World: ମୁଁ ସାରା ବିଶ୍ବର ମଣିଷ

Aug 24, 2026 - 09:08
World: ମୁଁ ସାରା ବିଶ୍ବର ମଣିଷ

"ନିଜ ଝର୍କାରୁ ସିଏ ସାରା ପୃଥିବୀକୁ ଦେଖନ୍ତି।

ସେଇ କଥା ତାଙ୍କ ଶବ୍ଦରେ ଆୟୁଷ୍ମାନ ହୁଏ ଓ ପାଠକ ମନରେ ଛାପଟିଏ ଛାଡ଼େ।

ସେ ଗଳ୍ପ, ଉପନ୍ୟାସ ଲେଖନ୍ତୁ କି ଭ୍ରମଣ କାହାଣୀ ତାଙ୍କର ଲେଖାସବୁ ପ୍ରାଣସ୍ପର୍ଶୀ।

ହୁଏତ ଏଥିପାଇଁ ଯେ, ନିତିଦିନିଆ ଜୀବନଚର୍ଯ୍ୟାରୁ ତାଙ୍କ ଆଖି ଖୋଜିନିଏ କାହାଣୀର ଖିଅ।

ଶ୍ବଶୁରଙ୍କ ଅସୁସ୍ଥତା ତାଙ୍କୁ ବାଟ ଦେଖାଏ ଭିନ୍ନ ଭାବେ କ୍ଷମ ମଣିଷମାନଙ୍କ ବିଷୟରେ ଲେଖିବା ପାଇଁ।

ତେବେ ଲେଖିବା ସହ ସେ କିଛିକାଳ ସୁରଚିତାରେ ସଂପାଦନା ଭାର ସମ୍ଭାଳିଛନ୍ତି।

ମୋ ସ୍କୁଲର ପ୍ରଥମ ଅଧ୍ୟକ୍ଷା ଭାବରେ ସାରା ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାକୁ ପ୍ରଯତ୍ନ କରିଛନ୍ତି।

ଅନେକ ହୁଏତ ଜାଣନ୍ତି ନାହିଁ ହୁରୁନ୍‌ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବର୍ଷ ୨୦୨୪ରେ ସେ ଭାରତର ଦ୍ବିତୀୟ ସର୍ବାଧିକ ଦାନକାରୀ ମହିଳା ଅଟନ୍ତି।

ବିବିଧ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିବା ସୁସ୍ମିତା ବାଗ୍‌ଚୀ ବିଭିନ୍ନ ଦେଶରେ ବୁଲିଲେ କି ଭିନ୍ନଭିନ୍ନ ରାଜ୍ୟରେ ରହିଲେ ବି ନିଜ ମାଟିକୁ କେବେ ଭୁଲିନାହାନ୍ତି।

ଅନେକ ଯଶ ଓ ପାଠକୀୟତାର ଅଧିକାରୀ ସୁସ୍ମିତାଙ୍କ ସହ ଆଳାପ କରିଛନ୍ତି ଡ.

ଶୁଭଶ୍ରୀ ଲେଙ୍କା।Advertisment Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ  ଆପଣ ରାଜନୀତି ବିଜ୍ଞାନର ଛାତ୍ରୀ।

କିଛି କାଳ ଅଧ୍ୟାପନା କରିଛନ୍ତି।

ତେବେ ଅଧ୍ୟାପନା ଛାଡ଼ିବାର କିଛି ଅବସୋସ ଅଛି କି?

ପିଲାଦିନରୁ ସାହିତ୍ୟର ପରିବେଶରେ ବଢ଼ି ଆସିଥିଲେ ମଧ୍ୟ ଲେଖା ଜଗତରେ ମୁଁ ନିଷ୍ଠାର ସହ ପ୍ରଥମ ପାଦ ରଖିଲି କୋଡ଼ିଏ ବର୍ଷ ବୟସରେ।

କେତୋଟି କ୍ଷୁଦ୍ରଗପ ପ୍ରକାଶ ପାଇବା ପରେ ମୋତେ ପାଠକଙ୍କ ସ୍ନେହ ମିଳିଗଲା।

ବରିଷ୍ଠ ସାହିତ୍ୟିକମାନଙ୍କଠାରୁ ମିଳିଗଲା ଅଶେଷ ଆଶୀର୍ବାଦ ଏବଂ ପ୍ରୋତ୍ସାହନ।

ପାଠ ଶେଷ ହେବା ପରେ ମୁଁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କଲି।

ନିୟମିତ ଭାବରେ ବି ଏ ପଢୁଥିବା ଛାତ୍ରୀମାନଙ୍କର କ୍ଲାସ୍‌, ଟ୍ୟୁଟୋରିଆଲ୍‌, କ୍ଲାସ୍‌ ଟେଷ୍ଟ୍‌, ପୁଣି ବିଭିନ୍ନ ମିଟିଙ୍ଗ୍‌।

ସବୁଦିନ ବିଶ୍ବବିଦ୍ୟାଳୟରୁ ୩୦ କିଲୋମିଟର ଯିବାଆସିବା କରୁଥିଲି ଏବଂ ଘରକୁ ଫେରି ଛୋଟ ଝିଅର ଓ ଘରର ଦାୟିତ୍ବ ମଧ୍ୟ ନେଉଥିଲି।

ଦିନେ ଅନୁଭବ କଲି ଯେ ମୁଁ ଯେତିକି ସମୟ ସାହିତ୍ୟ ପାଇଁ ଦେବାକୁ ଚାହୁଛି, ତାହା ସମ୍ଭବ ହେଉନାହିଁ।

ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ପରେ ସ୍ଥିର କଲି ଅଧ୍ୟାପନା କରିବି ନାହିଁ।

ମୋର ଏ ନିଷ୍ପତ୍ତିରେ ସ୍ବାମୀ ସୁବ୍ରତଙ୍କର ଚିନ୍ତା ହୋଇଯାଇଥିଲା।

ତାଙ୍କର ଭୟ ଥିଲା ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଅଧ୍ୟାପନା କାର୍ଯ୍ୟ ଛାଡିଦେଲେ କିଛି ବର୍ଷ ପରେ ମୋ ମନରେ ଅବସୋସ ହୋଇପାରେ।

କିନ୍ତୁ ଆନନ୍ଦର କଥା, ଇସ୍ତଫା ଦେବାର ପ୍ରାୟ ଚାଳିଶ ବର୍ଷ ଭିତରେ ଥରଟିଏ ମଧ୍ୟ ମୋ ମନ ଦୁଃଖ ହୋଇନାହିଁ, କିମ୍ବା କୌଣସି ଅନୁଶୋଚନା ହୋଇନାହିଁ।  ଆପଣଙ୍କର ଆଠଟି ଗଳ୍ପ ସଙ୍କଳନ, ଦଶଟି ଉପନ୍ୟାସ ଓ ଦୁଇଟି ଭ୍ରମଣ କାହାଣୀ ରହିଛି।

ତେବେ ଆପଣଙ୍କ ଲେଖାଲେଖିର ଧାରା କେମିତି?

ଆପଣ ନିୟମିତ ସମୟ ବାହାର କରି ଲେଖନ୍ତି ନା କିଛି କଥାବସ୍ତୁ ଆପଣଙ୍କୁ ଛୁଇଁଲେ ଆପଣ ଲେଖିବା କଥା ଚିନ୍ତା କରନ୍ତି?ଦୈନନ୍ଦିନ ଜୀବନରେ ମୋ ଆଖି ସବୁବେଳେ ବୁଲୁଥାଏ ଚାରିଆଡ଼େ।

କାନ ସବୁବେଳେ ସଜାଗ ଥାଏ।

ଯଦି କୌଣସି ଘଟଣା ମୋ ମନକୁ ଛୁଇଁଯାଏ, ତାହା ହୋଇଯାଏ ମୋ ଲେଖାର ବିଷୟବସ୍ତୁ।

ଉଦାହରଣଟିଏ ଦେଉଛି।

୨୦୨୫ ମସିହା ଡିସେମ୍ବର ମାସରେ ମୁଁ ଓ ମୋ ସାନ ଝିଅ ନୀତି ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌୍‌ ଏକ୍‌ସ୍‌ପେଡିସନ୍‌ରେ ଆଣ୍ଟାର୍କଟିକା ଯାଇଥିଲୁ।

ପୃଥିବୀର ସପ୍ତମ ମହାଦେଶ ଆଣ୍ଟାର୍କଟିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ।

ମୁଁ ଅଭିଭୂତ ହୋଇଯାଇଥିଲି।

ସେଇ ପ୍ରଥମ ଦିନରୁ ହିଁ ଆଣ୍ଟାର୍କଟିକା ଏବଂ ମୋର ଅଭିଜ୍ଞତା ବିଷୟରେ ଲେଖିବା ଆରମ୍ଭ କରିଦେଇଥିଲି।

ବିଭିନ୍ନ ବିଷୟରେ ଟିକିନିଖି ନୋଟ୍‌ କରିରଖିଥିଲି।

ଘରକୁ ଫେରିବା ପରେ ମୋହଗ୍ରସ୍ତ ଭାବରେ ସେସବୁକୁ ସଜେଇ ଲେଖିବା ଆରମ୍ଭ କଲି - ସ୍ବପ୍ନର ଶ୍ବେତ ମହାଦେଶ।

ବହିଟି ଏଇ ବର୍ଷ ନଭେମ୍ବର/ଡିସେମ୍ବରରେ ପ୍ରକାଶ ପାଇବ ବୋଲି ଗ୍ରନ୍ଥ ମନ୍ଦିରର ପ୍ରକାଶକ ଶ୍ରୀ ମନୋଜ କୁମାର ମହାପାତ୍ର କହିଛନ୍ତି।  ମାନସିକ ସ୍ବାସ୍ଥ୍ୟକୁ ନିଜ ରଚନାର ଆଧାର କରିବାକୁ କେମିତି ଚିନ୍ତାକଲେ?

ସେଥିପାଇଁ କିଛି ସ୍ବତନ୍ତ୍ର ପ୍ରସ୍ତୁତି କରିଥିଲେ କି?

ଏହାର ପ୍ରାପ୍ତି ଭାବରେ କ"ଣ ମିଳିଲା?

ମାନସିକ ସ୍ବାସ୍ଥ୍ୟ ବିଷୟରେ ମୁଁ ଯେଉଁ ଉପନ୍ୟାସ ଲେଖିଥିଲି, ତା"ର ନାଁ ଥିଲା–"ସାତତାଳ ପାଣି"।

ପରେ ଏଇ ବିଷୟବସ୍ତୁ ନେଇ ଇଂରାଜୀରେ ଉପନ୍ୟାସଟି ଲେଖିଥିଲି–Beneath A Rougher Sea।

ମାନସିକ ସ୍ବାସ୍ଥ୍ୟ ବିଷୟରେ ପିଲାଦିନେ ମୋର କୌଣସି ଧାରଣା ନଥିଲା।

ସୁବ୍ରତଙ୍କ ସାଙ୍ଗରେ ବାହାଘର ହେବା ପୂର୍ବରୁ ସେ ଦିନେ ମୋତେ କହିଥିଲେ ତାଙ୍କ ବାପାଙ୍କ କଥା।

ତାଙ୍କର ମାନସିକ ଅସୁସ୍ଥତା ଅଛି।

ଘଟଣାର ଗୁରୁତ୍ବ ମୁଁ ବୁଝି ନଥିଲି।

ବାହାଘର ପରେ ଯେତେବେଳେ ଶ୍ବଶୂରଙ୍କୁ ଦେଖିଲି, ସେତେବେଳେ ମଧ୍ୟ କିଛି ଜାଣି ପାରି ନଥିଲି।

ଅତି ସ୍ନେହୀ ମଣିଷ।

ବିଦ୍ବାନ।

ବହି, ଖବରକାଗଜରେ ସବୁବେଳେ ବୁଡି ରହିଥାଆନ୍ତି।

ମୋର ସବୁ ଲେଖା ପଢନ୍ତି।

ସେ ବିଷୟରେ ଆଲୋଚନା କରନ୍ତି।

ଏଭଳି ଜଣଙ୍କର ପୁଣି କି ମାନସିକ ଅସୁସ୍ଥତା?

ପରେ ଜାଣିଲି ଯେ ତାଙ୍କର ମାନସିକ ଅସୁସ୍ଥତାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିଛନ୍ତି ପରିବାରର ଲୋକମାନେ।

ତାଙ୍କୁ ନିୟମିତ ଭାବରେ ଔଷଧ ଖାଇବାକୁ ହୁଏ, ମଝିରେ ମଝିରେ ଡାକ୍ତର ତାଙ୍କୁ ପରୀକ୍ଷା କରନ୍ତି, ଦରକାର ପଡିଲେ ଔଷଧ ଅଦଳବଦଳ କରନ୍ତି।

ସେଥିପାଇଁ ତାଙ୍କର ମାନସିକ ଅସୁସ୍ଥତା ଥିବା ସତ୍ତ୍ବେ ସେ ସାରା ଜୀବନ ଚାକିରି କରି ପରିବାର ଚଳେଇ ପାରିଥିଲେ।

ପିଲାଙ୍କୁ ମଣିଷ କରିପାରିଥିଲେ।

ତାଙ୍କୁ ଦେଖି ମୋ ମନକୁ ଆସିଥିଲା ଗୋଟିଏ କଥା।

ଯଦି ମୋ ଭଳି ଜଣେ ଶିକ୍ଷିତ, ସବୁବେଳେ ବିଭିନ୍ନ ବିଷୟରେ ପଢାପଢି କରୁଥିବା ମଣିଷର ଏତେ ଅଜ୍ଞତା, ସାଧାରଣ ଲୋକମାନଙ୍କର କ"ଣ ହେଉଥିବ?

ଏ ବିଷୟରେ ଯେ ସମସ୍ତେ ଜାଣିବା ଦରକାର।

ଅଠର ମାସର ଗଭୀର ଗବେଷଣା ପରେ ଲେଖିଲି "ସାତତାଳ ପାଣି"।

ବହିଟି ପଢି ସ୍ବାମୀ ସୁବ୍ରତ କହିଲେ, "ଏ ବହି ବେଶୀ ଲୋକଙ୍କ ହାତରେ ପହଞ୍ଚିବା ଦରକାର।

ଇଂରାଜୀରେ ଲେଖ।"  ସେଇ ଏକା କଥା କହିଥିଲେ ଜ୍ଞାନପୀଠ ପୁରସ୍କାର ପାଇଥିବା ସାହିତ୍ୟିକ, ଅଭିନେତା, ନିର୍ଦ୍ଦେଶକ ଶ୍ରୀ ଗିରୀଶ କର୍ନାଡ୍‌।

ମୋ ମନରେ କିଛିଟା ଦ୍ବିଧା ଥିଲା।

ଇଂରାଜୀ ଭଲଭାବରେ ଜାଣେ, ହେଲେ ମୁଁ ତ ଇଂରାଜୀ ସାହିତ୍ୟ ସାଧନା କରିନାହିଁ।

ଶ୍ରୀ ଗିରୀଶ କର୍ନାଡ୍‌ କହିଥିଲେ, "ଓଡ଼ିଆରେ ଯାହା ଲେଖିଛ, ତାକୁ ଇ ଇଂରାଜୀରେ ନିଜ ହିସାବରେ ଲେଖ।

ତୁମ ଭାବ, ତୁମ ଚିନ୍ତାଧାରା ଆଉ କେହି ଭଲ ଭାବରେ କଲମରେ ଫୁଟାଇ ପାରିବେ ନାହିଁ।" ଏହାପରେ ଲେଖିଥିଲି  Beneath A Rougher Sea।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର  ୨୦୧୯ ରେ ଆପଣ "ମୋ ସ୍କୁଲ" ଅଭିଯାନର ଅଧ୍ୟକ୍ଷା ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ।

ଏହି ବିଭାଗଟି ନୂଆ ଥିଲା ଓ ଅନେକ ନିଆରା କାମ ଆପଣ ହାତକୁ ନେଇଥିଲେ।

ସେ ବିଷୟରେ ପାଠକମାନଙ୍କୁ ଜଣାଇବେ?୨୦୧୯ ମସିହାରେ ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାଏକ "ମୋ ସ୍କୁଲ ଅଭିଯାନ"ର ଦାୟିତ୍ବ ମୋତେ ଦେଇଥିଲେ।

ଏହାର ତିନି ବର୍ଷ ପୂର୍ବରୁ ସେ ସୁବ୍ରତଙ୍କୁ "ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ"ର ଦାୟିତ୍ବ ଦେଇଥିଲେ।

ସେଇ ସୂତ୍ରରେ ଆମେ ଓଡ଼ିଶା ଆସିଥିଲୁ।

ଭୁବନେଶ୍ବରରେ ରହୁଥିଲୁ।

ମୋ ମନରେ ଥିଲା ସାହିତ୍ୟ ବ୍ୟତୀତ ଓଡ଼ିଶା ପାଇଁ ମୁଁ କିଛି କରିବି।

ସେଥିପାଇଁ ଯେତେବେଳେ "ମୋ ସ୍କୁଲ ଅଭିଯାନ"ର ଦାୟିତ୍ବ ମୋତେ ମିଳିଲା, ମୁଁ ଆନନ୍ଦରେ ଗ୍ରହଣ କଲି।

ପରବର୍ତ୍ତୀ ପାଞ୍ଚ ବର୍ଷ ମୋ ଜୀବନର ଏକ ଅନନ୍ୟ ଅନୁଭୂତି।

ଓଡ଼ିଶାର ବିଭିନ୍ନ ଜିଲ୍ଲା, ମହକୁମା, ଗ୍ରାମକୁ ଯାଇ ସେଠିକା ସରକାରୀ ସ୍କୁଲପିଲାଙ୍କ ସହ ମିଶିବା, ଅଭିଭାବକ, ଶିକ୍ଷକମାନଙ୍କର ସହିତ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ କଥାବାର୍ତ୍ତା କରିବା, ସ୍କୁଲରେ ପରିବର୍ତ୍ତନ ଆଣିବା–ଏସବୁ ମୋତେ ଯେତିକି ଆନନ୍ଦ ଓ ସନ୍ତୋଷ ଦେଇଛି, ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ।

ମୋ ସାଙ୍ଗରେ ଥିଲେ "ମୋ ସ୍କୁଲ ଅଭିଯାନ"ର ଅନ୍ୟ ସହଯୋଗୀ।

ସେମାନେ ନିଃସ୍ବାର୍ଥପର ଭାବରେ ଯେଭଳି କଠିନ ପରିଶ୍ରମ କରୁଥିଲେ, ତାହା ବାସ୍ତବିକ ଅତୁଳନୀୟ।

ମୋ ଅଧ୍ୟକ୍ଷତା ସମୟରେ "ମୋ ସ୍କୁଲ ଅଭିଯାନ" ଯାହା ଯାହା ସଫଳତା ପାଇଥିଲା, ତା"ର ଶ୍ରେୟ ମୁଁ ସେମାନଙ୍କୁ ହିଁ ଦେବି।   ଭୁବନେଶ୍ବରରୁ ଦିଲ୍ଲୀ, ପୁଣି ବାଙ୍ଗାଲୋରରୁ ବିଶ୍ବର ବିଭିନ୍ନ ଦେଶରେ ରହିବା, ବୁଲିବା କାମକରିବା ଭିତରେ କେଉଁ ଜୀବନଟି ବା କେଉଁ ସମୟଟି ବେଶି ଉପଭୋଗ୍ୟ ବୋଲି ଏବେ ମନେପକେଇବେ।ଏହି ପ୍ରଶ୍ନ ମୋତେ ଅନେକ ପଚାରିଛନ୍ତି।

ମୁଁ ଏହାର ସଠିକ୍‌ ଉତ୍ତର କେବେହେଲେ ଦେଇପାରିନାହିଁ।

କାରଣ ସବୁବେଳେ ସବୁ ସ୍ଥାନ ମୋ ନିଜର ବୋଲି ମନେହୋଇଛି।

ଜୀବନର ପ୍ରଥମ ଉଣେଇଶ ବର୍ଷ କଟିଛି ଓଡ଼ିଶାରେ।

ତା"ପରେ ଦିଲ୍ଲୀ, କଲିକତା, ବାଙ୍ଗାଲୋର।

୧୯୯୧ ମସିହାରେ ଆମେରିକାର ପଶ୍ଚିମ ଉପକୂଳ କାଲିଫୋର୍ଣ୍ଣିଆ।

ଫେରି ଆସି ବାଙ୍ଗାଲୋର।

ଆହୁରି ଦୁଇଥର ରହଣୀ ଆମେରିକାର ପୂର୍ବଭାଗରେ।

ନ୍ୟୁ ଜର୍ସି ଅଞ୍ଚଳରେ।

ପୁଣି ବାଙ୍ଗାଲୋର, ଭୁବନେଶ୍ବର।

କେବେହେଲେ କେଉଁଠି ଅବାଞ୍ଛିତ ବୋଲି ମୋର ମନେ ହୋଇନାହିଁ।

ମୁଁ ସାରା ବିଶ୍ବର ମଣିଷ।   ସାରା ବିଶ୍ବ ଦେଖିବା ଭିତରେ ସ୍ତ୍ରୀଲୋକର ଜୀବନ କେମିତି ବୋଲି ଆପଣ ମନେକରିନ୍ତି?

ଗତକାଲିର ନାରୀ ଓ ଆଜିର ନାରୀ ଭିତରେ ଆଖିରେ ପଡ଼ୁଥିବା ପରି ପାର୍ଥକ୍ୟ ଅଛି କି?

ତାହା କ"ଣ?ବିଗତ ଦିନର ନାରୀମାନଙ୍କର ପରିସର ଥିଲା କ୍ଷୁଦ୍ର।

ସ୍ବାବଲମ୍ବୀ ହେବା ପାଇଁ, ଶିକ୍ଷା ଲାଭ କରିବା ପାଇଁ, ଏପରିକି ସ୍ବାଧୀନ ଭାବରେ ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ସମାଜ ସେମାନଙ୍କୁ ସୁଯୋଗ ଦେଉ ନଥିଲା।

କେବଳ ଆମେ ଦେଶରେ ନୁହଁ, ଏହି ପ୍ରଥା ଏକଦା ଥିଲା ବିଶ୍ବବ୍ୟାପୀ।

ବର୍ତ୍ତମାନର ବିକଶିତ ରାଷ୍ଟ୍ରମାନଙ୍କରେ ମଧ୍ୟ ସେତେବେଳେ ସ୍ତ୍ରୀଲୋକମାନଙ୍କୁ ଅଣନିଃଶ୍ବାସୀ ଜୀବନ କଟାଇବାକୁ ହେଉଥିଲା।

ଆଜିର ନାରୀ ଶିକ୍ଷିତା।

କର୍ମକ୍ଷେତ୍ରରୁ ବଞ୍ଚିତ ନୁହଁ।

ଫଳରେ ଅଧିକାଂଶ ଆର୍ଥିକ ଭାବରେ ସ୍ବାବଲମ୍ବୀ।

ଆତ୍ମବିଶ୍ବାସର ସହିତ ସେମାନେ ନିଜର ଜୀବନଯାପନ କରିପାରୁଛନ୍ତି।

କିନ୍ତୁ ଏହା ମଧ୍ୟବିତ୍ତ ପରିବାରମାନଙ୍କର କାହାଣୀ।

ଏବେ ବି ଭାରତର ଅର୍ଦ୍ଧାଧିକ ନାରୀମାନଙ୍କ ପାଇଁ ବହୁତ କିଛି କରିବାର ଆବଶ୍ୟକତା ରହିଛି।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର   ଅଶୀ ଦଶକରେ ସାରା ଓଡ଼ିଶାରେ "ସୁଚରିତା" ପରିବାରରେ ସଭିଙ୍କର ପ୍ରିୟ ପତ୍ରିକା ଥିଲା।

ଆଜିକାଲିର ଅନେକ ବଡ଼ ଲେଖିକା "ସୁଚରିତା"ରୁ ଲେଖା ଆରମ୍ଭ କରିଥିଲେ।

ସଂପାଦିକାଙ୍କ ଝିଅ ହିସାବରେ ଆପଣଙ୍କର ଅନୁଭୂତି କେମିତି ଥିଲା?

କେମିତିଥିଲା ବି କିଛିକାଳ ସଂପାଦନାର ଅନୁଭବ?୧୯୭୫ ମସିହା ଅଗଷ୍ଟ ମାସରେ ସୁଚରିତା ପ୍ରଥମଥର ପାଇଁ ପ୍ରକାଶ ପାଇଲା।

ଦୀର୍ଘ ଅଣତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପତ୍ରିକା ସମ୍ପାଦନା କରିବା ବେଳେ ମୁଁ ଦେଖିଛି ମା" ଶ୍ରୀମତୀ ଶକୁନ୍ତଳା ପଣ୍ଡା କିଭଳି ଅକ୍ଳାନ୍ତ ପରିଶ୍ରମ କରୁଥିଲେ।

ଆପଣ ଜାଣନ୍ତି ଯେ, ପତ୍ରିକାଟି ସମସ୍ତଙ୍କର କିଭଳି ପ୍ରିୟ ହୋଇପାରିଥିଲା।

ସେତେବେଳେ ବାପା ଶ୍ରୀ ହରିହର ପଣ୍ଡା ପତ୍ରିକା ପରିଚାଳନାର ଦାୟିତ୍ବ ନିଜ ହାତକୁ ନେଇଯାଇଥିଲେ।

୧୯୮୬ ମସିହାରୁ ମୁଁ ବିଧିବଦ୍ଧ ଭାବରେ ମା"ଙ୍କୁ ସମ୍ପାଦନାରେ ସାହାଯ୍ୟ କରିବା ଆରମ୍ଭ କରିଦେଇଥିଲି।

କଠିନ ପରିଶ୍ରମ ପରେ ଯେତେବେଳେ ସୁନ୍ଦର ପତ୍ରିକାଟିଏ ହାତକୁ ଆସୁଥିଲା, ସେ ଆନନ୍ଦର ତୁଳନା ନାହିଁ।    ଯେତେବେଳେ ଆରୋଗ୍ୟର କୌଣସି ସମ୍ଭାବନା ନାହିଁ ସେତେବେଳେ କ୍ୟାନ୍‌ସର୍‌ ରୋଗୀମାନଙ୍କର ସେବା, ଯତ୍ନ ଓ ସୁରକ୍ଷା ପାଇଁ ଆପଣ ସସ୍ବାମୀ ନିଜ ଜମାପୁଞ୍ଜିରୁ ବେଶ୍‌ ବଡ଼ ଅଙ୍କର ସହାୟତା ଯୋଗାଇ ଓଡ଼ିଶାରେ "ବାଗ୍‌ଚୀ କରୁଣାଶ୍ରୟ ପାଲିଆଟିଭ୍‌ କେୟାର୍‌ ସେଣ୍ଟର୍‌" ପ୍ରତିଷ୍ଠା ପ୍ରଚ୍ଛଦରେ ଅଛନ୍ତି।

ଏମିତି ଏକ ମହତ୍‌ କାର୍ଯ୍ୟ କରିବା ପାଇଁ କେଉଁ କାରଣ ବା ପରିସ୍ଥିତିରେ ଆପଣ ଚିନ୍ତାକଲେ, ଆଜିକାର ଦିନରେ ଏହି କାମଟି ଆପଣଙ୍କୁ କେମିତି ପ୍ରେରିତ କରେ?ମୋର ଓ ସ୍ବାମୀ ସୁବ୍ରତଙ୍କର ଚିନ୍ତାଧାରା ଏକାରକମ।

ଆମେ ସ୍ଥିର କରିଥିଲୁ ଯେ ସୁବିଧା ପାଇଲେ ଆମେ ସମାଜ ପାଇଁ କିଛି ଭଲ କାମ କରିବୁ ନିଶ୍ଚୟ।

ସେସବୁ ଛୋଟ ଆକାରରେ ଆରମ୍ଭ ହୋଇଯାଇଥିଲା ୨୦୧୩ ମସିହାରୁ।

୨୦୨୦ ମସିହାରେ ଯେତେବେଳେ କୋଭିଡ୍‌ ପ୍ରଭାବରେ ଅଫିସ୍‌ ଯିବା ବନ୍ଦ ହୋଇଗଲା, ସାମାଜିକ ଜୀବନରେ ବାଧା ପଡ଼ିଗଲା, ସେତେବେଳେ ନିଜ ନିଜ ଭିତରେ ଆଲୋଚନା କରିବା ପାଇଁ ଆମ ଦୁଇଜଣଙ୍କୁ ବହୁତ ସମୟ ମିଳିଲା।

ସେତିକିବେଳେ ଆମେ ଚିନ୍ତା କଲୁ ଯେ ଓଡ଼ିଶାବାସୀଙ୍କ ପାଇଁ ଗୋଟିଏ ଉଚ୍ଚମାନର କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଏବଂ ଆଉ ଗୋଟିଏ ପ୍ୟାଲିଏଟିଭ୍‌ କେଆର୍‌ ସେଣ୍ଟର୍‌ ଓଡ଼ିଶାକୁ ଆଣିବା ପାଇଁ ଚେଷ୍ଟା କରିବୁ।

ହସ୍‌ପିଟାଲ୍‌ ପାଇଁ ଆମେ ବାଙ୍ଗାଲୋରର ଶ୍ରୀ ଶଙ୍କରା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ଡକ୍ଟର ଶ୍ରୀନାଥଙ୍କୁ ଅନୁରୋଧ କଲୁ।

ପ୍ୟାଲିଏଟିଭ୍‌ କେଆର୍‌ ପାଇଁ ଆମେ କରୁଣାଶ୍ରୟର ଟ୍ରଷ୍ଟିମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲୁ।

ଆର୍ଥିକ ସାହାଯ୍ୟ ଆମର।

କିନ୍ତୁ ବିନା ହସ୍ତକ୍ଷେପରେ ଅନୁଷ୍ଠାନ ଚଳାଇବା ଦାୟିତ୍ବ ସେମାନଙ୍କର।

ସେମାନେ ରାଜିହେଲେ।

ପ୍ରତିଷ୍ଠିତ ହେଲା ଏକ ହଜାର ଶଯ୍ୟା-ବିଶିଷ୍ଟ "ବାଗ୍‌ଚୀ ଶ୍ରୀ ଶଙ୍କରା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌" ଏବଂ ୧୧୦ ଶଯ୍ୟା ଥିବା "ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍‌ କେଆର୍‌ ସେଣ୍ଟର୍‌"।   ଭବିଷ୍ୟତର ଯୋଜନା କ"ଣ ସବୁ ରହିଛି?ଜଗନ୍ନାଥଙ୍କ ଆଶୀର୍ବାଦରେ ଭବିଷ୍ୟତର ମାର୍ଗ ସ୍ଥିର ହେବ।

ଏବେ ମଧ୍ୟ ଆହୁରି ଅନେକ କାମ କରିବା ବାକି ଅଛି।

ସୁବ୍ରତ ଓ ମୁଁ ଆଉ କେତୋଟି ଭଲ କାମ କରିବାର ଆଶା ରଖିଛୁ।

ଏହାଛଡ଼ା ଆମେ ଦୁଇଜଣ ଏବେ ସମ୍ପୂର୍ଣ୍ଣ ଭାବରେ ଲେଖାର ଜଗତରେ ନିମଜ୍ଜିତ ହୋଇଯାଇଛୁ।

ଭାଷା ଓ ଶବ୍ଦର ପରିସରରେ କଟୁଛି ଆମର ଦିନଗୁଡ଼ିକ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।