WhatsApp Users Beware: ଫୋନ୍ରେ SIM ନାହିଁ ତ ବନ୍ଦ ହେବ WhatsApp? ଜାଣନ୍ତୁ ନୂଆ ନିୟମ
ଆପଣ ମଧ୍ୟ ଫୋନ୍ରୁ SIM କାର୍ଡ କାଢ଼ି ଅନ୍ୟ ଫୋନ୍ରେ WhatsApp ଚଳାଉଛନ୍ତି କି?
ଅଥବା କେବଳ Wi-Fi ବ୍ୟବହାର କରି WhatsApp ଓ Telegramରେ ମେସେଜ୍ କରୁଛନ୍ତି କି?
ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ।
ଜାନୁଆରୀ ୧, ୨୦୨୭ରୁ ମେସେଜିଂ ଆପ୍ଗୁଡ଼ିକ ପାଇଁ ଲାଗୁ ହୋଇପାରେ ନୂଆ SIM-binding ନିୟମ।
ଏହି ନିୟମ ଅନୁଯାୟୀ, ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରର ସକ୍ରିୟ SIM ଫୋନ୍ରେ ନଥିଲେ ଆପ୍ର ବ୍ୟବହାର ପ୍ରଭାବିତ ହୋଇପାରେ।
Advertisment ତେବେ ଏହି ନିୟମର ଅର୍ଥ କ'ଣ?
କେଉଁମାନେ ପ୍ରଭାବିତ ହେବେ?
WhatsApp ଓ Telegram ବ୍ୟବହାରକାରୀଙ୍କୁ କ'ଣ କରିବାକୁ ପଡ଼ିବ?
ଆସନ୍ତୁ ଜାଣିବା ସବୁକିଛି।
କାହିଁକି ଆସୁଛି ନୂଆ ନିୟମ?
ସାଇବର ଠକେଇ, ଫିସିଂ ଓ ଡିଜିଟାଲ୍ ଆରେଷ୍ଟ ଭଳି ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଟେଲିକମ୍ ବିଭାଗ (DoT) ଏହି ପଦକ୍ଷେପ ନେଇଛି।
ସରକାରଙ୍କ ଅନୁସାରେ, କିଛି ଠକ ଭାରତୀୟ ମୋବାଇଲ୍ ନମ୍ବରରେ SIM କିଣି ମେସେଜିଂ ଆକାଉଣ୍ଟ ଖୋଲିବା ପରେ ବିଦେଶରୁ ମଧ୍ୟ ଠକେଇ କାର୍ଯ୍ୟ ଚଳାଉଛନ୍ତି।
Advertisment ଏହି ପରିସ୍ଥିତିରେ ମେସେଜିଂ ଆକାଉଣ୍ଟକୁ ସକ୍ରିୟ SIM ସହ ଯୋଡ଼ି ରଖିବା ଦ୍ୱାରା ଠକଙ୍କୁ ଚିହ୍ନଟ କରିବା ସହ ଜାଲିଆତି ରୋକିବା ସହଜ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।
୩୧ ଡିସେମ୍ବର ସୁଦ୍ଧା କ'ଣ କରିବାକୁ ପଡ଼ିବ?
ଟେଲିକମ୍ ବିଭାଗ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଡିସେମ୍ବର ୩୧, ୨୦୨୬ ସୁଦ୍ଧା ନୂଆ ନିୟମ ପାଳନ କରିବାକୁ ସମୟ ଦେଇଛି।
ଜାନୁଆରୀ ୧, ୨୦୨୭ରୁ ଏହି ନିୟମ କାର୍ଯ୍ୟକାରୀ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ଏହି ପରିବର୍ତ୍ତନ ପାଇଁ ବିଶେଷ କରି ନିମ୍ନଲିଖିତ ବ୍ୟବହାରକାରୀମାନେ ସତର୍କ ରହିବା ଆବଶ୍ୟକ। • ଯେଉଁମାନେ ଗୋଟିଏ ଫୋନ୍ରେ SIM ରଖି ଅନ୍ୟ ଫୋନ୍ରେ WhatsApp ଚଳାଉଛନ୍ତି। • ଯେଉଁମାନେ SIM କାଢ଼ିଦେବା ପରେ ମଧ୍ୟ ମେସେଜିଂ ଆପ୍ ବ୍ୟବହାର କରୁଛନ୍ତି। • ଯେଉଁମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରର SIM ନିଷ୍କ୍ରିୟ ହୋଇଯାଇଛି। • ଯେଉଁମାନେ କେବଳ Wi-Fi ମାଧ୍ୟମରେ ମେସେଜିଂ ଆପ୍ ବ୍ୟବହାର କରୁଛନ୍ତି।
ତେବେ ନିୟମର ପ୍ରକୃତ ପ୍ରଭାବ ଆପ୍ଗୁଡ଼ିକ ଏହାକୁ କିପରି କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ନିର୍ଭର କରିବ।
କେଉଁ କେଉଁ ଆପ୍ରେ ଲାଗୁ ହୋଇପାରେ ନିୟମ?
WhatsApp ଓ Telegram ସମେତ Signal, Snapchat, Arattai, ShareChat, Josh ଏବଂ JioChat ଭଳି ପ୍ଲାଟଫର୍ମଗୁଡ଼ିକୁ DoTର ନିର୍ଦ୍ଦେଶରେ ସାମିଲ କରାଯାଇଥିବା ସରକାରୀ ସୂଚନାରେ ଉଲ୍ଲେଖ ରହିଛି।
ଏହାର ଅର୍ଥ, ଏହି ନିୟମ କେବଳ WhatsApp ପାଇଁ ନୁହେଁ; ଭାରତୀୟ ମୋବାଇଲ୍ ନମ୍ବର ଆଧାରରେ ଚାଲୁଥିବା ଅନ୍ୟ ମେସେଜିଂ ସେବା ମଧ୍ୟ ପ୍ରଭାବିତ ହୋଇପାରେ।
WhatsApp Web ବ୍ୟବହାରକାରୀଙ୍କ ପାଇଁ କ'ଣ ରହିଛି?
କମ୍ପ୍ୟୁଟର କିମ୍ବା ଲାପଟପ୍ରେ WhatsApp Web ବ୍ୟବହାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ ଗୁରୁତ୍ୱପୂର୍ଣ୍ଣ।
ପ୍ରାରମ୍ଭିକ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ ସମୟ ପରେ ୱେବ୍ ସେସନ୍ରୁ ଲଗ୍ଆଉଟ୍ କରିବା ବ୍ୟବସ୍ଥା ରହିଥିଲା।
କିନ୍ତୁ ପରେ ସରକାର ଏହାକୁ ପରିବର୍ତ୍ତନ କରି ସନ୍ଦେହଜନକ ଠକେଇ ପରିସ୍ଥିତି ଆଧାରରେ ଲଗ୍ଆଉଟ୍ କରିବା ବ୍ୟବସ୍ଥା ଆପଣାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ତେଣୁ ପ୍ରତି ୬ ଘଣ୍ଟାରେ ସମସ୍ତଙ୍କୁ ବାଧ୍ୟତାମୂଳକ ଲଗ୍ଆଉଟ୍ କରିବା ନିୟମ ଲାଗୁ ହେବ ବୋଲି ଧରିନେବା ଠିକ୍ ନୁହେଁ।
ଆପଣଙ୍କ WhatsApp ବନ୍ଦ ହୋଇଯିବ କି?
ଏହି ନିୟମକୁ ନେଇ ଅନେକ ବ୍ୟବହାରକାରୀଙ୍କ ମନରେ ଏହି ପ୍ରଶ୍ନ ରହିଛି।
ତେବେ ଜାନୁଆରୀ ୧ରୁ ସମସ୍ତଙ୍କ WhatsApp କିମ୍ବା Telegram ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି କୁହାଯାଇନାହିଁ।
ଏହା ବଦଳରେ, ନିଜ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ସକ୍ରିୟ SIMକୁ ଫୋନ୍ରେ ରଖିବା ଏବଂ ଆପ୍ର ନିୟମ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।