Wife Calling Husband Dark Or Fat is Not Cruelty: ପତ୍ନୀଙ୍କ ମନ୍ତବ୍ୟକୁ ନେଇ ଛାଡ଼ପତ୍ର ଦାବି କଲେ ସ୍ୱାମୀ, ଖାରଜ କଲେ ହାଇକୋର୍ଟ

Sep 25, 2026 - 16:37
Wife Calling Husband Dark Or Fat is Not Cruelty: ପତ୍ନୀଙ୍କ ମନ୍ତବ୍ୟକୁ ନେଇ ଛାଡ଼ପତ୍ର ଦାବି କଲେ ସ୍ୱାମୀ, ଖାରଜ କଲେ ହାଇକୋର୍ଟ

ସ୍ତ୍ରୀ ସ୍ୱାମୀଙ୍କୁ ‘କଳା’ କିମ୍ବା ‘ମୋଟା’ ବୋଲି କହିବା ମାତ୍ରେ ତାହାକୁ ବିବାହ ବିଚ୍ଛେଦ ପାଇଁ ଯଥେଷ୍ଟ ନିର୍ଯାତନା ବୋଲି ଧରାଯିବ ନାହିଁ । ଏକ ଛାଡ଼ପତ୍ର ମାମଲାର ରାୟ ଦେଇ ଛତିଶଗଡ଼ ହାଇକୋର୍ଟ ଏହା କହିଛନ୍ତି ।

୨୦୧୯ରେ ଅକ୍ଷ ଘୋଷ ଓ ପୂଜା ସୀତଙ୍କ ବିବାହ ହୋଇଥିଲା । ଅକ୍ଷଙ୍କ ଅଭିଯୋଗ ଥିଲା, ବିବାହର କିଛି ମାସ ପରେ ତାଙ୍କ ପତ୍ନୀ ତାଙ୍କୁ ଅସହଯୋଗ କରିବା ସହ ବାରମ୍ବାର ବାପଘରକୁ ଚାଲିଯାଉଥିଲେ । ଏପରିକି ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇଥିବା ମଧ୍ୟ ସ୍ୱାମୀ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ, ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରି ସ୍ୱାମୀଙ୍କ ଉପରେ ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ । ସେହି ସମ୍ପର୍କ ଜାଣିବା ପରେ ସ୍ୱାମୀ ମଦ୍ୟପାନ କରିବା ଆରମ୍ଭ କରିଥିବା ଏବଂ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇନଥିବା ସେ ଦାବି କରିଥିଲେ ।

ଏହାକୁ ନେଇ ଦୁଇ ପକ୍ଷରୁ ଅଭିଯୋଗ ଓ ଆଇନଗତ ପଦକ୍ଷେପ ନିଆଯାଇଥିଲା । ପତ୍ନୀ ଘରୋଇ ହିଂସା ଆଇନ ଅଧୀନରେ ମଧ୍ୟ ମାମଲା କରିଥିଲେ । ପରେ ଅକ୍ଷ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଫ୍ୟାମିଲି କୋର୍ଟ ତାଙ୍କ ଆବେଦନ ଖାରଜ କରିବା ସହ ପତ୍ନୀଙ୍କ ବାପଘର ପକ୍ଷରୁ ଦିଆଯାଇଥିବା ଉପହାର ଓ ସମ୍ପତ୍ତି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବିରୋଧରେ ଅକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ଜଷ୍ଟିସ୍ ପାର୍ଥ ପ୍ରତିମ ସାହୁ ଓ ଜଷ୍ଟିସ୍ ସଚିନ ସିଂହ ରାଜପୁତଙ୍କ ଖଣ୍ଡପୀଠ କହିଛନ୍ତି, ସ୍ୱାମୀ ନିଜ ଅଭିଯୋଗଗୁଡ଼ିକୁ ଦୃଢ଼ ପ୍ରମାଣରେ ପ୍ରତିଷ୍ଠା କରିପାରିନାହାନ୍ତି । ପତ୍ନୀ ତାଙ୍କୁ କଳା ରଙ୍ଗର କିମ୍ବା ମୋଟା ବୋଲି କହୁଥିଲେ ବୋଲି ଯେଉଁ ଅଭିଯୋଗ ରହିଛି, ତାହା ମାତ୍ର ଛାଡ଼ପତ୍ର ଦେବା ପାଇଁ ଯଥେଷ୍ଟ ଆଧାର ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏହାସହ ପତ୍ନୀ ଯୁକ୍ତିଯୁକ୍ତ କାରଣ ବିନା ବାପଘରେ ରହୁଥିଲେ ଏବଂ ସ୍ୱାମୀଙ୍କୁ ଛାଡ଼ିବାର ଉଦ୍ଦେଶ୍ୟ ରଖିଥିଲେ ବୋଲି ମଧ୍ୟ ସ୍ୱାମୀ ପ୍ରମାଣ କରିପାରିନଥିବା କୋର୍ଟ କହିଛନ୍ତି । ଫ୍ୟାମିଲି କୋର୍ଟ ପ୍ରମାଣକୁ ଠିକ୍‌ ଭାବେ ବିଚାର କରିଥିବାରୁ ଏହାର ରାୟରେ ହସ୍ତକ୍ଷେପର କୌଣସି କାରଣ ନଥିବା ହାଇକୋର୍ଟ କହିଛନ୍ତି ।

ଫଳରେ ଅକ୍ଷଙ୍କ ଛାଡ଼ପତ୍ର ଆବେଦନ ଖାରଜ ହୋଇଛି ଏବଂ ପତ୍ନୀଙ୍କୁ ତାଙ୍କ ବାପଘର ପକ୍ଷରୁ ଦିଆଯାଇଥିବା ଉପହାର ଓ ସମ୍ପତ୍ତି ଫେରାଇବା ସମ୍ପର୍କିତ ଫ୍ୟାମିଲି କୋର୍ଟର ନିର୍ଦ୍ଦେଶ ମଧ୍ୟ ବଳବତ୍ତର ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।