Vladimir Putin's Aurus, Xi Jinping's Hongqi: ଗାଡ଼ି ନା ଚଳନ୍ତା ଦୁର୍ଗ? ଜାଣନ୍ତୁ ପୁଟିନ-ଜିନପିଙ୍ଗଙ୍କ କାର୍ର ରହସ୍ୟ
ବିଶ୍ୱନେତାଙ୍କ ଗସ୍ତ ବେଳେ ନଜର ଥାଏ ସୁରକ୍ଷା ବ୍ୟବସ୍ଥା ଉପରେ, ଆଉ ସେହି ସୁରକ୍ଷା ବଳୟର ମଝିରେ ଥାଏ ଏକ ବିଶେଷ କାର୍। ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ପାଇଁ ପହଞ୍ଚିଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରାଷ୍ଟ୍ରପତି ଗାଡ଼ି ଏବେ ଚର୍ଚ୍ଚାରେ। ପୁଟିନଙ୍କ ''ଅରସ୍ ସେନାଟ୍'' ଏବଂ ଜିନପିଙ୍ଗଙ୍କ ''ହୋଙ୍ଗଚି ଏନ୍-୭୦୧'' କେବଳ ଆରାମଦାୟକ ଗାଡ଼ି ନୁହେଁ; ଏଗୁଡ଼ିକ ଦୁଇ ଦେଶର ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଆତ୍ମନିର୍ଭରତାର ଚଳନ୍ତା ପ୍ରଦର୍ଶନୀ।
ରୁଷ୍ର ‘ଫର୍ଟ୍ରେସ୍ ଅନ୍ ହ୍ୱିଲ୍ସ’
ପ୍ରଥମେ ଆସନ୍ତୁ ଜାଣିବା ପୁଟିନଙ୍କ 'ଅରସ୍ ସେନାଟ୍' କଥା।
ବିଦେଶ ଗସ୍ତ ସମୟରେ ପୁଟିନ ସାଧାରଣତଃ ନିଜର ବ୍ୟକ୍ତିଗତ 'ଅରସ୍ ସେନାଟ୍' ବ୍ୟବହାର କରନ୍ତି। ଏହି ଗାଡ଼ିକୁ ପ୍ରାୟତଃ ‘ଫର୍ଟ୍ରେସ୍ ଅନ୍ ହ୍ୱିଲ୍ସ’ ବା ଚକା ଉପରେ ଦୁର୍ଗ ବୋଲି କୁହାଯାଏ।୨୦୧୮ରେ ଏହାକୁ ଉନ୍ମୋଚନ କରାଯାଇଥିଲା। ରୁଷ୍ର କୋର୍ତେଜ୍ ପ୍ରକଳ୍ପ ଅଧୀନରେ ବିକଶିତ ଏହି ଲିମୋଜିନ୍ର ଉଦ୍ଦେଶ୍ୟ ଥିଲା ବିଦେଶୀ ଗାଡ଼ି ଉପରେ ନିର୍ଭରଶୀଳତା କମାଇ ଦେଶୀ ରାଷ୍ଟ୍ରପତି ଗାଡ଼ି ତିଆରି କରିବା।
'ଅରସ୍ ସେନାଟ୍'ର ଡିଜାଇନ୍ରେ ପୁରୁଣା ସୋଭିଏତ୍ ZIS-110 ଲିମୋଜିନ୍ର ଛାପ ମଧ୍ୟ ଦେଖିବାକୁ ମିଳେ। ଏହି ଗାଡି ପ୍ରାୟ ୫୯୮ ହର୍ସପାୱାର ଶକ୍ତି ଏବଂ ୮୮୦ ନ୍ୟୁଟନ୍-ମିଟର ଟର୍କ ଦେଇଥାଏ। ଏଥିରେ ୯-ସ୍ପିଡ୍ ଅଟୋମାଟିକ ଗିଅରବକ୍ସ ଓ ଅଲ୍-ହ୍ୱିଲ୍ ଡ୍ରାଇଭ୍ ରହିଛି।
କିନ୍ତୁ ଏହି ଗାଡ଼ିର ସବୁଠୁ ବଡ଼ ବିଶେଷତା ହେଉଛି ସୁରକ୍ଷା। ରିପୋର୍ଟ ଅନୁସାରେ, ଗାଡ଼ିର ଶକ୍ତିଶାଳୀ ବନ୍ଧୁକରୁ ଗୁଳି, ଗ୍ରେନେଡ୍ ବିସ୍ଫୋରଣ ଏବଂ ଗାଡ଼ି ତଳୁ ହେଉଥିବା ବିସ୍ଫୋରଣରୁ ସୁରକ୍ଷା ଦେବା ପାଇଁ ତିଆରି। ବୁଲେଟ୍-ରେଜିଷ୍ଟାଣ୍ଟ ମଲ୍ଟି-ଲେୟର୍ କାଚ, ରନ୍-ଫ୍ଲାଟ୍ ଟାୟାର୍, ସୁଦୃଢ଼ ଇନ୍ଧନ ଟାଙ୍କି, ଜରୁରୀକାଳୀନ ବାହାରିବା ବ୍ୟବସ୍ଥା ଏବଂ ସ୍ୱତନ୍ତ୍ର ଅକ୍ସିଜେନ୍-ଫିଲ୍ଟରେସନ୍ ସିଷ୍ଟମ୍ ଭଳି ବ୍ୟବସ୍ଥା ମଧ୍ୟ ରହିଛି।
ଚୀନ୍ର ‘ରେଡ୍ ଫ୍ଲାଗ୍’
ଏବେ ଜାଣନ୍ତୁ ଚୀନ୍ ରାଷ୍ଟ୍ରପତିଙ୍କ 'ହୋଙ୍ଗଚି ଏନ୍-୭୦୧' କାର ବିଷୟରେ।
‘ହୋଙ୍ଗଚି' ଅର୍ଥ ହେଉଛି ‘ରେଡ୍ ଫ୍ଲାଗ୍’ ବା ଲାଲ୍ ପତାକା। ଦୀର୍ଘଦିନ ଧରି ଏହି ବ୍ରାଣ୍ଡ ଚୀନ୍ର ରାଜନୈତିକ ଓ ଶାସକ ବର୍ଗ ସହ ଜଡ଼ିତ।
ଏନ୍-୭୦୧ର ଲମ୍ବ ୫.୫ ମିଟରରୁ ଅଧିକ ଏବଂ ଓଜନ ୩ ଟନ୍ରୁ ଅଧିକ ବୋଲି ଅନୁମାନ କରାଯାଏ। ଏହାର ଅଧିକ ଓଜନର ଏକ ବଡ଼ ଅଂଶ ଆର୍ମର୍ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟବହୃତ ହୋଇଥିବା କୁହାଯାଏ।
ଚୀନ୍ ସରକାର ଏହି ଗାଡ଼ିର ସମ୍ପୂର୍ଣ୍ଣ ପ୍ରାଯୁକ୍ତିକ ବିବରଣୀ ସାର୍ବଜନୀନ କରିନାହିଁ। ତେବେ ରିପୋର୍ଟ ଅନୁସାରେ ଏଥିରେ ଭାରୀ ଆର୍ମର୍, ବୁଲେଟ୍-ରେଜିଷ୍ଟାଣ୍ଟ କାଚ, ସୁଦୃଢ଼ ବଡିୱର୍କ ଏବଂ ୨୧ ଇଞ୍ଚର ବୁଲେଟ୍ପ୍ରୁଫ୍ ଚକ ଓ ଟାୟାର୍ ରହିଛି।
ରାଷ୍ଟ୍ରପତି ଗାଡ଼ି ଭିତରୁ ମଧ୍ୟ ନିରାପଦ ଭାବେ ଯୋଗାଯୋଗ ଓ କାର୍ଯ୍ୟ କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ଜୀବନ-ସହାୟତା ବ୍ୟବସ୍ଥା ଏବଂ ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ରହିଛି। ଏହାର ଇଞ୍ଜିନ୍ ସମ୍ପର୍କରେ ମଧ୍ୟ ଅଧିକାରିକ ତଥ୍ୟ ସୀମିତ। ତେବେ ପ୍ରାୟ ୬.୦ ଲିଟର V12 engine ଏବଂ ପ୍ରାୟ ୪୦୮ ହର୍ସପାୱାର ଶକ୍ତି ସମ୍ପର୍କରେ ରିପୋର୍ଟ ରହିଛି।
କାହିଁକି ଏହି ଦୁଇ କାର୍ ଏତେ ଗୁରୁତ୍ୱପୂର୍ଣ୍ଣ?
''ଅରସ୍ ସେନାଟ୍'' ହେଉ କି ''ହୋଙ୍ଗଚି ଏନ୍-୭୦୧'', ଦୁଇଟି ଗାଡ଼ି ନିଜ ନିଜ ଦେଶରେ ତିଆରି ହୋଇଥିବା ରାଷ୍ଟ୍ରପତି ସ୍ତରର ସୁରକ୍ଷିତ କାର। ଅର୍ଥାତ୍, ଏହା କେବଳ ରାଷ୍ଟ୍ରପତିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ମାଧ୍ୟମ ନୁହେଁ। ବିଦେଶୀ ବ୍ରାଣ୍ଡ ଉପରେ ନିର୍ଭର ନକରି ନିଜ ଦେଶରେ ଏପରି ଉଚ୍ଚ ସୁରକ୍ଷାଯୁକ୍ତ ଲିମୋଜିନ୍ ତିଆରି କରିବା, ଉଭୟ ରୁଷ୍ ଓ ଚୀନ୍ ପାଇଁ ଏକ ବଡ଼ ପ୍ରତୀକାତ୍ମକ ବାର୍ତ୍ତା।
ବ୍ରିକ୍ସ ଭଳି ଅନ୍ତର୍ଜାତୀୟ ସମ୍ମିଳନୀରେ ଯେତେବେଳେ ଏହି ଗାଡ଼ିଗୁଡ଼ିକ ରାସ୍ତାରେ ଚାଲେ, ସେତେବେଳେ ଏହାର ଅର୍ଥ କେବଳ ‘ରାଷ୍ଟ୍ରପତିଙ୍କ ସୁରକ୍ଷା’ରେ ସୀମିତ ରହେନାହିଁ। ଏହା ଦେଖାଏ, ନିଜସ୍ୱ ପ୍ରଯୁକ୍ତି, ଶିଳ୍ପ କ୍ଷମତା, ସୁରକ୍ଷା ଏବଂ ରଣନୈତିକ ଆତ୍ମନିର୍ଭରତାର ଏକ ଚଳନ୍ତା ପ୍ରଦର୍ଶନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।