Victims Struggle to Celebrate Diwali: ଆଲୋକର ପର୍ବରେ ବୁଡ଼ିଛି ସାରା ରାଜ୍ୟ; ହେଲେ ଧୋଇଯାଇଛି ଗଞ୍ଜାମବାସୀଙ୍କ ଦୀପାବଳି ଖୁସି

Nov 08, 2026 - 20:08
Victims Struggle to Celebrate Diwali: ଆଲୋକର ପର୍ବରେ ବୁଡ଼ିଛି ସାରା ରାଜ୍ୟ; ହେଲେ ଧୋଇଯାଇଛି ଗଞ୍ଜାମବାସୀଙ୍କ ଦୀପାବଳି ଖୁସି

ଗଂଜାମ ଜିଲ୍ଲାବାସୀଙ୍କ ମନରୁ ଏଥର ଦୀପାବଳି ଖୁସି ଛଡ଼ାଇ ନେଇଛି ବାତ୍ୟା ଅର୍ଣ୍ଣବ।

ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଯେଉଁ କ୍ଷତ ସୃଷ୍ଟି କରିଛି, ତାହା ଶୁଖିବାକୁ ଅନେକ ଦିନ ଲାଗିବ।ଘର-ଦ୍ବାର, ଚାଷ-ବାସ ଓ ବ୍ୟବସାୟ ହରାଇ ପ୍ରଶାସନର ସହାୟତାକୁ ଚାହିଁଛନ୍ତି ହଜାର ହଜାର ବିପନ୍ନ।

ଏଭଳି ସ୍ଥିତିର ଖୁସିର ପର୍ବ ଦୀପାବଳି ଆସିଥିବା ବେଳେ, ବନ୍ୟା ବିପନ୍ନଙ୍କ ପାଇଁ କିନ୍ତୁ ଉତ୍ସବର କିଛି ମାନେ ରହିନି।

Advertisment ଏପଟେ ବନ୍ୟା ପ୍ରଭାବିତଙ୍କ ପରିବାରରେ ଟିକେ ଖୁସି ଦେବାକୁ ଅନେକ ବିପନ୍ନ ପରିବାର ପାଖରେ ପହଞ୍ଚି ଦୀପାବଳି କିଟ୍ ବାଣ୍ଟିଛି ଜିଲ୍ଲା ପ୍ରଶାସନ।

ବନ୍ୟା ଛଡାଇ ନେଇଛି ସବୁ ଖୁସି, ଦୀପାବଳିରେ ଦୁଃଖ ଆଣିଦେଇଛି ବନ୍ୟା ବିପର୍ଯ୍ୟୟ।

ଯେଉଁ ସମୟରେ ଦୀପର ଆଲୁଅ, ବାଣର ଢୋ ଢା ଶବ୍ଦ ଆଉ ଚିକମିକ୍ ରଙ୍ଗୀନ ଆଲୋକମାଳାରେ ଗାଁ କମ୍ପିବା କଥା, ସେଠି ଏବେ ରାଜୁତି କରୁଛି ଖାଲି ଦୁଃଖ, ଯନ୍ତ୍ରଣା ଆଉ ଅଭାବମୟ ପରିସ୍ଥିତି।

ଏ ଚିତ୍ର ଗଂଜାମ ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିର।

Advertisment ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସବୁ ଭସାଇ ନେବା ପରେ ଏ ସ୍ଥାନ ଏବେ ଶ୍ମଶାନ ଭୂଇଁ ପାଲଟିଛି।

ଘରଦ୍ବାର ଭାଙ୍ଗିରୁଜି ଚୁରମାର।

ଆଉ ସ୍ବପ୍ନ ସବୁ ବି ଧୂଳିସାତ।

ଆଉ ଏଭଳି ଅବସ୍ଥାରେ ଏ କ୍ଷତିଗ୍ରସ୍ତ ପରିବାର ଦୀପାବଳି ଉତ୍ସବକୁ କେମିତି ପାଳିବେ, ସେ କଥା ଭାବିବା ବେଳକୁ ଆଖିରେ ଜକେଇ ଆସୁଛି ଲୁହ।

କିଛି ନହେଲେ ପିଲାଙ୍କ ଖୁସି ବାଣ କି ଦୀପଟିଏ ଜାଳିବା ସ୍ଥିତିରେ ନାହାନ୍ତି ବହୁ ବନ୍ୟା ବିପନ୍ନ।

ଇଏ ଗଞ୍ଜାମ ସାନଖେମୁଣ୍ଡି ରାମ ନଗର ଗାଁର ଦୃଶ୍ୟ।

ବାତ୍ୟା, ବନ୍ୟାରେ କିଛି ଅସୁବିଧା ହେବନି ବୋଲି ଏ ପରିବାର କିଛି ବର୍ଷ ଆଗରୁ ତିଆରି କରିଥିଲେ ମଜବୁତ ପକ୍କା ଘର।

କିନ୍ତୁ ବନ୍ୟାର ପ୍ରଖର ସ୍ରୋତରେ ସେ ଘର ତାସ ଘର ଭଳି ମାଟିରେ ମିଶିଯିବା ପରେ ଏବେ ସେମାନେ ବାସହୀନ।

ମୁଣ୍ଡ ଉପରୁ ମଜବୁତ ଛାତ ଚାଲିଯିବା ପରେ ଏବେ ପଲିଥିନ କୁଡ଼ିଆ ପାଲଟିଛି ଆଶ୍ରୟସ୍ଥଳୀ।

ଏଭଳି ସ୍ଥିତିରେ ସେମାନେ ଦୀପାବଳି ଉତ୍ସବକୁ ପାଳିବେ ବା କେମିତି।...

ସେହିଭଳି ସାନଖେମୁଣ୍ଡି ଅଞ୍ଚଳରେ ଆହୁରି ଅନେକ ବନ୍ୟା ବିପନ୍ନଙ୍କ ସମାନ ଦୁର୍ଦ୍ଦଶା।

ରହିବାକୁ ଘର ନାହିଁ କି ଖାଇବାକୁ ଖାଦ୍ୟ।

ଭୋକ ଓପାସରେ ଦିନ କଟୁଥିବା ଦୁର୍ଗତଙ୍କ ପାଇଁ ଦୀପାବଳିର ମାନେ ବା କଣ ?

ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ସ୍ଥିତି ଅତି ଉଦବେଗଜନ ଥିବା ଏବଂ ଉତ୍ସବ ସମୟରେ ଲୋକଙ୍କ ପାଖରେ କିଛି ବି ନଥିବାରୁ ଏପଟେ ଜିଲ୍ଲା ପ୍ରଶାସନ ନେଇଛି ସୁନ୍ଦର ପଦକ୍ଷେପ।

କିଛି ଅଞ୍ଚଳରେ ବନ୍ୟାରେ ବିପନ୍ନ ହୋଇଥିବା ଅଭାବୀ ଓ ଅସହାୟ ପରିବାର ପାଖରେ ପହଞ୍ଚି, ସେମାନଙ୍କୁ ଦୀପାବଳି କିଟ୍ ବାଣ୍ଟିଛନ୍ତି ଖୋଦ୍ ଜିଲ୍ଲାପାଳ।

ସେହିଭଳି ଜିଲ୍ଲା ପ୍ରଶାସନ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସମାନ ଢଙ୍ଗରେ ଦୀପାବଳି କିଟ୍ ବାଣ୍ଟି ଏଭଳି ଅସମୟରେ ସହାନୁଭୁତି ଦେଖାଇଛନ୍ତି।

ଅର୍ଣ୍ଣବ ପ୍ରଭାବରେ ଆସିଥିବା ବନ୍ୟାରେ ଗଞ୍ଜାମର ଜିଲ୍ଲାର ୨୨ଟି ବ୍ଳକ୍ ର ୩୬୬ଟି ଗାଁ ଓ ୧୮ଟି ସହରାଞ୍ଚଳ ପ୍ରଭାବିତ ହୋଇଥିଲା।

ଯେଉଁଥିରେ ୪୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।