Visa Rejection Saves Life: ଦୁଃଖ ଦେଇଥିଲା ଭିସା ରିଜେକ୍ସନ୍, ନେପାଳ ଯାଇଥିବା ୩୨ ସହଯାତ୍ରୀଙ୍କ ପତ୍ତା ମିଳୁନି

Aug 27, 2026 - 17:55
Visa Rejection Saves Life: ଦୁଃଖ ଦେଇଥିଲା ଭିସା ରିଜେକ୍ସନ୍, ନେପାଳ ଯାଇଥିବା ୩୨ ସହଯାତ୍ରୀଙ୍କ ପତ୍ତା ମିଳୁନି

ଯେଉଁ ଭିସା ରିଜେକ୍ସନ୍ ଦିନେ ଦୁଃଖ ଦେଇଥିଲା, ଆଜି ସେହି ଭିସା ରିଜେକ୍ସନ୍ ହିଁ ଜୀବନ ବଞ୍ଚାଇଦେଲା। କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ଭିସା ନମିଳିବାରୁ ନେପାଳ ଯାଇପାରିନଥିଲେ ପଶ୍ଚିମବଙ୍ଗର ୬୧ ବର୍ଷୀୟ ତପତୀ ସିଂହ। ଏବେ ତାଙ୍କ ସହ ଯାତ୍ରା କରିବାକୁ ଥିବା ୩୨ ଜଣଙ୍କ ପତ୍ତା ମିଳୁନାହିଁ।

କୈଳାସ ଯାତ୍ରା ପାଇଁ ତପତୀ ସିଂହ ମେ ମାସରୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୧୩ ଦିନିଆ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସାମଗ୍ରୀ କିଣାକିଣିଠାରୁ ଆରମ୍ଭ କରି ଟ୍ରେକିଂ ପ୍ରାକ୍ଟିସ୍ ପର୍ଯ୍ୟନ୍ତ ସବୁଥିରେ ସାମିଲ ହୋଇଥିଲେ।

ହେଲେ ଯାତ୍ରାର କିଛି ଦିନ ପୂର୍ବରୁ ତାଙ୍କ ଚୀନ୍ ଭିସା ରିଜେକ୍ଟ ହୋଇଥିବା ଜଣାପଡ଼ିଥିଲା। କାହିଁକି ଭିସା ରିଜେକ୍ଟ ହେଲା, ତାହାର କୌଣସି କାରଣ ମଧ୍ୟ ଦିଆଯାଇନଥିଲା। ନିରାଶ ହୋଇ ତପତୀ ଯାତ୍ରା ବାତିଲ କରି ଲଦାଖ ଚାଲିଯାଇଥିଲେ।

କିନ୍ତୁ ଏହାପରେ ବଦଳିଗଲା ପୂରା କାହାଣୀ। ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ରେ ଗୋଟିଏ ଦିନ ତଳେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ଭିସା ମିଳିଥାନ୍ତା, ତପତୀ ମଧ୍ୟ ନେପାଳ ଯାଇଥିବା ୩୩ ଜଣିଆ ଦଳରେ ରହିଥାନ୍ତେ।

ଏବେ ସେହି ଦଳର ୩୨ ଜଣଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଯାତ୍ରା ଆୟୋଜନ କରିଥିବା କୋଲକାତାର ଟ୍ରାଭେଲ୍ ଏଜେନ୍ସିର ନେପାଳ ସ୍ଥିତ ସହଯୋଗୀ ସଂସ୍ଥା ମଧ୍ୟ ଯାତ୍ରୀମାନଙ୍କ ସହ ସମ୍ପର୍କ କରିପାରିନାହିଁ।ଏଜେନ୍ସି ପକ୍ଷରୁ ୪ ଜଣ ଅଧିକାରୀଙ୍କୁ ନେପାଳ ପଠାଯାଇଛି। ସେମାନଙ୍କଠାରୁ ସନ୍ଧ୍ୟା ସୁଦ୍ଧା କିଛି ସୂଚନା ମିଳିବ ବୋଲି ଆଶା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।