ଆଜି ପବିତ୍ର ମହାନବମୀ, ସିଦ୍ଧିଦାତ୍ରୀ ରୂପରେ ମାଆ ଦୁର୍ଗତିନାଶିନୀ

Oct 19, 2026 - 11:16
ଆଜି ପବିତ୍ର ମହାନବମୀ, ସିଦ୍ଧିଦାତ୍ରୀ ରୂପରେ ମାଆ ଦୁର୍ଗତିନାଶିନୀ

ଆଜି ପବିତ୍ର ମହାନବମୀ, ସିଦ୍ଧିଦାତ୍ରୀ ରୂପରେ ମାଆ ଦୁର୍ଗତିନାଶିନୀ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାନବମୀ । ନବରାତ୍ରିର ଶେଷ ଦିନରେ ମା’ ଦୁର୍ଗାଙ୍କୁ ‘ସିଦ୍ଧିଦାତ୍ରୀ’ ରୂପରେ ପୂଜା କରାଯାଏ । ପୁରାଣ ଅନୁଯାୟୀ, ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇ ଯାଇଥିଲା। ମା’ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ। ମା’ ଲକ୍ଷ୍ମୀଙ୍କ ଭଳି ମା’ ସିଦ୍ଧିଦାତ୍ରୀ ମଧ୍ୟ କମଳ ଉପରେ ବିରାଜମାନ । ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ ରହିଛି। ମା’ ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି।

ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ ଅଟନ୍ତି। ନବରାତ୍ରି ପୂଜାର ପ୍ରଥମ ତିନି ଦିନରେ ମାଆଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଆଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୁଏ। ନବମୀ ବିହିତ ପୂଜା କାଳରେ ସର୍ବ ପ୍ରଥମେ କଳସ ଓ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ । ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ମନ୍ତ୍ର ପାଠ କରାଯାଏ । ଏହାପରେ କୁମାରୀ ପୂଜା ଅନୁଷ୍ଠିତ ହୁଏ ।

ନବମୀ ତିଥିରେ ମାଆଙ୍କୁ ପୁରୀ, କ୍ଷୀରି ଓ ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ରାତ୍ରରେ ହୋମ ପରେ ବତ୍ର ସମାପନ ହୋଇଥାଏ । ବିଶ୍ବାସ ରହିଛି ଯେ, ସିଦ୍ଧିଦାତ୍ରୀଙ୍କ ପୂଜା କରିବା ଦ୍ବାରା ମନୋସ୍କାମନା ପୂରଣ ହୋଇଥାଏ । ଏହା ସହ ମନୁଷ୍ୟ ଭିତରେ ଥିବା ଆସୁରିକ ଭାବର ବିନାଶ ଘଟିଥାଏ ବୋଲି କୁହାଯାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।