ଅବପାତରେ ପରିଣତ ହେଲା ଲଘୁଚାପ,୩ଦିନ ଯାଏ ପ୍ରବଳ ବର୍ଷା
ଭୁବନେଶ୍ବର : ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ୩ଦିନ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ,ଭୀଷଣ ବର୍ଷା ପାଇଁ ସୁନ୍ଦଗରଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୧ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି, ଆଜି ପାଇଁ ବାଲେଶ୍ବର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲାଗୁଡ଼ିକର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷେ, ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି । ଚଳିତ ବର୍ଷ ପ୍ରଥମ କରି ୯୦୦ ମିମି ଅତିକ୍ରମ କଲା ମୌସୁମୀ ବର୍ଷା। ଜୁନ ୧ରୁ ୧୩ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୯୦୧.୮ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବୃଷ୍ଟିପାତ ୭୧୩.୩ ମିମି ତୁଳନାରେ ୨୬ ପ୍ରତିଶତ ଅଧିକ ରହିଛି।
ଅନ୍ୟପଟେ , ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ୨୦ ତାରିଖ ବେଳକୁ ପୁଣି ଉତ୍ତର ଓଡ଼ିଶା ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋବର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।