ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

Oct 30, 2026 - 08:05
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ଦିନରେ ଗ୍ରୁପ-ସି’ର ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ପାକିସ୍ତାନ ନିଜ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ମଧ୍ୟ ପ୍ରସ୍ତୁତ ରହିଛି।
ହଂକଂର ମିଶନ ରୋଡ ଗ୍ରାଉଣ୍ଡ, ମଙ୍ଗ କୋକ୍ରେ ଏହି ଟୁର୍ନାମେଣ୍ଟ ଅକ୍ଟୋବର ୩୦ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ମୋଟ ୧୨ଟି ଦଳ ଭାଗ ନେଇଛନ୍ତି। ଦଳଗୁଡ଼ିକୁ ୪ଟି ଗ୍ରୁପ୍‌ରେବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନ ସହ ୟୁଏଇ ଗ୍ରୁପ-ସି’ରେ ସ୍ଥାନ ପାଇଛି।

ଏହି ଟୁର୍ନାମେଣ୍ଟର ଫର୍ମାଟ ଅନ୍ୟ କ୍ରିକେଟ ମ୍ୟାଚ୍‌ଠାରୁ ଭିନ୍ନ। ଏଠାରେ ପ୍ରତି ଦଳରୁ ୬ ଜଣ ଖେଳାଳି ଖେଳୁଥିବା ବେଳେ ଗୋଟିଏ ଇନିଂସ ମାତ୍ର ୬ ଓଭରର ହୋଇଥାଏ। ତେଣୁ କମ ସମୟ ମଧ୍ୟରେ ବଡ଼ ସ୍କୋର କରିବା ପାଇଁ ବ୍ୟାଟରମାନେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥାନ୍ତି। ଏହା ଫଳରେ ଦର୍ଶକଙ୍କୁ ଦେଖିବାକୁ ମିଳିଥାଏ ଚୌକା ଓ ଛକାର ଭରପୂର ମନୋରଞ୍ଜନ। ପ୍ରାରମ୍ଭିକ ମ୍ୟାଚ ପରେ ନକଆଉଟ ପର୍ଯ୍ୟାୟ ଖେଳାଯିବ ଏବଂ ନଭେମ୍ବର ୧ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ରୋମାଞ୍ଚକର ମ୍ୟାଚ ଅକ୍ଟୋବର ୩୦ ତାରିଖ ଶୁକ୍ରବାର ଭାରତୀୟ ସମୟ ସକାଳ ୧୧ଟା ୪୫ ମିନିଟ୍‌ରେ ଆରମ୍ଭ ହେବ। ପାକିସ୍ତାନ ଦଳର ନେତୃତ୍ୱ ନେଉଛନ୍ତି ୨୫ ବର୍ଷୀୟ ମହମ୍ମଦ ଅବ୍ବାସ ଆଫ୍ରିଦି। ଗତ ୨୦୨୫ ସଂସ୍କରଣରେ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ସେହିପରି ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି କ୍ରୁଣାଲ ପାଣ୍ଡ୍ୟା।

ଭାରତ-ପାକିସ୍ତାନ ମ୍ୟାଚକୁ ଟିଭିରେ ସୋନି ସ୍ପୋର୍ଟସ ନେଟୱର୍କରେ ଦେଖିପାରିବେ କ୍ରିକେଟ ପ୍ରେମୀ। ଏହାର ସିଧା ପ୍ରସାରଣ ସୋନି ସ୍ପୋର୍ଟସ ୧ ଚ୍ୟାନେଲରେ ହେବ। ସେହିପରି ମୋବାଇଲ ଓ ଲାପଟପ୍‌ରେ ଲାଇଭ ଷ୍ଟ୍ରିମିଂ ଦେଖିବା ପାଇଁ ଫ୍ୟାନ୍‌କୋଡ (FanCode) ଆପ ଏବଂ ୱେବସାଇଟ୍ର ସହାୟତା ନେଇପାରିବେ ଦର୍ଶକ।

ହଂକଂ ସିକ୍ସେସ ପାଇଁ ଭାରତ ଓ ପାକିସ୍ତାନ ଦଳ

ଭାରତୀୟ ଦଳ: କ୍ରୁଣାଲ ପାଣ୍ଡ୍ୟା (ଅଧିନାୟକ), ରାହୁଲ ତ୍ରିପାଠୀ, ଶଶାଙ୍କ ସିଂହ, ନୀତୀଶ ରାଣା, କୁଲୱନ୍ତ ଖେଜରୋଲିଆ, ରାହୁଲ ତେୱତିଆ ଓ ଟି. ନଟରାଜନ।

ପାକିସ୍ତାନ ଦଳ: ମହମ୍ମଦ ଅବ୍ବାସ ଆଫ୍ରିଦି (ଅଧିନାୟକ), ଅବଦୁଲ ସମଦ, ଇରଫାନ ଖାନ, ଅହମ୍ମଦ ଦାନିୟାଲ, ମହମ୍ମଦ ଶହଜାଦ, ସାଦ ମସୁଦ ଓ ଖ୍ବାଜା ନାଫେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।