Why Is Winter Missing in Odisha: ନଭେମ୍ବର ଅଧା ହେଲାଣି, ତଥାପି ଓଡ଼ିଶାକୁ ଫେରୁନି ଶୀତ
କାର୍ତ୍ତିକ ମାସ ଅଧା ହେଲାଣି।
ହେଲେ ଶୀତର ଦେଖା ନାହିଁ।
ଯେଉଁ ସମୟରେ ଶୀତ ପୋଷାକରେ ଛାଇ ଯାଉଥିଲା ଦେହ, ଘର ଅଗଣାରେ ଜଳୁଥିଲା ନିଆଁ, ସେହି ସମୟରେ ଗରମର ପ୍ରକାପ।
ସକାଳୁ ସକାଳୁ କୁହୁଡ଼ିର ଚାଦର ଦେଖିବାକୁ ମିଳୁଛି ସତ, ହେଲେ ସୂର୍ଯ୍ୟ ଉଇଁବା ପରେ ବଢ଼ିଯାଉଛି ତାତି।
ରାତିରେ ବି ଶୀତର ପ୍ରକୋପ ସେତେଟା ଅନୁଭୂତ ହେଉନାହିଁ।
ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ସବୁଠି ଏବେ ଗୋଟିଏ ପ୍ରଶ୍ନ, ଶୀତ ଗଲା କୁଆଡ଼େ ?
ଖାଲି ସେତିକି ନୁହେଁ, ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବି ଶୀତର ଦେଖା ନାହିଁ।
ଯେଉଁଠି ନଭେମ୍ବରରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହୁଏ, ସେଠି ଏବେ ଶୀତ ଖେଳୁଛି ଲୁଚକାଳି।
ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି, ସବୁଠି ଲୋକଙ୍କ ଅପେକ୍ଷା ଶୀତକୁ।
ଏଠି ମେଘୁଆ ପାଗ ଆଉ କୁହୁଡ଼ି ରହୁଛି, କିନ୍ତୁ ରାତିର ପାରଦ ଆଶାନୁରୂପ ଖସୁନାହିଁ।
Advertisment ତେବେ ଏଥର ଶୀତର ଏଭଳି ବିଳମ୍ବ ପଛରେ କାରଣ କ'ଣ ?
କାହିଁକି ନଭେମ୍ବରରେ ବି ଖସୁନି ପାରଦ ?
ପାଣିପାଗ ବିଶେଷଜ୍ଞଙ୍କ ମତରେ, ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଓ ମୁରସୁର ପ୍ରଭାବ ପାଣିପାଗକୁ ପ୍ରଭାବିତ କରିଛି।
ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଆର୍ଦ୍ର ବାୟୁ ଏବଂ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିବା ଯୋଗୁଁ ରାତିର ତାପମାତ୍ରା ଆଶାନୁରୂପ ହ୍ରାସ ପାଉନାହିଁ।
ଫଳରେ ରାତିରେ ଯେଉଁ ଶୀତ ଅନୁଭୂତ ହେବା କଥା, ତାହା ହୋଇପାରୁନାହିଁ।
ତେବେ ଆଗକୁ ସ୍ଥିତି ବଦଳିବ, ଧୀରେ ଧୀରେ ରାଜ୍ୟକୁ ଫେରିବ ଶୀତ।
ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହେଉଥିବାରୁ ଆଗକୁ ତାପମାତ୍ରା ହ୍ରାସ ପାଇବ।
ବାୟୁମଣ୍ଡଳରୁ ଜଳୀୟବାଷ୍ପ କମିଲେ ରାତିରେ ପୃଥିବୀରୁ ନିର୍ଗତ ତାପ ଅଧିକ ବିକିରିତ ହେବ।
ଫଳରେ ରାତିର ପାରଦ ଖସିବ ଏବଂ ଶୀତର ଅନୁଭୂତି ବଢ଼ିବ।
ଆସନ୍ତା ୯ ତାରିଖରୁ ପ୍ରାୟ ୨ ଡିଗ୍ରୀ ତାପମାତ୍ରା କମିବାର ଆକଳନ କରୁଛନ୍ତି ପାଣିପାଗ ବିଶେଷଜ୍ଞ।
କେବଳ ବାତ୍ୟା କିମ୍ବା ବଙ୍ଗୋପସାଗରର ସକ୍ରିୟତା ନୁହେଁ, ଏଲନିନୋର ପ୍ରଭାବ ମଧ୍ୟ ବିଶ୍ୱ ପାଣିପାଗକୁ ପ୍ରଭାବିତ କରୁଛି।
ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ କ୍ରମାଗତ ବୃଦ୍ଧି ଯୋଗୁଁ ଋତୁଚକ୍ରର ସ୍ୱାଭାବିକ ଗତି ବି ବଦଳୁଛି।
ତେଣୁ ଏଥର ଶୀତ କେତେ ବିଳମ୍ବରେ ଆସିବ ଏବଂ କେତେଦିନ ରହିବ, ତାହା ଏବେ ବି ପାଣିପାଗର ପରବର୍ତ୍ତୀ ଗତିବିଧି ଉପରେ ନିର୍ଭର କରୁଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।