Who is the father of the child: ସ୍ୱାମୀଙ୍କ ସନ୍ଦେହ ଥିଲେ ହୋଇପାରିବ DNA ଟେଷ୍ଟ, ବିବାହ ବିବାଦରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ବିବାହ ବିବାଦରେ ଶିଶୁର ପିତୃତ୍ୱ ନେଇ ଗୁରୁତର ସନ୍ଦେହ ରହିଲେ, DNA ଟେଷ୍ଟ କରାଯାଇପାରିବ। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ କେବଳ ସନ୍ଦେହ କିମ୍ବା ଅଭିଯୋଗ ଆଧାରରେ ନୁହେଁ, ମାମଲାର ସତ୍ୟ ଜାଣିବା ପାଇଁ DNA ପରୀକ୍ଷା ଅତ୍ୟାବଶ୍ୟକ ହେଲେ ହିଁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇପାରିବେ।
ମାମଲାରେ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ତାଙ୍କର ସ୍ତ୍ରୀ ବିବାହ ବାହାରେ ଅନ୍ୟତ୍ର ସମ୍ପର୍କ ରଖିଛନ୍ତି ଏବଂ ସେ ଶିଶୁର ଜୈବିକ ପିତା ନୁହନ୍ତି। ନିଜ ପକ୍ଷରେ ଥିବା ଏକ DNA ରିପୋର୍ଟର ଦାବି କରି, ସେ କୋର୍ଟଙ୍କ ନିର୍ଦ୍ଦେଶରେ ପୁଣି DNA ପରୀକ୍ଷା କରାଇବାକୁ ଚାହିଁଥିଲେ।
ଏହି ମାମଲାରେ ପୁଣେ ଫ୍ୟାମିଲି କୋର୍ଟ ଏବଂ ପରେ ବମ୍ବେ ହାଇକୋର୍ଟ DNA ପରୀକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ୍ ପ୍ରସନ୍ନ ବି. ଭରାଲେଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି।
ତେବେ ସୁପ୍ରିମକୋର୍ଟ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି, ବୈବାହିକ ବିବାଦରେ ଶିଶୁଙ୍କ DNA ଟେଷ୍ଟକୁ ରୁଟିନ୍ ପ୍ରକ୍ରିୟା କରାଯାଇପାରିବ ନାହିଁ। ବିବାହ ସମୟରେ ଜନ୍ମିତ ଶିଶୁର ବୈଧତା ସମ୍ପର୍କରେ ଥିବା ଆଇନଗତ ଧାରଣାକୁ ମଧ୍ୟ କେବଳ ଦୃଢ଼ ପ୍ରାଥମିକ ପ୍ରମାଣ ଥିଲେ ହିଁ ପ୍ରଶ୍ନ କରାଯାଇପାରିବ।
ଅର୍ଥାତ୍, କେବଳ ସନ୍ଦେହ ହେଲେ DNA ଟେଷ୍ଟ ନୁହେଁ। ଯେତେବେଳେ ଅନ୍ୟ ପ୍ରମାଣରେ ସତ୍ୟ ସ୍ପଷ୍ଟ ହୋଇପାରୁନାହିଁ ଏବଂ DNA ପରୀକ୍ଷା ଅତ୍ୟାବଶ୍ୟକ ହୋଇଥାଏ, ସେତେବେଳେ କୋର୍ଟ ଏହାର ନିର୍ଦ୍ଦେଶ ଦେଇପାରିବେ। ଅର୍ଥାତ୍, ଶିଶୁର ମର୍ଯ୍ୟାଦା ଓ ପରିବାରର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି, ଆବଶ୍ୟକତା ଥିଲେ ହିଁ ଏଭଳି ପରୀକ୍ଷାର ରାସ୍ତା ଖୋଲିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।