Vigilance Raid Exposes Hidden Wealth: ଚାକିରି କିରାଣୀ ଭଳି, ଥାଟବାଟ କିନ୍ତୁ IAS ମାର୍କା; ଆୟ ଯେତିକି, ସମ୍ପତ୍ତି ତା'ଠୁ ଢେର ଅଧିକ

Jun 30, 2026 - 20:01
Vigilance Raid Exposes Hidden Wealth:  ଚାକିରି କିରାଣୀ ଭଳି, ଥାଟବାଟ କିନ୍ତୁ IAS ମାର୍କା; ଆୟ ଯେତିକି, ସମ୍ପତ୍ତି ତା'ଠୁ ଢେର ଅଧିକ

ବୁର୍ଲା ଭିମସାରରେ କିରାଣୀ ଚାକିରି। ହେଲେ ଜୀବନଶୈଳୀ ଥିଲା କୋଟିପତିଙ୍କ ଭଳି। ଆୟ ଯେତିକି, ସମ୍ପତ୍ତି ତା'ଠୁ ଢେର ଅଧିକ। ଭିଜିଲାନ୍ସ ଚଢ଼ାଉ ପରେ ଖୋଲିଛି କଳା ସାମ୍ରାଜ୍ୟର ଗୁମର। ମିଳିଛି ବଣ୍ଡଲ ବଣ୍ଡଲ ନୋଟ୍ ଓ ମାଳ ମାଳ ପ୍ଲଟ୍। ଜଣେ ନୁହେଁ, ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଦୁଇ ଜଣ କର୍ମଚାରୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍। ଆଉ ସେମାନଙ୍କ ଆୟ ବାହାର ସମ୍ପତ୍ତିର ହିସାବର ଖୋଳତାଡ଼ ଚଳାଇଛନ୍ତି।...

ଘର ଭିତରୁ ମିଳିଲା ପୁଳା ପୁଳା ଟଙ୍କା, ବିଡ଼ା ବିଡ଼ା ନୋଟ୍। ୧୦, ୨୦, ୫୦, ୧୦୦, ୨୦୦ରୁ ଆରମ୍ଭ କରି ୫୦୦ ପର୍ଯ୍ୟନ୍ତ ସବୁ ନୋଟ୍। ସୁନା, କୋଠା, ପ୍ଲଟ୍ ଆଉ ଗାଡ଼ିକୁ ଦେଖିଲେ ଆୟଠୁ ଢେର ଅଧିକ ବାବୁଙ୍କ ସମ୍ପତ୍ତି।

ଖଟରେ ଧାଡ଼ି ଧାଡ଼ି କରି ରଖାଯାଇଥିବା ଏ ଟଙ୍କା ବଣ୍ଡଲ ଉପରେ ନଜର ପକାଇ ନିଅନ୍ତ। ପୂରା ଖଟ ଫୁଲ୍। ଧାଡ଼ିରେ ପୁଣି ଥାକ ମାରିଲା ଭଳି ରଖାଯାଇଛି। ଏହା କୌଣସି ଲୁଟେରା ଗ୍ୟାଙ୍ଗଠୁ ଜବତ ହୋଇନି। ଜଣେ ସରକାରୀ ଅଫିସରଙ୍କ ଘରୁ ମିଳିଛି। ଭିଜିଲାନ୍ସ ରାଡାରକୁ ଆସିବା ପରେ ଫିଟିଛି ବାବୁଙ୍କ ଗୁମର। ବୁର୍ଲା ଭିମସାର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳଙ୍କ ଘରେ ପଞ୍ଝା ମାରିବା ପରେ ଟଙ୍କା ବିଡ଼ା ଦେଖି ଭିଜିୱାନ୍ସ ମୁଣ୍ଡ ଟିଣ ହୋଇଛି। 

୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟ୍। ଆଜି ରେଡରୁ ମିଳିଛି ୧୯ ଲକ୍ଷ ୭୨ ହଜାର ନଗଦ କ୍ୟାସ୍। ତାସହ ସୁନା ଓ ରୁପା ଗହଣା ବି ମିଳିଛି। ଏଥିସହ ବାବୁ ଧନୁର୍ଦ୍ଧରଙ୍କର ସମ୍ବଲପୁରରେ ୨ଟି ଘର ଓ ପ୍ରାଇମ୍ ଲୋକେସନରେ ରହିଛି ୨୦ ପ୍ଲଟ। ସେହିଭଳି ଗୋଟିଏ ହାଇୱା ଟ୍ରକ୍, ଗୋଟିଏ କାର ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀର ତାଲିକା କରୁଛି ଭିଜିଲାନ୍ସ।

ଧନୁର୍ଦ୍ଧରଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭିମସାରର ଆଉ ଜଣେ କର୍ମଚାରୀ। ଇଏ ହେଉଛନ୍ତି ଷ୍ଟିୱାର୍ଡ ଅଶ୍ବିନୀ ମେହେର। ତାଙ୍କର ସମ୍ବଲପୁର, ବୁର୍ଲା ଓ ବରଗଡ଼ରେ ଥିବା ୫ଟି ଠିକଣାରେ ପଞ୍ଛା ମାରିଛି ଭିଜିଲାନ୍ସ। ତାଙ୍କ ଘରୁ ଟଙ୍କା ଓ ସୁନା ଗହଣା ମିଳି ନଥିଲେ ବି ମାଳ ମାଳ ପ୍ଲଟ କିଣିବା ଥିଲା ତାଙ୍କ ସଉକ। ଅଶ୍ବିନୀ କିଣିଥିଲେ ୧୦ଟି ବହୁମୂଲ୍ୟ ପ୍ଲଟ୍। 

ଏଥିରୁ ବୁର୍ଲାରେ ୬ଟି ଏବଂ ସମ୍ବଲପୁର ଓ ବରଗଡ଼ରେ ରହିଛି ୨ଟି ଲେଖାଏଁ ପ୍ଲଟ୍। ସେହିପରି ବୁର୍ଲାରେ ୬୫୦୦ ବର୍ଗଫୁଟର ଗୋଟିଏ ନିର୍ମାଣଧୀନ ୪ ମହଲା ବିଲଡିଂ ସହ ଗୋଟିଏ ଘର ବି ରହିଛି। ବରଗଡ଼ରେ ଘର ଓ ସମ୍ବଲପୁରରେ ଅଛି ଷ୍ଟୋର ରୁମ୍। ବ୍ୟାଙ୍କ, ପୋଷ୍ଟାଲ୍ ଡିପୋଜିଟ୍ ଓ ବିଭିନ୍ନ ଆର୍ଥିକ ବିନିଯୋଗର ଖୋଳତାଡ଼ କରୁଛି ଭିଜିଲାନ୍ସ।

ଭିଜିଲାନ୍ସର ରାଡାରକୁ ଆସିବା ପରେ ଫିଟିଛି ଭିମସାରର ଦୁଇ କର୍ମଚାରୀଙ୍କ ସମ୍ପତ୍ତି ପେଡ଼ି। ରେଡ୍ ସରିବା ପରେ ସ୍ପଷ୍ଟ ହେବ ଆୟ ଅପେକ୍ଷା କେତେ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଧନୁର୍ଦ୍ଧର ଓ ଅଶ୍ବିନୀ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।