World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ୭, ଲୋକ କଲ୍ୟାଣ ମାର୍ଗଠାରେ ସାଂଘାଇରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ୨୦୨୬ରେ ଭାରତର ପ୍ରତିନିଧିତ୍ୱ କରିଥିବା ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଆଲୋଚନା ସମୟରେ ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ନିଜର ଅନୁଭୂତି ବାଣ୍ଟିଥିଲେ।
ବିଶ୍ୱସ୍ତରରେ ଦେଶର ପ୍ରତିନିଧିତ୍ୱ କରିଥିବାରୁ ସେମାନେ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଥିଲେ।
ଅନ୍ତର୍ଜାତିକ ପ୍ରତିଯୋଗିତା ସମୟରେ ନୂଆ ଉପକରଣ, ସଫ୍ଟୱେର୍, ବୈଷୟିକ ବ୍ୟବସ୍ଥା ଏବଂ କାର୍ଯ୍ୟପ୍ରଣାଳୀ ସହ ଖାପଖୁଆଇବା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ।
ଯୁବପିଢ଼ିର ଦକ୍ଷତା ବିକାଶ ପାଇଁ ସରକାର ନେଉଥିବା ପଦକ୍ଷେପ କିପରି ସହାୟକ ହେଉଛି, ସେ ସମ୍ପର୍କରେ ମଧ୍ୟ ସେମାନେ ନିଜର ମତ ରଖିଥିଲେ।Advertisment ବିଶ୍ୱସ୍ତରରେ ଭାରତର ପ୍ରତିନିଧିତ୍ୱ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଦକ୍ଷତା ବିକାଶର ଦୂତ ହେବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲେ।
ଶିକ୍ଷାଗତ ଡିଗ୍ରୀ ଭଳି ବାସ୍ତବିକ ଦକ୍ଷତା ମଧ୍ୟ ସମାନ ଗୁରୁତ୍ୱ ବହନ କରେ ବୋଲି ସେ କହିଥିଲେ।
ବିଶେଷ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ସହ ତାଳ ଦେଇ ଯୁବପିଢ଼ି ନିରନ୍ତର ନୂଆ ଦକ୍ଷତା ହାସଲ କରିବା, ନିଜର ବର୍ତ୍ତମାନର ଦକ୍ଷତାକୁ ଉନ୍ନତ କରିବା ଏବଂ ନୂତନ ପ୍ରଯୁକ୍ତି ସହ ଖାପଖୁଆଇବା ଆବଶ୍ୟକ।
ଅନ୍ତର୍ଜାତିକ ବଜାରର ଆବଶ୍ୟକତା ଅନୁଯାୟୀ ଦକ୍ଷତା ହାସଲ କରିବା ସହ ନିଜର ଅନୁଭୂତି ଓ ପରାମର୍ଶ ମାଧ୍ୟମରେ ଭାରତର ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବାକୁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ।
ଦକ୍ଷ ମାନବ ସମ୍ବଳର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତକୁ ପ୍ରତିଷ୍ଠା କରିବା ପାଇଁ ଯୁବପିଢ଼ି, ସରକାର ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱିତ ଉଦ୍ୟମର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଦକ୍ଷତା ବିକାଶ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।
ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱ ଆଇଆଇଟି ଓ ଆଇଆଇଏମଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସେ କହିଥିଲେ।
ଭାରତର ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ସରକାରଙ୍କ ସହ ନିଜର ଅନୁଭୂତି ଓ ପରାମର୍ଶ ବାଣ୍ଟିବାକୁ ସେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। "ଓ୍ବାର୍ଲଡସ୍କିଲ୍ସ" ହେଉଛି ବିଶ୍ୱର ଏକ ପ୍ରମୁଖ ଅନ୍ତର୍ଜାତିକ ଦକ୍ଷତା ପ୍ରତିଯୋଗିତା।
ଏଥିରେ ଅଂଶଗ୍ରହଣକାରୀ ଦେଶ ଓ ଅଞ୍ଚଳର ଯୁବ ପେସାଦାରମାନେ ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ଦକ୍ଷତା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରଦର୍ଶନ କରିଥାନ୍ତି।
PM Modi: "ଶକ୍ତିର ସପ୍ତଧାରା"ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ ୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତା "ଓ୍ବାର୍ଲଡସ୍କିଲ୍ସ ସାଂଘାଇ ୨୦୨୬" ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ସାଂଘାଇର ନ୍ୟାସନାଲ୍ ଏକଜିବିସନ ଏଣ୍ଡ କନଭେନ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ୬ଟି ରୌପ୍ୟ ପଦକ ଏବଂ ୨୦ଟି ଉତ୍କର୍ଷ ପଦକ ସହ ଦଶମ ସ୍ଥାନ ହାସଲ କରିଥିଲା।
ଭାରତ ପକ୍ଷରୁ ୬୩ଟି ଦକ୍ଷତା କ୍ଷେତ୍ରରେ ୭୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ଆଲୋଚନାରେ ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ତଥା ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସମେତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।