Woman Learner Driver's Thar Rams Scooter: ମହିଳା ଲର୍ଣ୍ଣର ଡ୍ରାଇଭରଙ୍କ ଥାର୍ ଧକ୍କାରେ ୫୫ ବର୍ଷୀୟ ସ୍କୁଟି ଚାଳକ ମୃତ
ଉତ୍ତରପ୍ରଦେଶର କାନପୁରରେ ଘଟିଛି ଛାତିଥରା ଦୁର୍ଘଟଣା।
ଶିଖୁଥିଲେ ଗାଡ଼ି ଚଳାଇବା, ହେଲେ ରାସ୍ତାରେ ଘଟାଇଦେଲେ ମୃତ୍ୟୁର ତାଣ୍ଡବ।
ଜଣେ ମହିଳା ଲର୍ଣ୍ଣର ଡ୍ରାଇଭର ଚଳାଉଥିବା ଦ୍ରୁତଗାମୀ ଥାର୍ ଧକ୍କାରେ ଚାଲିଯାଇଛି ଜଣେ ୫୫ ବର୍ଷୀୟ ସ୍କୁଟି ଚାଳକଙ୍କ ଜୀବନ।
Advertisment ମୃତକ ହେଉଛନ୍ତି ସନ୍ତୋଷ ସିଂହ ଚୌହାନ।
ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ସେ ସ୍କୁଟି ଧରି ଘରୁ ବାହାରିଥିଲେ।
ପତ୍ନୀଙ୍କ ପାଇଁ ଶାଢ଼ି ନେଇ ଫେରିବେ ବୋଲି ପରିବାରକୁ କହିଥିଲେ।
ହେଲେ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କ ସହ ଘଟିଗଲା ଭୟଙ୍କର ଦୁର୍ଘଟଣା।
ସୂଚନା ଅନୁସାରେ, ଦ୍ରୁତ ଗତିରେ ଆସୁଥିବା ଥାର୍ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ସନ୍ତୋଷଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା।
ଏହାପରେ ନିୟନ୍ତ୍ରଣ ହରାଇ ଥାର୍ଟି ଏକ ଘରର ପାଚେରି ଭାଙ୍ଗି ବଗିଚା ଭିତରକୁ ପଶିଯାଇଥିଲା।
Advertisment ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡ଼ିରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ମହିଳା ଗାଡ଼ି ଚଳାଉଥିଲେ।
ଦୁର୍ଘଟଣା ପରେ ତିନି ଜଣ ଥାର୍ରୁ ଓହ୍ଲାଇ ଅନ୍ୟ ଏକ କାର୍ରେ ବସି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ପୋଲିସ ଥାର୍ର ନମ୍ବର ଆଧାରରେ ଗାଡ଼ି ମାଲିକଙ୍କୁ ଚିହ୍ନଟ କରିଛି।
ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ।
ଥାର୍ ଚଳାଉଥିବା ମହିଳା କିଏ ଏବଂ ଦୁର୍ଘଟଣା ପରେ ତିନି ଜଣ କେଉଁଆଡ଼େ ଫେରାର୍ ହେଲେ, ତାହାର ଖୋଳତାଡ଼ ଜାରି ରହିଛି।
ଏପଟେ ଘରକୁ ଫେରିବେ ବୋଲି କହି ଯାଇଥିବା ସନ୍ତୋଷଙ୍କ ମୃତ୍ୟୁରେ ପରିବାରରେ ଖେଳିଯାଇଛି ଶୋକର ଛାୟା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।