Vijay Announces Grand Chennai Makeover: ବିଜୟଙ୍କ ବଡ଼ ଘୋଷଣା, ହଜାରେ କୋଟିର ମେଗା ପ୍ଲାନ୍

Sep 03, 2026 - 18:47
Vijay Announces Grand Chennai Makeover: ବିଜୟଙ୍କ ବଡ଼ ଘୋଷଣା, ହଜାରେ କୋଟିର ମେଗା ପ୍ଲାନ୍

ଚେନ୍ନାଇକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ବଡ଼ ଯୋଜନା । ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଗୁରୁବାର ବିଧାନସଭାରେ ତିନିଟି ମେଗା ପ୍ରକଳ୍ପର ଘୋଷଣା କରିଛନ୍ତି । ୧୨ ଶହ କୋଟି ଟଙ୍କା ବ୍ୟୟରେ ନୂଆ ସଚିବାଳୟ ଓ ବିଧାନସଭା କମ୍ପ୍ଲେକ୍ସ, ବିଶ୍ୱସ୍ତରୀୟ ଅଲିମ୍ପିକ୍ ସିଟି ଏବଂ ଫର୍ମୁଲା ରେସିଂ ପାଇଁ ସ୍ୱତନ୍ତ୍ର ମୋଟର ସ୍ପୋର୍ଟ୍ସ ସିଟି ନିର୍ମାଣ ହେବ।

ନୂଆ ସଚିବାଳୟ ଓ ବିଧାନସଭା କମ୍ପ୍ଲେକ୍ସର କ୍ଷେତ୍ରଫଳ ହେବ ପ୍ରାୟ ୨୦ ଲକ୍ଷ ବର୍ଗଫୁଟ୍ । ଏଠାରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଗୋଟିଏ ପରିସରରେ ଅଣାଯିବ । ଆଗାମୀ ୧୦୦ ବର୍ଷର ପ୍ରଶାସନିକ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ମେଗା ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଆଧୁନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ପାର୍କିଂ, ସମ୍ମିଳନୀ ହଲ୍ ଓ ଗ୍ରୀନ୍ ବିଲ୍ଡିଂ ମାନକ ଏଥିରେ ରହିବ ।

ପ୍ରାୟ ୪୦୦ ବର୍ଷ ଧରି ତାମିଲନାଡୁର ପ୍ରଶାସନିକ କେନ୍ଦ୍ର ରହିଆସିଥିବା ଫୋର୍ଟ ସେଣ୍ଟ ଜର୍ଜର ଐତିହ୍ୟକୁ ମଧ୍ୟ ସୁରକ୍ଷିତ ରଖାଯିବ । ସେଠାକାର ଐତିହାସିକ କୋଠାଗୁଡ଼ିକୁ ହେରିଟେଜ୍ ଷ୍ଟ୍ରକ୍ଚର ଭାବେ ସଂରକ୍ଷଣ କରାଯିବ ।

ଅନ୍ୟପଟେ, ଚେନ୍ନାଇରେ ନିର୍ମାଣ ହେବ ତାମିଲନାଡୁ ଅଲିମ୍ପିକ୍ ସିଟି । ଅତ୍ୟାଧୁନିକ କ୍ରୀଡ଼ା ଷ୍ଟାଡିୟମ, ହାଇ ପରଫର୍ମାନ୍ସ ଟ୍ରେନିଂ ସେଣ୍ଟର, ସ୍ପୋର୍ଟ୍ସ ସାଇନ୍ସ ଓ ସ୍ପୋର୍ଟ୍ସ ମେଡିସିନ୍ ସେଣ୍ଟର ସହ ଖେଳାଳି ଓ କୋଚ୍‌ଙ୍କ ପାଇଁ ରହିବ ସ୍ୱତନ୍ତ୍ର ରହଣି ବ୍ୟବସ୍ଥା । ଅଲିମ୍ପିକ୍ ସମେତ ବଡ଼ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତାମିଲନାଡୁର ଖେଳାଳିଙ୍କ ପଦକ ସଂଖ୍ୟା ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ ।

ସେହିପରି ଚେନ୍ନାଇର ଫର୍ମୁଲା ୱାନ୍ ସ୍ୱପ୍ନକୁ ସାକାର କରିବାକୁ ଘୋଷଣା ହୋଇଛି ମୋଟର ସ୍ପୋର୍ଟ୍ସ ସିଟି । ଏଠାରେ ଫର୍ମୁଲା ୧, ଫର୍ମୁଲା ୨, ଫର୍ମୁଲା ୩ ଓ ଫର୍ମୁଲା ୪ ଭଳି ଅନ୍ତର୍ଜାତୀୟ ମାନର ରେସିଂ ଇଭେଣ୍ଟ ଆୟୋଜନ କରିବାର ଯୋଜନା ରହିଛି । ଏହାସହ ନୂଆ ପେସାଦାର ରେସର୍ ସୃଷ୍ଟି ପାଇଁ ଟ୍ରେନିଂ ସୁବିଧା ମଧ୍ୟ ଉପଲବ୍ଧ ହେବ ।

କ୍ରୀଡ଼ା, ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଗତି ଦେବା ସହ ଚେନ୍ନାଇକୁ ଏକ ବିଶ୍ୱସ୍ତରୀୟ ଗନ୍ତବ୍ୟରେ ପରିଣତ କରିବା ଏହି ମେଗା ଯୋଜନାର ଲକ୍ଷ୍ୟ । ୨୦୨୮ ସୁଦ୍ଧା ଭାରତକୁ ପୁଣି ଫର୍ମୁଲା ୱାନ୍ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା କରୁଥିବାବେଳେ, ଚେନ୍ନାଇର ଏହି ଘୋଷଣାକୁ ନେଇ ବଢ଼ିଛି ଚର୍ଚ୍ଚା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।