଦେବରାଜ ରାୟଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ। ଏହାପରେ ସେ ‘ନିଶିକନ୍ୟା’, ‘ମୌଚାକ’, ‘କବି’, ‘ହୋଟେଲ୍ ସ୍ନୋ ଫକ୍ସ’, ‘ପ୍ରତିମା’, ‘ବନ୍ଧନ’, ‘ପ୍ରାର୍ଥନା’ ଓ ‘ସ୍ୱୟଂସିଦ୍ଧା’ ସହ ଅନେକ ବଙ୍ଗାଳୀ ଫିଲ୍ମରେ କାମ କରିଥିଲେ।

ହିନ୍ଦୀ ସିନେମାରେ ମଧ୍ୟ କରିଥିଲେ ଅଭିନୟ

ମିଥୁ ମୁଖାର୍ଜୀଙ୍କ ଅଭିନୟ ଯାତ୍ରା କେବଳ ବଙ୍ଗାଳୀ ସିନେମାରେ ସୀମିତ ନଥିଲା। ୧୯୭୬ରେ ‘ଖାନ ଦୋସ୍ତ’ ଫିଲ୍ମ ଜରିଆରେ ସେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ। ପରବର୍ତ୍ତୀ ସମୟରେ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ‘ସଫେଦ ଝୁଠ’ ସହ ‘ଦିଲ୍ଲଗୀ’ ଓ ‘ଦୋ ଲଡ଼କେ ଦୋନୋ କଡ଼କେ’ ଭଳି ଫିଲ୍ମରେ ମଧ୍ୟ ସେ ନଜର ଆସିଥିଲେ।

ବଙ୍ଗାଳୀ ଓ ହିନ୍ଦୀ ଉଭୟ ସିନେମାରେ କାମ କରି ମିଥୁ ମୁଖାର୍ଜୀ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ତାଙ୍କ ସହଜ ଅଭିନୟ ଶୈଳୀ ଓ ପର୍ଦ୍ଦାରେ ଉପସ୍ଥିତି ସେତେବେଳେ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା।

‘ଆଶ୍ରିତା’ ଥିଲା ଶେଷ ଫିଲ୍ମ

୧୯୮୦ ଦଶକରେ ‘ଦୁଜାନେ’ ଫିଲ୍ମରେ କାମ କରିବା ପରେ ମିଥୁ ମୁଖାର୍ଜୀ ଅଭିନୟରୁ ଦୀର୍ଘ ବିରତି ନେଇଥିଲେ। ପରେ ୧୯୯୦ରେ ଚନ୍ଦ୍ର ବାରୋଟଙ୍କ ‘ଆଶ୍ରିତା’ ଫିଲ୍ମ ଜରିଆରେ ସେ ପୁଣିଥରେ ପର୍ଦ୍ଦାକୁ ଫେରିଥିଲେ। ହେଲେ ଏହା ହିଁ ତାଙ୍କ ଅଭିନୟ ଜୀବନର ଶେଷ ଫିଲ୍ମ ସାବ୍ୟସ୍ତ ହୋଇଥିଲା।

‘ଆଶ୍ରିତା’ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ। ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ଅତ୍ୟନ୍ତ ସାଧାରଣ ଓ ନିରାଡ଼ମ୍ବର ଜୀବନ ବିତାଇଥିଲେ। ବହୁବର୍ଷ ଧରି ପର୍ଦ୍ଦାରୁ ଦୂରେ ରହିଥିଲେ ମଧ୍ୟ ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ଆଜି ବି ସିନେପ୍ରେମୀଙ୍କ ସ୍ମୃତିରେ ରହିଛି।

ମିଥୁ ମୁଖାର୍ଜୀଙ୍କ ପରଲୋକ ସହ ବଙ୍ଗାଳୀ ସିନେମାର ଏକ ସ୍ମରଣୀୟ ଯୁଗର ଆଉ ଜଣେ ପରିଚିତ ଚେହେରା ହଜିଯାଇଛନ୍ତି। ତାଙ୍କ ଅଭିନୟ ଓ ଫିଲ୍ମଗୁଡ଼ିକ ଆଗାମୀ ଦିନରେ ମଧ୍ୟ ସିନେପ୍ରେମୀଙ୍କ ମନରେ ତାଙ୍କୁ ଜୀବନ୍ତ ରଖିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।